ଆଇଏନଏସ୍ ବିକ୍ରାନ୍ତ ନାଁରେ ୫୭ କୋଟି ଚଳୁ କଲେ ବିଜେପି ନେତା

ମୁମ୍ବାଇ ୦୮/୦୪ :(ସଂକେତ ଟିଭି) :ମହାରାଷ୍ଟ୍ର ବିଜେପି ନେତା କିରୀଟ ସୋମାୟା ଓ ତାଙ୍କ ପୁଅ ନୀଲଙ୍କ ନାଁରେ ମାମଲା ରୁଜୁ କରିଛି ମୁମ୍ବାଇ ପୁଲିସ୍ । ଭାରତୀୟ ନୌସେନାର ଜାହାଜ ଆଇଏନଏସ୍‌ ବିକ୍ରାନ୍ତର ସୁରକ୍ଷା ଆଳରେ ଏହି ବାପ-ପୁଅ ଯୋଡ଼ି ୫୭ କୋଟି ଆଦାୟ କରି ଚଳୁ କରି ଦେଇଥିବା ଅଭିଯୋଗ ହୋଇଛି ।

ଭାରତୀୟ ସେନାର ଜଣେ ପୂର୍ବତନ ଅଧିକାରୀ ପ୍ରଥମେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ । ଏହାପରେ ଟ୍ରୋମବେ ପୁଲିସ ଷ୍ଟେସନରେ କିରୀଟ ଓ ତାଙ୍କ ପୁଅଙ୍କ ନାଁରେ ମାମଲା କରାଯାଇଛି । ୧୯୬୧ରେ ଆଇଏନଏସ୍‌ ବିକ୍ରାନ୍ତ ନୌସେନାରେ ସାମିଲ ହୋଇଥିଲା । ଏଥିସହ ୧୯୭୧ ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଏହା ଗେମଚେଞ୍ଜର ଭୂମିକା ନିର୍ବାହ କରିଥିଲା । ତେବେ ୧୯୯୭ରେ ଏହା ନୌସେନାରୁ ଅବସର ଦିଆଯାଇଥିଲା । ୨୦୧୪ ଜାନୁଆରୀ ମାସରେ ଅନଲାଇନ ଅକ୍ସନରେ ଏହାକୁ ବିକ୍ରି କରାଯାଇଥିଲା ଓ ସେହିବର୍ଷ ନଭେମ୍ବର ମାସରେ ଏହାର ସ୍କ୍ରାପିଂ କରାଯାଇଥିଲା । ଅର୍ଥାତ ଏହାକୁ ଭାଙ୍ଗି ଦିଆଯାଇଥିଲା ।

ଏବେ ୫୩ ବର୍ଷୀୟ ପୂର୍ବତନ ଅଧିକାରୀ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଆଇଏନଏସ୍ ବିକ୍ରାନ୍ତର ସୁରକ୍ଷା ପାଇଁ କିରୀଟ ସୋମାୟା ଗୋଟିଏ ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ । ଏହି ଅଭିଯାନ ଜରିଆରେ ଅନେକ ଲୋକଙ୍କ ସମେତ ସେ ମଧ୍ୟ କିରୀଟଙ୍କୁ ଚାନ୍ଦା ଦେଇଥିଲେ । ଅଭିଯାନ ଜରିଆରେ ମୋଟ ୫୭ କୋଟି ଟଙ୍କା ଆଦାୟ ହୋଇଥିଲା । ଏହି ଅର୍ଥକୁ ମହାରାଷ୍ଟ୍ର ରାଜ୍ୟପାଳଙ୍କ ସେକ୍ରେଟାରୀ ଅଫିସରେ ଜମା କରିବା ବଦଳରେ କିରୀଟ ଓ ତାଙ୍କ ପୁଅ ଚଳୁ କରି ଦେଇଥିବା ସେ ଅଭିଯୋଗ କରିଛନ୍ତି ।