ସବୁ ସୀମା ଉଲ୍ଲଂଘନ କରୁଛନ୍ତି ରୁଷୀୟ ସୈନିକ, ଦୁଷ୍କର୍ମ ଭୟରେ ଚୁଟି କାଟି ଦେଉଛନ୍ତି ୟୁକ୍ରେନ୍ ଯୁବତୀ

କିଭ୍ ୧୦।୦୪ : (ସଂକେତ ଟିଭି)ଦୀର୍ଘ ଦେଢ଼ ମାସ ଧରି ୟୁକ୍ରେନ୍‌ରେ ଦୁଦ୍ଧର ଆତଙ୍କ ଜାରି ରହିଛି ରୁଷ । ସୁନ୍ଦର ଅପରୂଭରା ୟୁକ୍ରେନ୍‌ ଏକପ୍ରକାର ମାଟିରେ ମିଶିବାକୁ ବସିଲାଣି । ଏହି ଭିତରେ ରୁଷ ସେନା ମାନବିକତାର ସବୁ ସୀମା ଉଲଂଘନ କଲାଣି । ଯାହା ଫଳରେ ଏବେ ୟୁକ୍ରେନ୍‌ ଯୁବତୀଙ୍କୁ ଘାରିଛି ଦୁଷ୍କର୍ମ ଭୟ । ରୁଷ ସୈନିକମାନେ ୟୁକ୍ରେନର ମହିଳା ଓ ଯୁବତୀଙ୍କୁ ଦୁଷ୍କର୍ମ କରୁଛନ୍ତି । ଏହି ଦୁଷ୍କର୍ମରୁ ବର୍ତ୍ତିବା ପାଇଁ ସେଠାକାର ଯୁବତୀମାନେ ଏବେ ଧାରଣ କରୁଛନ୍ତି ନୂଆ ରୂପ। ଆକର୍ଷଣ ଦେଖାଯିବା ପାଇଁ ରଖିଥିବା ଲମ୍ବା ଚୁଟିକୁ କାଟି ସେମାନେ ଏବେ ଛୋଟ କରିଦେଉଛନ୍ତି ।

କମ୍‌ ଆକର୍ଷଣୀୟ ଦିଶିବାକୁ ରାଜଧାନୀ କିଭରୁ ପ୍ରାୟ ୫୦ ମାଇଲ୍ ଦୂରରେ ଥିବା ଇଭାନ୍ କିଭ୍‌ରେ ଯୁବତୀମାନେ ନିଜ ନିଜର କେଶକୁ କାଟି ଛୋଟ ଛୋଟ କରିବାକୁ ବାଧ୍ୟ ହେଉଛନ୍ତି ବୋଲି ଡେପୁଟି ମେୟର ମାରିନା ବେଶାସ୍ତନା କହିଛନ୍ତି । ପ୍ରାୟ ମାସେ ପରେ ମାର୍ଚ ୩୦ ତାରିଖ ଦିନ ଇଭାନ୍ କିଭ୍ ନଗରୀ ରୁଷ ସେନା ଦଖଲରୁ ମୁକ୍ତ ହୋଇଥିଲା । ଇଭାନ୍ କିଭ୍ ନଗରୀ ରୁଷ୍ ସେନା ନିୟନ୍ତ୍ରଣରେ ଥିବା ବେଳେ ସୈନିକମାନେ ସେଠାକାର ମହିଳାଙ୍କୁ ଦୁଷ୍କର୍ମ କରୁଥିଲେ । ସେଠାକାର ଘରର ‘ବେସ୍‌ମେଣ୍ଟ୍‌’ରୁ ଯୁବତୀ ଓ ମହିଳାମାନଙ୍କୁ ତାଙ୍କ କେଶକୁ ଟାଣି ବାହାରକୁ ଅଣାଯାଉଥିଲା ବୋଲି ଡେପୁଟି ମେୟର କହିଛନ୍ତି ।

ଏଥିପାଇଁ କମ୍ ଆକର୍ଷଣୀୟ ଦେଖାଯିବା ପାଇଁ ମହିଳାମାନେ ନିଜ ନିଜ କେଶ କାଟୁଛନ୍ତି । ଫଳରେ କେହି ଆଉ ତାଙ୍କ ଆଡକୁ ଚାହିଁବେ ନାହିଁ ବୋଲି ସେ କହିଛନ୍ତି । ନିକଟବର୍ତ୍ତୀ ଗାଁରେ ଦୁଷ୍କର୍ମର ଶିକାର ହୋଇଥିବା ୧୫ ଓ ୧୬ ବର୍ଷୀୟ ୨ ଭଉଣୀଙ୍କ କଥା ମଧ୍ୟ ବଖାଣିଛନ୍ତି ଡେପୁଟି ମେୟର । ଏହା ବ୍ୟତୀତ ୟୁକ୍ରେନ ସାଂସଦ ଲେସିଆ ଭାସିଲେଙ୍କା ଅଭିଯୋଗ କରିଥିଲେ ଯେ, ରୁଷ ସୈନିକମାନେ ୧୦ ବର୍ଷୀୟ ଝିଅମାନଙ୍କ ସହିତ ଦୁଷ୍କର୍ମ କରିଛନ୍ତି ଓ ମହିଳାମାନଙ୍କ ଶବରେ ଗରମ ଲୁହା ରଡ୍‌ରେ ଚେଙ୍କ ଦେଇ ଚିହ୍ନ ତିଆରି କରିଛନ୍ତି । ଯାହାର ଫଟୋକୁ ମଧ୍ୟ ସେ ଟ୍ୱିଟ୍ କରି ଶେଆର କରିଥିଲେ ।