୨୦୦ରୁ ଅଧିକ ରନ୍ କଲେ ଚାପ ରହିବ ନାହିଁ: ରିଷଭ ପନ୍ତ

ନୂଆଦିଲ୍ଲୀ ୧୨।୦୪ : (ସଂକେତ ଟିଭି) ଦିଲ୍ଲୀ କ୍ୟାପିଟାଲ୍ସ ଫ୍ରାଞ୍ଚାଇଜ ଅଧିନାୟକ ରିଷଭ ପନ୍ତ କହିଛନ୍ତି ଯେ ଆଇପିଏଲର ଯେ କୌଣସି ମ୍ୟାଚରେ ୨୦୦ରୁ ଅଧିକ ରନ ସଂଗ୍ରହ କରିବା ଦଳ ଉପରେ କୌଣସି ଚାପ ରହିବ ନାହିଁ । ଏହା ସହିତ ପ୍ରତିପକ୍ଷ ଦଳକୁ ଚାଲେଞ୍ଜ କରିବା ମଧ୍ୟ ସହଜ ହେବ । କାରଣ ପଛରେ ବ୍ୟାଟିଂ କରି ୨୦୦ ରନ ସୀମାରେଖା ଅତିକ୍ରମ କରିବା ସବୁବେଳେ ସମ୍ଭବ ହୋଇ ନ ଥାଏ ।

ରବିବାର ମ୍ୟାଚରେ ଓପନର ପୃଥ୍ୱୀ ଶ ଓ ଡେଭିଡ ୱାର୍ଣ୍ଣରଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଆମେ ୨୧୫ ରନ କରିବା ପରେ ସମ୍ପୂର୍ଣ୍ଣ ଚାପ ମୁକ୍ତ ହୋଇ ଖେଳିଥିଲୁ । ତେଣୁ କୋଲକାତା ନାଇଟ ରାଇଡର୍ସ ପଛରେ ବ୍ୟାଟିଂ କରି ୨୧୬ ରନ କରିବା କଷ୍ଟକର ହୋଇ ପଡିଲା । ସବୁଠାରୁ ମୁଖ୍ୟ ସମସ୍ୟା ହେଲା ଯେ ୨୦୦ରୁ ଉର୍ଦ୍ଧ୍ୱ ରନ ଟାର୍ଗେଟ ପିଛା କରିବା ବେଳେ ଲଗାତର ୱିକେଟ ପତନ ହେଲେ ବିଜୟୀ ହେବା କଷ୍ଟକର ହୋଇ ପଡିବ ।

ତେଣୁ କୋଲକାତା ନାଇଟ ରାଇହର୍ସ ୪୪ ରନ ଦୂରରେ ରହି ଅଲଆଉଟ ହୋଇଗଲା । ଅବଶ୍ୟ ସ୍ପିନର କୁଳଦୀପ ଯାଦବଙ୍କ ୪ ୱିକେଟ ଦଖଲ ଆମ ପାଇଁ ବିଜୟ ସୁଯୋଗ ସୃଷ୍ଟି କରିଥିଲା । ପୂର୍ବରୁ ଆମେ ଗୋଟିଏ ବିଜୟ ହାସଲ କରି ଥିବାରୁ ଏହି ମ୍ୟାଚରେ ବିଜୟୀ ହେବା ଅତି ଜରୁରି ଥିଲା । ଏହି ବିଜୟ ଆମ ମନବଳକୁ ଦ୍ୱିଗୁଣିତ କରିଛି । ତେଣୁ ଆଗାମୀ ମ୍ୟାଚରେ ସଫଳ ହେବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ନଚେତ ଆଇପିଏଲରେ ତିଷ୍ଠି ରହିବା ମୁସ୍କିଲ ହୋଇ ପଡିବ ବୋଲି ପନ୍ତ କହିଛନ୍ତି ।