ପୌରାଧ୍ୟକ୍ଷାଙ୍କ ଘର ବାହାରେ ବୋମାମାଡ଼, ୨ଜଣଙ୍କୁ ବାନ୍ଧିଲା ପୋଲିସ

ଢେଙ୍କାନାଳ ୧୧।୦୪ : (ସଂକେତ ଟିଭି) ଢେଙ୍କାନାଳ ପୌରାଧ୍ୟକ୍ଷାଙ୍କ ଘରେ ବୋମା ମାଡ଼ ଘଟଣାରେ ଟାଉନ୍‌ ଥାନା ପୋଲିସ ୨ଜଣଙ୍କୁ ଗିରଫ କରିଛି। ଢେଙ୍କାନାଳ ଜିଲ୍ଲା ଗଁଦିଆ ଆରଦା ଗାଁରୁ ଗିରଫ କରିଛି ପୋଲିସ । ଗିରଫ ଅଭିଯୁକ୍ତଙ୍କ ହେଲେ ପାଣ୍ଡେ ଓରଫ ବିଶ୍ୱଜିତ ବେହେରା ଓ ଟିଟୁ ସାହୁ ।

ସୂଚନା ଅନୁସାରେ, ଢେଙ୍କାନାଳ ମ୍ୟୁନିସିପାଲିଟିର ନବ ନିର୍ବାଚିତ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଙ୍କ ବାସଭବନ ବାହାରେ ଶନିବାର ବିଳମ୍ବିତ ରାତିରେ ବୋମାମାଡ଼ ହୋଇଥିବା ଟାଉନ୍ ଥାନାରେ ଅଭିଯୋଗ ହୋଇଥିଲା । ବୋମାମାଡ଼ରେ ଘର ପାଚେରିର କିଛି ଅଂଶ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି । ଦୁର୍ବୃତ୍ତମାନେ ଶ୍ରୀମତୀ ପାତ୍ରଙ୍କ ଘର ଫାଟକକୁ ଲକ୍ଷ୍ୟ କରି ବୋମାମାଡ଼ କରିଥିଲେ ।

ଶ୍ରୀମତୀ ପାତ୍ର କହିଛନ୍ତି ଯେ, ରାତି ପ୍ରାୟ ୧ଟା ୪୦ରେ ସେ ଶୋଇଥିବା ଅବସ୍ଥାରେ ବିସ୍ଫୋରଣ ଶବ୍ଦ ଶୁଣିଥିଲେ । ପରିବାର ଳୋକଙ୍କ ସହ ପଦାକୁ ଆସି ଦେଖିଲେ ଯେ ଚାରିଆଡ ଧୂଆଁମୟ ହୋଇଯାଇଛି । କିନ୍ତୁ ଏହି ବୋମାମାଡ଼ କିଏ କରିଛି ସେ ନେଇ ସେ କିଛି କହିପାରିବେ ନାହିଁ ବୋଲି କହିଥିଲେ ।

ସେ ଆହୁରି କହିଥିଲେ ଯେ, ମୁଁ ବିଜେପିର ହୋଇଥିବା ବେଳେ ବିଜେଡି କର୍ମୀମାନେ ଏହି ଅଘଟଣ ଘଟାଇଥିବା ସନ୍ଦେହ କରୁଛି । ଏ ନେଇ ଥାନାରେ ଏତଲା ଦିଆଯାଇଛି । ମୋ ଜୀବନ ପ୍ରତି ବି ଦ ରହିଥିବାରୁ ମୋତେ ସୁରକ୍ଷା ଯୋଗାଇ ଦିଆଯିବା ସହ ଘର ବାହାରେ ପୋଲିସ ମୁତୟନ କରାଯିବାକୁ ଦାବି କରିଛନ୍ତି । ପୌରାଧ୍ୟକ୍ଷା ହେବା ପରେ ମାର୍ଚ୍ଚ ୩୦ରେ ଘର ବାହାରେ କେତେକ ଦୁର୍ବୃତ୍ତ ଫାଙ୍କା ଗୁଳିଚାଳନା କରିଥିଲେ । ଏବେ ସେହିମାନେ ହିଁ ବୋମାମାଡ଼ କରିଥିବା ସେ କହିଛନ୍ତି ।