ଲଦାଖ ପାୱାର ଗ୍ରୀଡ୍ ଉପରେ ସାଇବର ଆଟାକ୍ କରି ତଥ୍ୟ ଚୋରି କରୁଛି ଚୀନ
ନୂଆଦିଲ୍ଲୀ ୦୮/୦୪ :(ସଂକେତ ଟିଭି) : ସେପଟେ ଋଷ ୟୁକ୍ରେନ୍ ଉପରେ ଆକ୍ରମଣ ଜାରି ରଖିଥିବା ବେଳେ ଏପଟେ ଭାରତ ପଛରେ ଲାଗିଛି ଚୀନ । କଳେ ବଳେ କୌଶଳେ ଭାରତକୁ ପଛରେ ପକାଇବାକୁ ଚାହୁଁଛି । ପ୍ରଥମେ ସୀମାରେ ବଳ କସି ଥକିଯିବା ପରେ ଏବେ କୌଶଳରେ ସାଇବର ଆଟାକ କରି ଭାରତର ତଥ୍ୟ ଚୋରାଇବାକୁ ଚେଷ୍ଟା କରୁଛି ଡ୍ରାଗନ । ହେଲେ ଚୀନର ଚାଲ ଧରାପଡ଼ିଯାଇଛି ।
ଏକ ରିପୋର୍ଟରୁ ଜଣାପଡ଼ିଛି ଯେ ଚୀନ ସରକାର ଭାରତର ଲଦାଖରେ ଥିବା ଏକ ପାୱାର ଗ୍ରୀଡ୍ ଉପରେ ସାଇବାର ଆକ୍ରମଣ କରିଛନ୍ତି । ଖୁଫିଆ ଫର୍ମ ରିକର୍ଡେଡ୍ ଫ୍ୟୁଚର ଇଙ୍କ୍ ବୁଧୁବାର ଏହି ଖୁଲାସା କରିଛି । ସାଇବର ଜାସୁସୀ କରିବା ପାଇଁ ଏହି ଆଟାକ୍ କରାଯାଇଥିବା ସଂସ୍ଥା କହିଛି ।
ରିପୋର୍ଟ ଅନୁସାରେ ଏହି ପାୱାର ଗ୍ରୀଡ୍କୁ ସାଇବର ଆଟାକ କରି ଭାରତର ସାତଟି ଲୋଡ୍ ଡିସ୍ପେଚ୍ ସେଣ୍ଟରକୁ ଟାର୍ଗେଟ୍ କରିଥିଲା ଚୀନ । ପାୱାର ଗ୍ରୀଡ୍ଟି ଭାରତ-ଚୀନର ସୀମା ନିକଟରେ ରହିଛି । ଏଥିରେ ବିଜୁଳି ସଂଚାର ପାଇଁ ରିୟଲ ଟାଇମିଂର ସଂଚାଳନ ହୋଇଥାଏ । ରିକର୍ଡେଡ୍ ଫ୍ୟୁଚର ଇଙ୍କ୍ ତା ରିପୋର୍ଟରେ କହିଛି ଯେ ଦୀର୍ଘଦିନ ହେଲା ଚୀନ ଭାରତର ପାୱାର ଗ୍ରୀଡ଼ ସମ୍ପତ୍ତି ଉପରେ ଆକ୍ରମଣ କରି ଭାରତର ସୀମିତ ଆର୍ଥିକ ଜାସୁସୀ କରୁଛି । ଫଳରେ ଭବିଷ୍ୟତରେ ସମସ୍ତ ଗତିବିଧି ଉପରେ ଚୀନ ନଜର ରଖି ନିଜର ସ୍ଥିତି ମଜଭୁତ କରିପାରିବ ବୋଲି ରିପୋର୍ଟରେ କୁହାଯାଇଛି ।
ସୂଚନା ଅନୁସାରେ, ଗତ ବର୍ଷ ମାର୍ଚ୍ଚ ମାସରେ ମଧ୍ୟ ଚୀନ ପାୱାର ଗ୍ରୀଡ଼ ଉପରେ ଆକ୍ରମଣ କରିଥିଲା । ଭାରତୀୟ ଲୋଡ୍ ଡିସ୍ପେଚ୍ ସେଣ୍ଟର ଉପରେ ଆକ୍ରମଣ କରି ଚୀନ ଭାରତର ମହତ୍ପୂର୍ଣ୍ଣ ତଥ୍ୟ ଚୋରି କରିଥାଇପାରେ ବୋଲି ସନ୍ଦେହ କରାଯାଉଛି ।