ପୁଟିନ୍‌ଙ୍କୁ ଘାରିଛି ୟୁକ୍ରେନ୍‌ର “ଜେ ଫ୍ୟାକ୍ଟର’ ଭୟ

କିଭ୍ ୦୮/୦୪ :(ସଂକେତ ଟିଭି) : ରୁଷ-ୟୁକ୍ରେନ୍ ଯୁଦ୍ଧ କେବେ ବନ୍ଦ ହେବ ତାହା ଏବେ କହିବା ସମ୍ଭବ ନୁହେଁ । ଆମେରିକା ସହିତ ବହୁ ଦେଶ ରୁଷ ଉପରେ ବିଭିନ୍ନ ପ୍ରକାର କଟକଣା ଲଗାଇ ସାରିଛନ୍ତି, କିନ୍ତୁ ରାଷ୍ଟ୍ରପତି ବ୍ଲାଦିମିର ପୁଟିନ୍‌ଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁଥିବାର ଦେଖିବାକୁ ମିଳୁନି । ପ୍ରତ୍ୟେକଙ୍କୁ ଲାଗୁଛି ଏବେ ଯୁଦ୍ଧରେ ୟୁକ୍ରେନ୍‌ର ପରାଜୟ ସୁନିଶ୍ଚିତ ଓ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କୁ ଅସ୍ତ୍ର ପକାଇ ଦେବା ଦରକାର ଓ ରୁଷର ସବୁ ଦାବିକୁ ମାନି ନେବା ଉଚିତ ।

ତେବେ ଏସବୁ ପରେ ମଧ୍ୟ ପୁଟିନ୍‌ଙ୍କୁ ୟୁକ୍ରେନ୍‌ର “ଜେ ଫ୍ୟାକ୍ଟର’ ଭୟ ଘାରିଛି । ଜେ’ର ଅର୍ଥ ହେଉଛି ଜାଭେଲିନ୍‌ ମିସାଇଲ । ଯୁଦ୍ଧରେ ୟୁକ୍ରେନ୍‌ର ସହାୟତା ପାଇଁ ଆଗକୁ ଆସିଥିବା ଆମେରିକା ୧୦ କୋଟି ଟଙ୍କାର ସହାୟତା ଘୋଷଣା କରିଛି । ୟୁକ୍ରେନ୍‌କୁ ଆମେରିକା ଜାଭେଲିନ୍ ମିସାଇଲ ପ୍ରଦାନ କରିଛି । ଆମେରିକା ଓ ନାଟୋ ରୁଷ ସହିତ ସିଧା-ସଳଖ ଭାବରେ ଲଢିବାକୁ ଚାହାନ୍ତି ନାହିଁ । ତେଣୁ ସେମାନେ ୟୁକ୍ରେନ୍‌କୁ ଜାଭେଲିନ୍‌ ମିସାଇଲ ଦେଇ ୟୁକ୍ରେନ୍‌କୁ ମଜବୁତ କରୁଛନ୍ତି । ଏହି ଅସ୍ତ୍ର ମିଳିବା ପରେ ୟୁକ୍ରେନ୍ ପୁଣିଥରେ ନିଜର ସ୍ଥିତିକୁ ମଜବୁତ କରିପାରିବ ଓ ରୁଷ ସେନାକୁ ଟାର୍ଗେଟ କରିବ । ଏହି ମିସାଇଲ ଜରିଆରେ ୟୁକ୍ରେନ୍ ସେନା ରୁଷର ସେନା ଉପରେ ଜୋରଦାର ଆକ୍ରମଣ କରିଥିଲା । ରୁଷର ବହୁ ଟ୍ୟାଙ୍କ ନଷ୍ଟ ହୋଇଯାଇଥିଲା ।

ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତରେ ଆମେରିକାରେ ତିଆରି ହୋଇଥିବା ଏଭଳି ହାଲକା କିନ୍ତୁ ଘାତକ ଅସ୍ତ୍ର ରୁଷ ଟ୍ୟାଙ୍କ ଓ ତୋପଖାନାର ପ୍ରବଳ କ୍ଷତି କରିଥିଲା । ରୁଷ ସୈନିକ ଯେତେବେଳେ ରାଜଧାନୀ କିଭ୍ ଆଡକୁ ପ୍ରବେଶ କରୁଥିଲା ସେତେବେଳେ ୟୁକ୍ରେନ ସେନା ଏହାର ବ୍ୟବହାର ବଢାଇ ଦେଇଥିଲା । ୟୁକ୍ରେନ୍ ସୈନିକ ଜାଭେଲିନ୍ ମିସାଇଲ୍ ଆକ୍ରମଣର ଏଭଳି ଚକ୍ରବ୍ୟୁହ ରଚିଥିଲା ଯେ, ଏହି ଟ୍ୟାଙ୍କ, ରୁଷ ସୈନିକଙ୍କ ଖୁବ୍‌ କ୍ଷତି କରିଥିଲା । ୟୁକ୍ରେନ୍ ପକ୍ଷରୁ ଜାଭେଲିନ୍ ମିସାଇଲର ବ୍ୟବହାର ଯେଉଁଭଳି ଭାବରେ କରାଯାଉଛି, ତାକୁ ଦେଖି କୁହାଯାଉଛି ଯେ, ଖୁବ୍ ଶୀଘ୍ର ୟୁକ୍ରେନରେ ପଶିଥିବା ରୁଷ ସେନାର ପ୍ରବଳ କ୍ଷୟକ୍ଷତି ହେବ ।

ଜାଭେଲିନ୍ ମିସାଇଲ ଆମେରିକାରେ ତିଆରି ହୋଇଥିବା ଏକ ଆଣ୍ଟି ଟ୍ୟାଙ୍କ ମିସାଇଲ । ଏହି ମିସାଇଲ ଓଜନରେ ହାଲକା ହେବା କାରଣରୁ କାନ୍ଧରେ ନେଇ ଚଳାଇ ହେବ । ଏହି ମିସାଇଲ ଲଞ୍ଚରର ଓଜନ ୧୧ ରୁ ନେଇ ୨୪ କିଲୋଗ୍ରାମ୍ ପର୍ଯ୍ୟନ୍ତ ରହିଥାଏ । ଏହି ଲଞ୍ଚରରେ ଡେ-ନାଇଟ୍ ଭିଜନ୍‌ ମଧ୍ୟ ରହିଥାଏ । ଏହାର ସବୁଠାରୁ ବଡ ବିଶେଷତ୍ୱ ହେଉଛି ଏହା ସବୁଠାରୁ ଅଧିକ ପ୍ରଭାବଶାଳୀ । ଜାଭେଲିନ୍ ମିସାଇଲରୁ ଦୁଇ ପ୍ରକାର ଆକ୍ରମଣ କରାଯାଇଥାଏ । ପ୍ରଥମଟି ହେଲା କୌଣସି ଡ୍ରୋନ୍‌ କିମ୍ୱା କମ୍ ଉଚ୍ଚତା ଥିବା ଯୁଦ୍ଧ ବିମାନକୁ ମାରି ନଷ୍ଟ କରିଥାଏ । ଦ୍ୱିତୀୟଟି ହେଲା ସ୍ଥଳଭାଗରେ ଟ୍ୟାଙ୍କ ଓ ଗାଡିକୁ ସିଧା ଟାର୍ଗେଟ କରିଥାଏ ।