ବନ୍ଦ ହେବାକୁ ଯାଉଛି ରେନାଲ୍ଟ ଡଷ୍ଟର

ନୂଆଦିଲ୍ଲୀ ୦୮/୦୪ :(ସଂକେତ ଟିଭି) :ପ୍ରାୟ ଏକ ଦଶନ୍ଧି ପୂର୍ବେ ରେନାଲ୍ଟ ଡଷ୍ଟର ଏହାର ଲୁକ୍ ଏବଂ ସୁଲଭ ମୂଲ୍ୟ ହେତୁ ଭାରତୀୟ ବଜାରରେ ବେଶ୍ ଆଦୃତି ଲାଭ କରିଥିଲା । କିନ୍ତୁ ଏହି ସୁପରହିଟ୍‌ ଏସୟୁଭି ବନ୍ଦ ହେବାକୁ ଯାଉଛି ! ଏନେଇ ରେନାଲ୍ଟ ଇଣ୍ଡିଆ ଏହାର ଅଫିସିଆଲ୍ ୱେବସାଇଟରୁ ଡଷ୍ଟରକୁ ହଟାଇ ଦେଇଛି । ଯାହା ସୂଚାଇ ଦେଉଛି ଯେ, ଏହି କାରଟି ଶୀଘ୍ର ବନ୍ଦ ହୋଇପାରେ । ତେବେ ବର୍ତ୍ତମାନ ସୁଦ୍ଧା କମ୍ପାନୀ ଏ ସମ୍ପର୍କରେ କୌଣସି ଘୋଷଣା କରିନାହିଁ ।

ଏକଦା ଭାରତୀୟ ଏସୟୁଭି ବଜାରକୁ ରାଜ୍‌ କରୁଥିବା ରେନାଲ୍ଟ ଡଷ୍ଟରର ବିକ୍ରି ବହୁତ ହ୍ରାସ ପାଇଛି । ଏଭଳି ପରିସ୍ଥିତିରେ କମ୍ପାନୀ ଭାରତୀୟ ବଜାର ପାଇଁ ଏସୟୁଭି ଉତ୍ପାଦନକୁ ମଧ୍ୟ ବନ୍ଦ କରିଦେବ ବୋଲି ଅନୁମାନ କରାଯାଉଛି ।

ଉଲ୍ଲେଖଥାଉ କି, କମ୍ପାନୀ ଆଧୁନିକ ଡିଜାଇନ୍ ସହିତ ଟ୍ରିବର୍ (ଟ୍ରିବ)ର୍ ଏବଂ କିଗର (କିଗର) ଲଞ୍ଚ କରିଛି । ଏହି ଦୁଇଟି କାର ଡଷ୍ଟର ପରି ସମାନ ୫-ସିଟ୍ ବିକଳ୍ପ ପ୍ରଦାନ କରେ । ଏଥି ସହିତ, କମ୍ପାନୀର ଛୋଟ କାର୍ କ୍ୱିଡ୍ (କ୍ୱିଡ୍‌) ମଧ୍ୟ ଏଣ୍ଟ୍ରି ସେଗମେଣ୍ଟରେ ଭଲ କାମ କରୁଛି । ନିକଟ ଅତୀତରେ ଡଷ୍ଟର ଚାହିଦା ହ୍ରାସ ପାଇବାରେ ଲାଗିଛି । ଏହାର ମୁଖ୍ୟ କାରଣ ବଜାରରେ ଶକ୍ତିଶାଳୀ ପ୍ରତିଯୋଗିତା । ଯେଉଁଥିପାଇଁ ଡଷ୍ଟର ପଛରେ ରହିଯାଇଛି ।