ଏଣିକି ପିଡିଏସ୍‌ରେ ମିଳିବ ପୁଷ୍ଟିଯୁକ୍ତ ଚାଉଳ

ନୂଆଦିଲ୍ଲୀ ୦୯।୦୪ : (ସଂକେତ ଟିଭି) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ କମିଟି ବୈଠକରେ ପର୍ଯ୍ୟାୟକ୍ରମେ ୨୦୨୪ ସୁଦ୍ଧା ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳରେ ସାଧାରଣ ବଣ୍ଟନ ବ୍ୟବସ୍ଥାରେ ପୁଷ୍ଟିଯୁକ୍ତ ଚାଉଳ ଯୋଗାଣକୁ ଅନୁମୋଦନ ମିଳିଛି ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ବିଷୟ ଘୋଷଣା କରି କହିଛନ୍ତି, ୨୦୨୪ ଜୁନ ପର୍ଯ୍ୟନ୍ତ ଏଥିପାଇଁ ଖାଦ୍ୟ ସବସିଡିର ଅଂଶ ଭାବରେ ବାର୍ଷିକ ପ୍ରାୟ ୨୭୦୦ କୋଟି ଟଙ୍କା କେନ୍ଦ୍ର ସରକାର ବହନ କରିବେ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ, ସମନ୍ୱିତ ଶିଶୁ ବିକାଶ ସେବା, ପ୍ରଧାନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ ଏବଂ ସରକାରଙ୍କ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା ଅନୁଯାୟୀ ଏହି ଅନୁମୋଦନ ଦିଆଯାଇଛି ।

ଭାରତୀୟ ଖାଦ୍ୟ ନିଗମ ଏବଂ ରାଜ୍ୟ ଏଜେନ୍ସିଗୁଡ଼ିକ ପୁଷ୍ଟିଯୁକ୍ତ ଚାଉଳ କିଣିବାରେ ନିୟୋଜିତ ଅଛନ୍ତି ଏବଂ ଯୋଗାଣ ଓ ବଣ୍ଟନ ପାଇଁ ପ୍ରାୟ ୮୮.୬୫ ଲକ୍ଷ ଟନ୍‌ ପୁଷ୍ଟିଯୁକ୍ତ ଚାଉଳ କ୍ରୟ କରାଯାଇଛି । ଦେଶର ପ୍ରତ୍ୟେକ ଗରିବ ଲୋକଙ୍କୁ ପୁଷ୍ଟିହୀନତା ଏବଂ ମହିଳା, ଶିଶୁ ଏବଂ ସ୍ତନ୍ୟପାନ କରାଉଥିବା ମା’ମାନଙ୍କର ପୁଷ୍ଟିକର ଖାଦ୍ୟ ଅଭାବକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ଗତ ବର୍ଷ ଚାଉଳର ପୁଷ୍ଟି ତତ୍ତ୍ୱ ବିଷୟ ଘୋଷଣା କରିଥିଲେ ।