ଅନୁରାଗ ଠାକୁରଙ୍କୁ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ କରିପାରେ ବିଜେପି

ନୂଆଦିଲ୍ଲୀ ୦୮/୦୪ :(ସଂକେତ ଟିଭି) : ହିମାଚଳ ପ୍ରଦେଶରେ ଜୟରାମଙ୍କ ବଦଳରେ ଅନୁରାଗଙ୍କୁ ମୁଖ୍ୟମନ୍ତ୍ରୀ କରିପାରେ ବିଜେପି ଏଭଳି ଦାବି କରିଛନ୍ତି ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଜୟରାମ ଠାକୁରଙ୍କର ଲୋକପ୍ରିୟତା ହ୍ରାସ ପାଇଛି, ଯାହାକୁ ନେଇ ବିଜେପି ଏଭଳି ପଦକ୍ଷେପ ନେଇପାରେ । ରାଜ୍ୟରେ ଆମ୍ ଆଦମୀ ପାର୍ଟିର ବିସ୍ତାର ହେଉଥିବା ଦେଖି ବିଜେପିରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଯେଉଁଥି ପାଇଁ ହିମାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀଙ୍କ ଚେହେରା ଭାବରେ ବିଜେପି ଅନୁରାଗ ଠାକୁରଙ୍କୁ ସାମ୍ନାକୁ ଆଣିବାକୁ ଚାହୁଁଛି ।

ସୂଚନା ଥାଉକି ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ମାଣ୍ଡି ଜିଲ୍ଲାରେ ପହଞ୍ଚି ଆମ୍ ଆଦମୀ ପାର୍ଟିର ତ୍ରିରଙ୍ଗା ଯାତ୍ରାରେ ଭାଗ ନେଇଥିଲେ । ଏହି ସମୟ ମଧ୍ୟରେ କେଜ୍ରିୱାଲ ହିମାଚଳବାସୀଙ୍କୁ ୫ ବର୍ଷ ଦେବାକୁ ଅନୁରୋଧ କରିଥିଲେ ।

ସେ କହିଥିଲେ ଯେ ରାଜ୍ୟବାସୀ ୩୨ ବର୍ଷ ପାଇଁ କଂଗ୍ରେସକୁ ଏବଂ ବିଜେପିକୁ ମଧ୍ୟ ୧୭ ବର୍ଷ ଶାସନ କରିବାର ସୁଯୋଗ ଦେଇଛନ୍ତି । କିନ୍ତୁ ଏହାର ପ୍ରତିବଦଳରେ ଏହି ଦଳଗୁଡ଼ିକ କେବଳ ଦୁର୍ନୀତି କରିଥିବାବେଳେ ଆମ୍ ଆଦମୀ ପାର୍ଟିକୁ ୫ ବର୍ଷ ପାଇଁ ସୁଯୋଗ ଦେବା ଉଚିତ୍ । ଆମେ ଯେଉଁଭଳି ଭାବରେ ଦିଲ୍ଲୀରେ ବିକାଶ କରିଥିଲୁ, ଆମେ ପଞ୍ଜାବକୁ ସମାନ ମାର୍ଗରେ ଆଗକୁ ବଢାଇବୁ ଏବଂ ସମାନ ମଡେଲ ହିମାଚଳ ପ୍ରଦେଶରେ ମଧ୍ୟ କାର୍ଯ୍ୟକାରୀ ହେବ । ଯଦିଓ ରାଜନୀତି ଜାଣିନି ତଥାପି ସ୍କୁଲ ଏବଂ ଡାକ୍ତରଖାନା ଖୋଲିବାରେ ଆମେ ଭିଜ୍ଞ ବୋଲି କେଜ୍ରିୱାଲ କରିଥିଲେ ।