ଜୁଲାଇରେ ଭାରତ -ଇଂଲଣ୍ଡ ପଞ୍ଚମ ଟେଷ୍ଟ

ନୂଆଦିଲ୍ଲୀ ୦୯।୦୪ : (ସଂକେତ ଟିଭି) ଚଳିତ ବର୍ଷ ଜୁଲାଇ ମାସ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଏଜବାଷ୍ଟନ ଗ୍ରାଉଣ୍ଡରେ ଅନୁଷ୍ଠିତ ହେବ ଭାରତ- ଇଂଲଣ୍ଡ ପଞ୍ଚମ ଟେଷ୍ଟ । ତେବେ ଏହି ମ୍ୟାଚ ପୂର୍ବରୁ ଭାରତୀୟ ଦଳ ଇଂଲଣ୍ଡର କାଉଣ୍ଟି କ୍ଳବ ଡର୍ବିଶାୟାର ଓ ନଥମ୍ପଟନଶାୟାର ବି ରେ ଦୁଇ ଟି-୨୦ ୱାର୍ମଅପ୍ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି ।

ପୁଣି ଥରେ ସୂଚାଇ ଦିଆ ଯାଇ ପାରେ ଯେ ଗତ ବର୍ଷ ଇଂଲଣ୍ଡରେ ଭାରତ-ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ କ୍ରିକେଟ ସିରିଜ ଅନୁଷ୍ଠିତ ହୋଇ ଥିଲା । ଚତୁର୍ଥ ଟେଷ୍ଟ ସମାପ୍ତ ସୁଦ୍ଧା ଭାରତ ୨- ୧ରେ ଆଗୁଆ ଥିଲା । ତେବେ ପଞ୍ଚମ ତଥା ଶେଷ ଟେଷ୍ଟ ପୂର୍ବରୁ ଭାରତୀୟ ଦଳର କେତେକ ଖେଳାଳିଙ୍କ ସହିତ ମୁଖ୍ୟ କୋଚ ରବି ଶାସ୍ତ୍ରୀ ଓ ଅନ୍ୟ ଦୁଇ କୋଚ ଏବଂ ଜୁନିୟର ଫିଜିଓ ଥେରାପିଷ୍ଟ କରୋନାରେ ଆକ୍ରାନ୍ତ ହେବାରୁ ଭାରତୀୟ ଦଳ ଭୟଭୀତ ହୋଇ ପଞ୍ଚମ ଟେଷ୍ଟ ଖେଳିବାକୁ ରାଜି ହୋଇ ନ ଥିଲେ ।

ଅବଶ୍ୟ ପଞ୍ଚମ ଟେଷ୍ଟ ଆରମ୍ଭ ହେବାର ଅବ୍ୟବହିତ ପୂର୍ବରୁ ଭାରତୀୟ ଦଳ ଓହରି ଯିବା ଫଳରେ ଏହି ମ୍ୟାଚ ଉପଭୋଗ ପାଇଁ ଟିକେଟ କିଣିଥିବା କ୍ରିକେଟ ପ୍ରେମୀ ଦର୍ଶକ ମାନେ ଶେଷରେ ନିରାଶ ହୋଇଥିଲେ । ତେବେ ଭାରତ ଏହି ମ୍ୟାଚ ବାଜ୍ୟାପ୍ତ କଲା ବୋଲି ଘୋଷଣା କରିବାକୁ ଇଂଲଣ୍ଡ କ୍ରିକେଟ ବୋର୍ଡ ଦାବି କରିଥିଲେ ହେଁ ବିସିସିଆଇ ଏଥିରେ ରାଜି ହୋଇ ନ ଥିଲା । କାରଣ ମ୍ୟାଚ ବଜ୍ୟାପ୍ତି ହେଲେ ଇଂଲଣ୍ଡକୁ ବିଜୟୀ ଘୋଷିତ କରା ଯାଇଥାନ୍ତା । ତେଣୁ ଚଳିତ ବର୍ଷକୁ ପଞ୍ଚମ ମ୍ୟାଚ ସ୍ଥଗିତ ରଖା ଯାଇଥିବା ବେଳେ ଆସନ୍ତା ଜୁଲାଇ ମାସରେ ଏହି ମ୍ୟର ଅନୁଷ୍ଠିତ ହେବ । ଏହି ମ୍ୟାଚ ସହିତ ଭାରତ ଆଗାମୀ ଇଂଲଣ୍ଡ ଗସ୍ତ ଅବସରରେ ୩ ଦିନିକିଆ ଓ ୩ ଟି- ୨୦ ମ୍ୟାଚ ଖେଳିବା କାର୍ଯ୍ୟକ୍ରମ ରହିଛି ।