ଝାଡ଼ଖଣ୍ଡ ତ୍ରିକୂଟ ପର୍ବତ ‘ରୋପ୍‌ୱେ’ ଦୁର୍ଘଟଣା, ୨୦୦୦ ଫୁଟ୍ ଉପରେ ଫସିଲେ ୫୦ ପର୍ଯ୍ୟଟକ

ରାଞ୍ଚି ୧୧।୦୪ : (ସଂକେତ ଟିଭି) ଝାଡ଼ଖଣ୍ଡର ଦେଓଘର ଜିଲ୍ଲାସ୍ଥିତ ବାବା ବୈଦ୍ୟନାଥ ମନ୍ଦିର ନିକଟରେ ଥିବା ତ୍ରିକୂଟ ପର୍ବତରେ ଲାଗିଥିବା ‘ରୋପ୍‌ୱେ’ ଦୁର୍ଘଟଣାରେ ଦୁଇ ଜଣ ମହିଳାଙ୍କ ମୃତ୍ୟୁ ହୋଇଛି । ତେବେ ଏବେବି ଆହୁରି ୨୨ ପର୍ଯ୍ୟଟକ ୨୦୦୦ଫୁଟ ଉଚ୍ଚତାରେ ଫସି ରହିଛନ୍ତି । ବହୁ ପର୍ଯ୍ଯଟକ ଆହତ ହୋଇଛନ୍ତି ।

ରବିବାର ସନ୍ଧ୍ୟାରେ କେତେଗୁଡ଼ିଏ କେବୁଲ୍‌ କାର୍‌ ପରସ୍ପର ସହିତ ଧକ୍କା ଖାଇବାରୁ ଏହି ଦୁର୍ଘଟଣା ଘଟିଥିଲା ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି। ‌ ଦୀର୍ଘ ୨୦ ଘଣ୍ଟା ହେବ ୧୨ଟି କ୍ୟାବିନ୍‌ରେ (ରୋପ୍‌ୱେ କାର୍‌) ଫସି ରହିଥିବା ୪୮ଜଣ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ଲାଗି ଭାରତୀୟ ବାୟୁସେନାର ଦୁଇଟି ହେଲିକପ୍ଟର୍‌ ଅଭିଯାନ ଚଳାଇଛି। କିନ୍ତୁ ତାର ଯୋଗୁଁ ହେଲିକପ୍ଟରକୁ ଟ୍ରଲିରେ ପହଞ୍ଚିବା କଷ୍ଟକର ହୋଇପଡିଛି ।

ମହିଳା ଓ ପିଲାଙ୍କ ସମେତ ଫସିରହିଥିବା ଲୋକମାନଙ୍କୁ ଡ୍ରୋନ୍‌ ସହାୟତାରେ ଖାଦ୍ୟ ଓ ପାଣି ଯୋଗାଇ ଦିଆଯାଉଛି। ପ୍ରକୃତ କାରଣ ଜଣା ପଡ଼ି ନ ଥିଲେ ବି ବୈଷୟିକ ତ୍ରୁଟି ଯୋଗୁଁ କେବୁଲ୍‌ କାର୍‌ ଧକ୍କା ଖାଇଥିବା କଥା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା କଥା କୁହାଯାଉଛି । ଦୁର୍ଘଟଣା ପରେ ପରେ ‘ରୋପ୍‌ୱେ’ ମ୍ୟାନେଜର୍‌ ଓ ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରୁ ଖସି ପଳାଇଛନ୍ତି ।

ସୂଚନା ଥାଉକି, ରହିବାର ସନ୍ଧ୍ୟାରେ ଦେଓଘର ଠାରୁ ୨୨କିଲୋମିଟର ଦୂରରେ ଥିବା ତ୍ରିକୁଟ୍ ପର୍ବତରେ ଏହି ବଡ଼ ଦୁର୍ଘଟଣା ଘଟିଥିଲା । ରାମ ନବମୀ ଅବସରରେ ବହୁ ସଂଖ୍ୟାରେ ଆସିଥିବା ପର୍ଯ୍ୟଟକମାନେ ରୋପୱେରେ ଚଢି ରୋମାଞ୍ଚକର ମଜା ନେଉଥିଲେ । ଏହି ସମୟରେ ଦୁର୍ଘଟଣା ଘଟିଥିଲା । ପ୍ରାୟ ୫୦ଜଣଙ୍କୁ ୧୨ଟି ଟ୍ରଲିରେ ଉପରେ ଝୁଲି ରହିଥିଲେ । ଝାଡ଼ଖଣ୍ଡ ପର୍ଯ୍ୟଟନ ବିଭାଗ କହିଛି ଯେ, ତ୍ରିକୂଟ ‘ରୋପ୍‌ୱେ’ ହେଉଛି ଭାରତର ସର୍ବୋଚ୍ଚ ‘ରୋପ୍‌ୱେ’। ବାବା ବୈଦ୍ୟନାଥ ମନ୍ଦିର ଠାରୁ ପ୍ରାୟ ୨୦ କିଲୋମିଟର ଦୂରରେ ଅବସ୍ଥିତ ଏହି ‌‘ରୋପ୍‌ୱେ’ ପ୍ରାୟ ୭୬୬ ମିଟର୍‌ ଲମ୍ବ ହୋଇଥିବା ବେଳେ ପର୍ବତର ଉଚ୍ଚତା ୩୯୨ ମିଟର।