ମନ୍ତ୍ରୀ ଦେବେ ରିପୋର୍ଟ କାର୍ଡ, ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା

ଭୁବନେଶ୍ବର ୧୦।୦୪ : (ସଂକେତ ଟିଭି)ରାଜ୍ୟରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ପାୱାର କରିଡରରେ ଚର୍ଚ୍ଚା । ପଞ୍ଚାୟତ ଓ ପୌର ନିର୍ବାଚନ ପରେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି । ଏବେ ମନ୍ତ୍ରୀମାନଙ୍କ ମାସିକିଆ ରିପୋର୍ଟ କାର୍ଡ ମଗାଯିବା ପରେ ଏହି ଚର୍ଚ୍ଚାକୁ ରାଜନୈତିକ ମହଲରେ ଅଧିକ ଖୋରାକ୍‌ ଯୋଗାଇଛି ।

ମିଳିଥିବା ସୂଚନାନୁସାରେ, ପଞ୍ଚମ ପାଳିର ତୃତୀୟ ବର୍ଷ ପୂରଣ ହେବା ଆଗରୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ନୂଆ ମନ୍ତ୍ରୀମଣ୍ଡଳ ଟିମ୍‌ ଗଠନ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହାର ପ୍ରାଥମିକ ପ୍ରକ୍ରିୟା ସ୍ୱରୂପ ମନ୍ତ୍ରୀମାନଙ୍କୁ ନିଜ ନିଜ ବିଭାଗର ରିପୋର୍ଟ କାର୍ଡ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ଦାୟିତ୍ୱ ନେବା ପରେ ବିଭାଗର ପ୍ରଦର୍ଶନ କିପରି ରହିଛି? କେଉଁ ସବୁ ଯୋଜନାକୁ ସଫଳତାର ସହ କାର୍ଯ୍ୟକାରୀ କରାଯାଇଛି? ବିଭାଗରେ ୫-ଟି କାର୍ଯ୍ୟକାରୀ ହେବା ପରେ କ’ଣ କ’ଣ ପରିବର୍ତ୍ତନ ହୋଇଛି? ଜନତାଙ୍କ ନିକଟରେ ବିଭାଗ ଉତ୍ତରଦାୟୀ ରହି କାର୍ଯ୍ୟ କରିପାରିଛି କି? କେଉଁସବୁ ଦିଗ ପ୍ରତି ବିଭାଗ ସଜାଗ ନ ରହିବାରୁ ସମସ୍ୟା ଉପୁଜିଛି? ଏମିତି କିଛି ତଥ୍ୟକୁ ନେଇ ବିଭାଗୀୟ ମନ୍ତ୍ରୀମାନେ ନିଜ ନିଜ ବିଭାଗର ରିପୋର୍ଟ ତିଆରି କରିବାକୁ କୁହାଯାଇଛି।

ମନ୍ତ୍ରୀ ଯାହା ରିପୋର୍ଟ ଦେବେ ତାହା ଯେ ଚୂଡ଼ାନ୍ତ ସେଭଳି ନୁହେଁ, ସମାନ୍ତରାଳ ଭାବେ ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ମଧ୍ୟ ରିପୋର୍ଟ ସଂଗ୍ରହ କରାଯାଇଛି । ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ଏହା ପ୍ରାଥମିକ ଅଙ୍କକଷା ବୋଲି ପାୱାର କରିଡର ବିଚାର କରୁଛି। ସବୁ ବିଭାଗର ସମୀକ୍ଷା ପରେ କିଛି ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ କୁହାଯାଇପାରେ। ଏହାପରେ ନବୀନ ନୂଆ ମନ୍ତ୍ରୀଙ୍କୁ ନେଇ ତାଙ୍କ ଟିମ୍‌ ଗଠନ କରିବେ। ତେବେ ଫୋକସ୍‌ରେ ରହିବ ୨୦୨୪ ସାଧାରଣ ନିର୍ବାଚନ।

ଯେଉଁ ମନ୍ତ୍ରୀମାନେ ମନ୍ତ୍ରୀମଣ୍ଡଳରୁ ବାଦ୍‌ ପଡ଼ିବେ, ସେମାନଙ୍କୁ ସଂଗଠନ ଦାୟିତ୍ୱ ଦିଆଯିବ। ୨୦୧୭ରେ ପଞ୍ଚାୟତ ନିର୍ବାଚନ ପରେ ଯୁବ ମନ୍ତ୍ରୀମାନେ ଇସ୍ତଫା ଦେଇ ସଂଗଠନ କାର୍ଯ୍ୟରେ ମନୋନିବେଶ କରିଥିଲେ। ଏହାର ଫଳ ୨୦୧୯ ନିର୍ବାଚନରେ ଦଳକୁ ମିଳିଥିଲା। ତେଣୁ ୨୦୨୪ ମିଶନ୍‌ ପାଇଁ ମଧ୍ୟ ସମାନ ଫର୍ମୁଲା ନବୀନ ଆପଣାଇ ପାରନ୍ତି। ମନ୍ତ୍ରୀମଣ୍ଡଳ ଅଦଳବଦଳ ପରେ ପ୍ରଶାସନିକ ସ୍ତରରେ ବି ବ୍ୟାପକ ପରିବର୍ତ୍ତନ ହେବାର ସମ୍ଭାବନା ରହିଛି। ଏହାଛଡ଼ା କିଛି ନିଗମ ଓ ବୋର୍ଡରେ ମଧ୍ୟ ଦାୟିତ୍ୱ ବଦଳିପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି।