ନେପାଳରେ ବି ବିଦେଶୀ ମୁଦ୍ରା ସଂକଟ

କାଠମାଣ୍ଡୁ ୧୧।୦୪ : (ସଂକେତ ଟିଭି) ଭାରତର ପଡୋଶୀ ଦେଶଙ୍କ ଅବସ୍ଥା ଏବେ ଶୋଚନୀୟ ହେବାରେ ଲାଗିଛି । ଶ୍ରୀଲଙ୍କା ବିଦେଶୀ ମୁଦ୍ରା ସଂକଟ ଯୋଗୁ ଅତ୍ୟାବଶକୀୟ ସାମଗ୍ରୀ ଆମଦାନୀ କରିପାରୁନଥିବା ବେଳେ ନେପାଳ ମଧ୍ୟ ସମାନ ପରିସ୍ଥିତିର ସମ୍ମୁଖୀନ ହୋଇଛି । ସେହିପରି ପାକିସ୍ତାନରେ ଏବେ ରାଜନୈତିକ ସଂକଟ ସମ୍ବିଧାନିକ ସଂକଟର କାରଣ ପାଲଟିଛି ।

ଏଥିରେ ବୈଦେଶିକ ମୁଦ୍ରା ସଂକଟ ଯୋଗୁ ନେପାଳର ଦେଉବା ସରକାର କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରଙ୍କୁ ଚାକିରୀରୁ ନିଲମ୍ବିତ କରିଛନ୍ତି । ଅର୍ଥବ୍ୟବସ୍ଥାକୁ ମାନ୍ଦାବସ୍ଥାରୁ ବାହାର କରି ନପାରିବା ଓ ଅସହମତି ଲାଗି ନେପାଳ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣର ମହାପ୍ରସାଦ ଅଧିକାରୀଙ୍କୁ ଅର୍ଥମନ୍ତ୍ରୀ ଜନାର୍ଦ୍ଦନ ଶର୍ମା ଚାକିରୀରୁ ନିଲମ୍ବନ କରିଛନ୍ତି । ତାଙ୍କ ସ୍ଥାନରେ ନିଲମ ଧୁଙ୍ଗାନା ତିମିଲସିନାଙ୍କୁ ଅସ୍ଥାୟୀ ଗଭର୍ଣ୍ଣର ନିଯୁକ୍ତ କରାଯାଇଛି ।

ସ୍ଥାନୀୟ ସମ୍ବାଦପତ୍ର ଅନୁସାରେ ନେପାଳ କେନ୍ଦ୍ରୀୟ ବ୍ୟାଙ୍କ (ଏନଆରବି)ଙ୍କ ଗଭର୍ଣ୍ଣରଙ୍କୁ ସରକାର ଶୁକ୍ରବାର ସୁପ୍ରିମକୋର୍ଟଙ୍କ ପୂର୍ବତନ ନ୍ୟାୟାଧୀଶ ପୁରୁଷୋତ୍ତମ ଭଣ୍ଡାରୀଙ୍କ ଅଧ୍ୟକ୍ଷତାରେ ଏକ ପ୍ୟାନେଲ ଗଠନ କରିବା ପରେ ନିଲମ୍ବିତ କରାଯାଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି.ଶର୍ମା ଓଲିଙ୍କ ସରକାରରେ ମହାପ୍ରସାଦ ଅଧିକାରୀଙ୍କୁ ଏନଆରବି ଗଭର୍ଣ୍ଣର ନିଯୁକ୍ତ କରାଯାଇଥିଲା । ଦେଶର ୧୭ତମ ଏନଆରବି ଗଭର୍ଣ୍ଣର ଭାବେ ଅଧିକାରୀ ନିଯୁକ୍ତ ହୋଇଥିଲେ ।

ଗତ ସପ୍ତାହରେ ଏନଆରବି ପେଟ୍ରୋଲିୟମର ଅଭାବ ଓ ବିଦେଶୀ ମୁଦ୍ରାଭଣ୍ଡାରରେ ହ୍ରାସର ବାହାନା କରି ବାହନ ଓ ଅନ୍ୟ ବିଳାଶମୟ ବସ୍ତୁର ଆମଦାନୀ ଉପରେ କଟକଣା ଲଗାଇବେ ବୋଲି ଘୋଷଣା କରିଥିଲେ । ୨୦୨୧ରେ ଆମଦାନୀ ବୃଦ୍ଧି ପାଇବା ଓ ପର୍ଯ୍ୟଟନ ଓ ରପ୍ତାନୀ ହ୍ରାସ ବିଦେଶୀ ମୁଦ୍ରାଭଣ୍ଡାରକୁ ପ୍ରଭାବିତ କରିଥିଲା ।