ପାଞ୍ଚୋଟି ଭାଷାରେ ନିର୍ମିତ ହେବ ଫିଲ୍ମ ‘ବ୍ରହ୍ମାସ୍ତ୍ର’

ମୁମ୍ବାଇ ୧୨।୦୪ : (ସଂକେତ ଟିଭି) ଆଲିଆ ଭଟ୍ଟ, ରଣବୀର କପୁର ଓ ଅୟାନ୍ ମୁଖାର୍ଜୀଙ୍କ ଅଭିନୀତ ନୂଆ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର: ଭାଗ ଏକ- ଶିବ’ର ଏକ ଟିଜର୍ ପ୍ରଯୋଜନା ସଂସ୍ଥା ତରଫରୁ ଲୋକାର୍ପିତ ହୋଇଛି ।

‘ବ୍ରହ୍ମାସ୍ତ୍ର’ର ଟିମ୍ ଚଳିତ ମାସ ବାରାଣସୀଠାରେ ଉକ୍ତ ଚଳଚ୍ଚିତ୍ରର ଶେଷ ଭାଗର ସୁଟିଂ ପାଇଁ ଏକାଠି ହେଇଥିଲେ । ଏଠାରେ ଗଙ୍ଗା ନଦୀ ଘାଟରେ ଏକ ଗୀତଦୃଶ୍ୟର ସୁଟିଂ ହେଇଥିଲା । ଚଳଚ୍ଚିତ୍ରର ସୁଟିଂ ଶେଷ ହେବା ପରେ ସୋସିଆଲ୍ ମିଡିଆରେ ଏହାର ଶେଷ ଦୃଶ୍ୟର ଦୁଇଟି ଫଟୋ ପୋଷ୍ଟ କରାଯାଇଛି । ଏହି ଫଟୋରେ ଆଲିଆ, ରଣବୀର ଓ ଅୟାନ୍ ସାଦା ପୋଷାକରେ ଏକ ମନ୍ଦିର ପରିଦର୍ଶନ କରିଛନ୍ତି ।

ଆଉ ଏକ ଫଟୋରେ ଦେଖିବାକୁ ମିଳିଛି ସେମାନେ ଗଙ୍ଗା ନଦୀରେ ଏକ ଡଙ୍ଗା ଉପରେ ବସି ନଦୀର ଆରପାଖ ଘାଟ ଆଡ଼କୁ ଯାଉଛନ୍ତି । ଅୟାନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶନାରେ ରଣବୀରଙ୍କ ପାଇଁ ଏହା ହେଉଛି ତୃତୀୟ ସିନେମା ଏବଂ ରଣବୀର ଓ ଆଲିଆଙ୍କ ପାଇଁ ଏହା ହେଉଛି ପ୍ରଥମ ଚଳଚ୍ଚିତ୍ର । ଚଳିତ ବର୍ଷ ସେପ୍ଟେମ୍ବର ୯ରେ ଏହା ମୁକ୍ତିଲାଭ କରିବାକୁ ଧାର୍ଯ୍ୟ କରାଯାଇଛି ।

ଫକ୍ସ ଷ୍ଟାର୍ ଷ୍ଟୁଡିଓଜ୍‌, ଧର୍ମା ପ୍ରଡକ୍ସନ୍‌ସ, ପ୍ରାଇମ୍ ଫୋକସ୍ ଓ ଷ୍ଟାରଲାଇଟ୍‌ର ମିଳିତ ସହଯୋଗରେ ନିର୍ମାଣ ହେଇଥିବା ଏଇ ଫିଲ୍ମଟିକୁ ହିନ୍ଦୀ, ତାମିଲ, ତେଲୁଗୁ, ମାଲୟାଲମ୍ ଓ କନ୍ନଡ଼ ଭାଷାରେ ଦର୍ଶକ ଦେଖିବାକୁ ପାଇବେ । ଏଥିରେ ଅମିତାଭ ବଚ୍ଚନ, ମୌନୀ ରାୟ ଏବଂ ନାଗାର୍ଜୁନ ପ୍ରମୁଖଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ ।