ବାହା ହେବାକୁ ମନା କଲେ ଯୁବକ, ଏକାଥରେ ବିଷ ପିଇଲେ ୬ ଯୁବତୀ

ପାଟନା ୧୦।୦୪ : (ସଂକେତ ଟିଭି)ଯୁବକ ରଖିଲେନି ପ୍ରେମିକାର ପ୍ରେମ ନିବେଦନ । ସିଧାସଳଖ ପ୍ରତ୍ୟାକ୍ଷାନ କଲେ ବିବାହ ପ୍ରସ୍ତାବ । ନାଁ ତୁମକୁ ବାହା ହେବିନି କହି ଚାଲିଗଲେ । ଏହାପରେ ଚରମ ନିଷ୍ପତ୍ତି ନେଲେ ପ୍ରେମିକା । କେବଳ ସେ ନୁହେଁ ତାଙ୍କ ସାଙ୍ଗସାଥୀମାନେ ମଧ୍ୟ ତାଙ୍କ ସହ ମିଶି ତାଙ୍କ ସାଥ ଦେଲେ । ବାହା ହେବାକୁ ମନା କରିବାକୁ ବିଷ ଖାଇଦେଲେ ପ୍ରେମିକା । ଜଣେ କି ଦୁଇ ଜଣ ନୁହେଁ ଏକାଥରକେ ୬ ଜଣ ଯୁବତୀ ବିଷ ପିଇ କରିଛନ୍ତି ଆତ୍ମହତ୍ୟା ଉଦ୍ୟମ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସେମାନେ ସଂଘର୍ଷ କରୁଛନ୍ତି । ଏଭଳି ଏକ ଚକିତ କଲା ଭଳି ଘଟଣା ସାମ୍ନାକୁ ଆସିଛି ବିହାରର ଔରଙ୍ଗାବାଦରୁ ।

ଔରଙ୍ଗାବାଦର ଏସପି କାନ୍ତେଶ କୁମାର ମିଶ୍ରାଙ୍କ କହିବା ମୁତାବକ, ଏହି ୬ ଜଣଙ୍କ ମଧ୍ୟରୁ ଜଣେ ଝିଅର ପ୍ରେମ ସଂପର୍କ ତାଙ୍କ ଭାଇର ଶଳା ସହିତ ଥିଲା । ଏନେଇ ଝିଅଟି ତା’ର ସାଙ୍ଗସାଥୀମାନଙ୍କ ସାମ୍ନାରେ ଭାଇର ଶଳାକୁ ବିବାହ କରିବାକୁ ପ୍ରସ୍ତାବ ଦେଇଥିଲା । ହେଲେ ଯୁବକ ଜଣଙ୍କ ଏହି ବିବାହ ପ୍ରସ୍ତାବକୁ ଖାରଜ କରିଦେଇଥିଲେ । ଏହା ପରେ ଝିଅ ଓ ତାର ସମସ୍ତ ସାଙ୍ଗ ଗାଁକୁ ଫେରି ଆସିଥିଲେ ।

ହେଲେ କିଛି ସମୟ ପରେ ବିବାହ ପ୍ରସ୍ତାବ ଦେଇଥିବା ଝିଅଟି ବିଷ ଖାଇ ଦେଇଥିବା ଦେଖିବାକୁ ମିଳିଥିଲା । ଏହାପରେ ଝିଅଟିର ଅନ୍ୟ ୫ ସାଙ୍ଗସାଥୀମାନେ ମଧ୍ୟ ଜଣଙ୍କ ପରେ ଜଣେ ବିଷ ଖାଇ ଦେଇଥିଲେ । ଏସବୁ ଜାଣିବା ପରେ ଗାଁ ଲୋକେ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲକୁ ନେଇ ଯାଇଥିଲେ । ସେଠାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ୩ ଜଣ ଏବେ ମଗଧ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି । ଏପଟେ ଏହାକୁ ନେଇ ସାରା ଗାଁରେ ଶୋକର ଛାୟା ଖେଳିଯାଇଛି । କୁହାଯାଉଛି ଏହି ୬ ଜଣ ଯୁବତୀ ଔରଙ୍ଗାବାଦର ଗୁରାରୁକୁ ଯାଇଥିଲେ । ସେଠାରୁ ଫେରିବା ପରେ ବିଷ ଖାଇଦେଇଥିଲେ ।