ଯୁଦ୍ଧ ବିଭୀଷିକା ଭିତରେ କିଭ୍‌ରେ ବ୍ରିଟେନ୍ ପ୍ରଧାନମନ୍ତ୍ରୀ

କିଭ୍ ୧୧।୦୪ : (ସଂକେତ ଟିଭି)ରୁଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଦୀର୍ଘ ଦେଢ଼ମାସରୁ ଊର୍ଦ୍ଧ୍ୱ ହେବ ଘମାଘୋଟ ଯୁଦ୍ଧ ଲାଗିରହିଛି । ଯଦିଓ ଏହି ଯୁଦ୍ଧରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ଘଟିଛି ତେବେ ଏଯାଏ ରୁଷ୍ ସେନା ୟୁକ୍ରେନ୍ ରାଜଧାନୀ କିଭ୍‌କୁ ଦଖଲ କରିବାରେ ସମର୍ଥ ହୋଇପାରିନାହିଁ । ତେଣୁ ରୁଷ୍ ସେନା ଏବେ କିଭ୍ ଛାଡ଼ି ଅନ୍ୟ ସହରମୁହାଁ ହୋଇଥିବା ଦେଖିବାକୁ ମିଳିଛି । ସେସବୁ ଭିତରେ ଅଚାନକ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ୟୁକ୍ରେନ ରାଜଧାନୀ କିଭ୍‌ରେ ପହଞ୍ଚିଛନ୍ତି । ତାଙ୍କ ସହ ୟୁକ୍ରେନ୍ ରାଷ୍ଟ୍ରତି ଜେଲେନସ୍କି ସାମିଲ ହୋଇ ରୁଷ୍ ଆକ୍ରମଣର ଧ୍ୱଂସଲୀଳା ଅନୁଭବ କରିଛନ୍ତି ।

ଜନଶୂନ୍ୟ କିଭ୍ ରାସ୍ତାରେ ଜନ୍‌ସନ ଚାଲିଚାଲି ବୁଲିବା ସହ ସ୍ଥାନୀୟ ଲୋକଙ୍କୁ ଭେଟି ଆଲୋଚନା ମଧ୍ୟ କରିଛନ୍ତି । ଏଥିସହ ୟୁକ୍ରେନ୍‌କୁ ସମସ୍ତ ପ୍ରକାର ସାମରିକ ଓ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ସେ ଜେଲନସ୍କିଙ୍କୁ ପ୍ରତିଶୃତି ଦେଇଛନ୍ତି । ୟୁକ୍ରେନ ସରକାରଙ୍କ ଦ୍ୱାରା ବୋରିସ ଜନସନଙ୍କ ଏଭଳି କିଭ୍ ରାସ୍ତାରେ ବୁଲିବା ଭିଡିଓ ସେୟାର କରାଯାଇଛି । କିଭ୍‌ର ମୁଖ୍ୟ ସଡ଼କରେ ଯିବାବେଳେ ସେ ପଥଚାରୀଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି ।

ତେବେ ବ୍ରିଟେନ୍ ପ୍ରଧାନମନ୍ତ୍ରୀଙ୍କୁ ଦେଖି ଜଣେ ପଥଚାରୀ ଭାବବିହ୍ୱଳ ହୋଇପଡ଼ିବା ସହ ଆମକୁ ଆପଣଙ୍କ ସହାୟତାର ଆବଶ୍ୟକତା ରହିଛି ବୋଲି କହିଛନ୍ତି । ଏହାର ଉତ୍ତରରେ ଜନ୍‌ସନ କହିଥିଲେ ଆପଣଙ୍କ ସହ ମିଶି ମୋତେ ବହୁତ ଭଲ ଲାଗିଲା । ୟୁକ୍ରେନ୍ ସହ ବ୍ରିଟେନ୍ ପୂର୍ବରୁ ରହିଛି ଓ ଆଗାମୀ ଦିନରେ ମଧ୍ୟ ରହି ସମସ୍ତ ସହାୟତା ଯୋଗାଇଦେବ । ସେ ଆହୁରି କହିଥିଲେ ଯେ ୟୁକ୍ରେନ୍‌କୁ ସହାୟତା କରିବାର ସୌଭାଗ୍ୟ ମୋତେ ମିଳିଛି । ଆପଣଙ୍କ ପାଖରେ ଜେଲେନସ୍କିଙ୍କ ଭଳି ଜଣେ ଭଲ ରାଷ୍ଟ୍ରପତି ରହିଛନ୍ତି । ୟୁକ୍ରେନ୍ ସେନା ରୁଷ୍ ସୈନ୍ୟବାହିନୀକୁ କିଭ୍ ଦ୍ୱାରା ଦେଶରୁ ଧକ୍କା ଦେଇ ବାହାର କରିବାରେ ସବୁଠୁ ବଡ଼ ସଫଳତା ହାସଲ କରିଛନ୍ତି ।

ସୂଚନାଯୋଗ୍ୟ ଯେ ଗତ ଫେବୃଆରୀ ୨୪ରୁ ରୁଷ୍ ଆକ୍ରମଣ କରିବା ପରଠାରୁ ୟୁକ୍ରେନ୍ ଗସ୍ତ କରିବାରେ ଜନ୍‌ସନ ହେଉଛନ୍ତି ପ୍ରଥମ ଜି-୭ ନେତା । ସେ ସାମରିକ ସହାୟତା ସହ ବିଶ୍ୱ ବ୍ୟାଙ୍କରୁ ଅତିରିକ୍ତ ୫୦୦ ନିୟୁତ ଡଲାର ଋଣ କରାଇଦେବାରେ ମଧ୍ୟ ଜେଲେନସ୍କିଙ୍କୁ ପ୍ରତିଶୃତି ଦେଇଛନ୍ତି । ଏଥିସହ ଯୁଦ୍ଧ ପାଇଁ ସମସ୍ତ ସହାୟତା ଯୋଗାଇଦେବେ ବୋଲି ସେ ଘୋଷଣା ମଧ୍ୟ କରିଛନ୍ତି । ସୂଚନାଯୋଗ୍ୟ ଯେ ୟୁକ୍ରେନ୍‌ରେ ରୁଷ୍‌ ସେନା ନରସଂହାର ଚଳାଇଥିବାବେଳେ ଏହାର ଅନୁଧ୍ୟାନ ପାଇଁ ବୋରିସ୍‌ ଆସିଥିବା କୁହାଯାଉଛି ।