ଭୁବନେଶ୍ୱର ଏମ୍‌ସରେ ଡାକ୍ତର ଅଭାବ

ଭୁବନେଶ୍ବର ୧୧।୦୪ : (ସଂକେତ ଟିଭି) ଭୁବନେଶ୍ୱରରେ ଥିବା କେନ୍ଦ୍ର ସରକାରଙ୍କ ଅନ୍ୟତମ ଚିକିତ୍ସା ପ୍ରତିଷ୍ଠାନ ଏମ୍‌ସରେ ନିୟମିତ ନିର୍ଦ୍ଦେଶକ ସମେତ ପ୍ରାୟ ୧୦୦ ଡାକ୍ତର ପଦବୀ ଖାଲି ପଡିଛି । ଚିକିତ୍ସା, ଗବେଷଣା ଓ ଡାକ୍ତରୀ ପାଠପଢ଼ା ପାଇଁ ଭୁବନେଶ୍ୱର ଏମ୍‌ସ ଉପରେ ଯେଭଳି ଚାପ ବଢ଼ୁଛି ତାହାର ମୁକାବିଲା ଲାଗି ଆଉ ଅନୂ୍ୟନ ୩୦୦ ଡାକ୍ତର ଓ ଡାକ୍ତରୀ ଶିକ୍ଷକ ଏଠାରେ ନିଯୁକ୍ତ ହେବା କଥା । କିନ୍ତୁ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥନ୍ଥ ଏବଂ କାର୍ମିକ ମନ୍ତ୍ରାଳୟ ମଧ୍ୟରେ ସମନ୍ୱୟ ଅଭାବରୁ ଡାକ୍ତର ଅଭାବଜନିତ ସମସନ୍ଥା ଦିନକୁ ଦିନ ଏଠାରେ ଉତ୍କଟତର ହେବାରେ ଲାଗିଛି । ଭୁବନେଶ୍ୱର ଏମ୍‌ସରେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ନଥିବା ବେଳେ ବାଲେଶ୍ୱରସ୍ଥିତ ଏମ୍‌ସର ସାଟେଲାଇଟ କେନ୍ଦ୍ରରେ ୨ ମାସ ଭିତରେ ଚିକିତ୍ସା ସୁବିଧା ଉପଲବ୍ଧ ହେବ ବୋଲି କୁହାଯାଉଛି ।

ଏଥିଲାଗି ପ୍ରତି ସପ୍ତାହର ଶନିବାର ଓ ରବିବାରରେ ଭୁବନେଶ୍ୱର ଏମ୍‌ସର କିଛି ଡାକ୍ତର ଯାଇ ବାଲେଶ୍ୱରରେ ରୋଗୀ ଦେଖିବା ସହିତ ଆବଶ୍ୟକ ପରାମର୍ଶ ଦେବେ ବୋଲି ସୂଚନା ମିଳିଛି । ତେବେ ଅଧିକ ଡାକ୍ତର ପଦବୀରେ ନିଯୁକ୍ତି ନ ଦେଇ ଭୁବନେଶ୍ୱରରୁ ଡାକ୍ତରମାନଙ୍କୁ ସପ୍ତାହରେ ଦୁଇଦିନ ବାଲେଶ୍ୱରରେ ରହି କାମ କରାଇଲେ ଭୁବନେଶ୍ୱର ଏମ୍‌ସ ଉପରେ ରହିଥିବା ଚାପ ଢ଼େର ଅଧିକ ବଢ଼ିଯିବ ବୋଲି ଆଶଙ୍କା କରାଯାଉଛି ।

ବାଲେଶ୍ୱରସ୍ଥିତ ଏମ୍‌ସର ସାଟେଲାଇଟ କେନ୍ଦ୍ର ପାଇଁ ୨୪ଜଣ କନସଲା ଡାକ୍ତରଙ୍କୁ ଠିକା ନିଯୁକ୍ତିଦେବା ଲାଗି ପ୍ରସ୍ତାବ ରହିଛି । ଏହି ପ୍ରସ୍ତାବ ଏବେ କେନ୍ଦ୍ର ସରକାରଙ୍କ ବିଚାରାଧୀନ ଅଛି । ଯଦି କେନ୍ଦ୍ର ସରକାର ନିୟମିତ ଡାକ୍ତରୀ ଶିକ୍ଷକ ନିଯୁକ୍ତି ପରିବର୍ତ୍ତେ ଠିକାରେ କନସଲା ନିଯୁକ୍ତି ଲାଗି ଅନୁମତି ଦିଅନ୍ତି ତେବେ ଦୁଇମାସ ଭିତରେ ଏହି ସାଟେଲାଇଟ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇପାରିବ ।

ଭୁବନେଶ୍ୱର ଏମ୍‌ସରେ ଏବେ ଯେତିକି ବିଷୟ ରହିଛି ତାହା ପର୍ଯ୍ୟାପ୍ତ ନଥିବାରୁ ଡାକ୍ତରୀ ପାଠପଢ଼ା ତଥା ରୋଗୀଙ୍କ ଉନ୍ନମ ଚିକିତ୍ସା ଲାଗି ବାୟୋଟେକ୍ନୋଲୋଜି, ଇମ୍ୟୁନୋଜେନେଟିକ୍ସ ଆଦି ବିଭାଗ ଖୋଲିବାର ଆବଶନ୍ଥକତା ରହିଛି ବୋଲି ଏମ୍‌ସର ଅନେକ ଡାକ୍ତର ସ୍ୱୀକାର କରୁଛନ୍ତି । ଭୁବନେଶ୍ୱର ଏମସରେ ଏବେ ରୋଗୀ ଚିକିତ୍ସା କ୍ଷେତ୍ରରେ ସିନିୟର ରେସିଡେନ୍ସ ଡାକ୍ତରମାନେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି । ଅନେକ ବିଭାଗ ଲାଗି ପର୍ଯ୍ୟାପ୍ତ ସଂଖ୍ୟକ ସିନିୟର ରେସିଡେନ୍ସ ନାହାନ୍ତି ।

ଏହାସତ୍ବେ ବି ଏମ୍‌ସରେ ଡାକ୍ତରୀ ଶିକ୍ଷକମାନେ ସୀମିତ ସଂଖ୍ୟକ ଏସଆରଙ୍କ ସହଯୋଗରେ ଆଉଟଡୋର, ଏମରଜେନ୍ସିଠାରୁ ଆରମ୍ଭ କରି ଆଇସିୟୁ, ୱାର୍ଡ ଓ କ୍ୟାବିନ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନ ବୁଲି ରୋଗୀ ସେବା କରୁଛନ୍ତି । ଗୋଟିଏ ପଟେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତରୀ ଶିକ୍ଷକ ଅଭାବ ଯୋଗୁଁ ଭୁବନେଶ୍ୱର ଏମସରେ କାର୍ଯ୍ୟରତ ଡାକ୍ତରମାନଙ୍କ ଉପରେ ଅଧ୍ୟାପନା, ଗବେଷଣା, ରୋଗୀ ସେବା ଓ ପ୍ରଶାସନିକ କାର୍ଯ୍ୟର ଚାପ ବଢ଼ୁଛି ।

ଅନ୍ୟପଟେ ଦୁର୍ବଳ ଭିନ୍ନିଭୂମି ସତ୍ବେ କେନ୍ଦ୍ର ସରକାର ଏହାର ବାଲେଶ୍ୱରସ୍ଥିତ ସାଟେଲାଇଟ ସେଣ୍ଟରକୁ କାର୍ଯ୍ୟକାରୀ କରିବା ପାଇଁ ଅଣ୍ଟା ଭିଡିଥିବା ବେଳେ ସୁନ୍ଦରଗଡ ଏମ୍‌ସ କେବେ ସଂପୂର୍ଣ୍ଣ ହେବ ସେଥିଘେନି ପ୍ରଶ୍ନବାଚୀ ରହିଛି । ଓଡ଼ିଶା ସରକାର ଇତିମଧ୍ୟରେ କଟକ ଶ୍ରୀରାମଚନ୍ଦ୍ରଭଞ୍ଜ ମେଡିକାଲ କଲେଜ ଓ ହସପିଟାଲର ରୂପାନ୍ତରଣ କରି ଏହାକୁ ଏମ୍‌ସ ପ୍ଲସରେ ପରିଣତ କରିବାର ଯୋଜନା ରଖିଛନ୍ତି ।