ୟୁକ୍ରେନକୁ ‘ସୁଇସାଇଡ୍ ଡ୍ରୋନ୍’ ପଠାଇଲା ଆମେରିକା
କିଭ୍ ୦୯।୦୪ : (ସଂକେତ ଟିଭି) ରୁଷ୍ ସେନା ସହିତ ମୁକାବିଲା କରିବା ଲାଗି ଯୁକ୍ତରାଷ୍ଟ୍ର ଆମେରିକା ଯୁଦ୍ଧ-ବିକ୍ଷତ ୟୁକ୍ରେନକୁ ‘ସୁସାଇଡ୍ ଡ୍ରୋନ୍’ ବା ‘କାମିକାଜେ ଡ୍ରୋନ୍’ ପଠାଇଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ସରକାରୀ ଅଧିକାରୀ କହିଛନ୍ତି ।
ରୁଷୀୟ ଗଣମାଧ୍ୟମ ରିପୋର୍ଟ କରିଛି ଯେ, ଗୁରୁତ୍ୱପୂର୍ଣ୍ଣ ସାମରିକ ସହାୟତା ଭାବେ ଯୁକ୍ତରାଷ୍ଟ୍ର ଆମେରିକା ୟୁକେନକୁ ୧୦୦ଟି ‘ସୁଇଚେ୍ୱଡ୍’ ଡ୍ରୋନ୍ ପଠାଇଥିବା କଥା ଯୁକ୍ତରାଷ୍ଟ୍ର ଆମେରିକାର ଜଣେ ସରକାରୀ କର୍ତ୍ତୃପକ୍ଷ କହିଛନ୍ତି । ଏ ପ୍ରକାର ଡ୍ରୋନକୁ ‘କାମିକାଜେ ଡ୍ରୋନ୍’ ଅଥବା ‘ସୁସାଇଡ୍ ଡ୍ରୋନ୍’ କୁହାଯାଏ । କେଉଁ ଧରଣର ‘ସୁଇସାଇଡ୍ ଡ୍ରୋନ୍’ ବୋଲି ନ ଦର୍ଶାଇ ପେଣ୍ଟାଗନ୍ ମୁଖପାତ୍ର ଜନ୍ ର୍କିବି କହିଥିଲେ ଯେ, ଯୁକ୍ତରାଷ୍ଟ୍ର ଆମେରିକା କମାଣ ଓ ଯୁଦ୍ଧଯାନ ସବୁକୁ ଧ୍ୱଂସ କରିବା ଲାଗି ନିର୍ମିତ ଡ୍ରୋନ୍ ପଠାଇପାରେ ।
ସୂଚନାଯୋଗ୍ୟ, ‘କାମିକାଜେ ଡ୍ରୋନ୍’ ଥରେ ମାତ୍ର ବ୍ୟବହାର ଯୋଗ୍ୟ । ଏହା ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳକୁ ଗତିକରି ସେଠାରେ ବିସ୍ପୋରଣ ଘଟାଇଥାଏ । ଏହାର ବ୍ୟବହାର ଅପେକ୍ଷାକୃତ ସହଜ ଏବଂ ରୁଷୀୟ ସ୍ଥଳ ସେନାଙ୍କୁ ଆକ୍ରମଣ କରିବା ପାଇଁ ଖୁବ୍ ଫଳପ୍ରଦ । ୪୦ କିଲୋମିଟର୍ ଦୂରତ୍ୱରେ ଥିବା ଲକ୍ଷ୍ୟ ଭେଦ କରୁଥିବା ଏହି ଡ୍ରୋନ୍ ଟ୍ରକ୍, ଟ୍ୟାଙ୍କ୍, ଯୁଦ୍ଧଯାନ ଭଳି ଗାଡ଼ି ଉପରେ ଆକ୍ରମଣ କରିପାରିବ । ଏହାର ନିର୍ମାତା ହେଉଛି, ‘ଏରୋଭାରୋନ୍ମେଣ୍ଟ୍’ ।
‘ସିଏନ୍ଏନ୍’ରିପୋର୍ଟ ଅନୁସାରେ, ୨.୭ କିଲୋ ଓଜନବିଶିଷ୍ଟ ଏହି ଡ୍ରୋନଫିକୁ ପିଠିରେ ପକାଯାଉଥିବା ବ୍ୟାଗରେ ଭରି ନେଇ ହେବ । ଏହି ଡ୍ରୋନରେ କ୍ୟାମେରା, ଗାଇଡାନ୍ସ୍ ସିଷ୍ଟମ୍ ଏବଂ ବିସ୍ପୋରକ ରହିଛି । ଏହାକୁ ‘ରୋବୋଟିକ୍ ସ୍ମାର୍ଟ ବମ୍’ ମଧ୍ୟ କହିହେବ ।