ନୂଆ କୃଷି ନୀତି ନଆଣିଲେ ମୋଦି ସରକାରକୁ କ୍ଷମତାରୁ ହଟାଇଦେବୁ : କେସିଆର୍

ହାଇଦ୍ରାବାଦ୍ ୧୨।୦୪ : (ସଂକେତ ଟିଭି) କୃଷକ ଓ କୃଷି ପ୍ରସଙ୍ଗକୁ ନେଇ ପୁଣି ରାଜନୀତି ତେଜିବା ଆରମ୍ଭ କରିଛି । କେନ୍ଦ୍ର ଆଣିଥିବା ନୂଆ କୃଷି ଆଇନକୁ ପ୍ରତ୍ୟାହାର କରାଯିବା ନେଇ ଏବେ କେନ୍ଦ୍ରକୁ ବଡ଼ ଆହ୍ୱାନ ଦେଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ) ମୁଖ୍ୟ କେ ଚନ୍ଦ୍ରଶେଖର ରାଓ ।

କେନ୍ଦ୍ରରେ ସରକାରଙ୍କୁ ଖୋଲାଖୋଲି ଭାବେ ଆହ୍ୱାନ ଦେଇ ସେ କହିଛନ୍ତି ଯେ ଶୀଘ୍ର ଏକ ନୂତନ କୃଷି ନୀତି ଆଣ । ନଚେତ ଆମେ ଆପଣଙ୍କୁ କ୍ଷମତାରୁ ହଟାଇ ଦେବୁ । ଚାଉଳ କ୍ରୟ ପ୍ରସଙ୍ଗରେ ନୂଆଦିଲ୍ଲୀରେ ଦଳୀୟ ନେତାଙ୍କ ସହ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଏଭଳି କହିଛନ୍ତି କେସିଆର ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, କୃଷକମାନେ ଭିକ ମାଗୁନାହାଁନ୍ତି ବରଂ ନିଜ ଅଧିକାର ମାଗୁଛନ୍ତି । ଏକ ନୂତନ କୃଷି ନୀତି ପ୍ରସ୍ତୁତ କରନ୍ତୁ ନଚେତ୍‌ ଆମେ ଆପଣଙ୍କୁ କ୍ଷମତାରୁ ହଟାଇଦେବୁ । ଆମେ ଏତେ ଦୁର୍ବଳ ନୁହଁ କି କୃଷକଙ୍କୁ ଗଙ୍ଗାକୁ ଠେଲିଦେବୁ । ନୂତନ କୃଷି ନୀତି ଆଣିବା ପାଇଁ ସରକାରଙ୍କ ପାଖରେ ଟଙ୍କା ନାହିଁ କି ମୋଦୀ ସରକାରଙ୍କ ଇଚ୍ଛା ନାହିଁ । କୃଷକଙ୍କୁ ସମର୍ଥନ କରୁନଥିବା ପ୍ରଧାନମନ୍ତ୍ରୀଙ୍କୁ ଲାଜ ଲାଗିବା କଥା । ଯଦି ପ୍ରଧାନମନ୍ତ୍ରୀଙ୍କର ସାହସ ଅଛି ତେବେ ମୋତେ ଗିରଫ କରି ଦେଖାନ୍ତୁ । କାରଣ ଯିଏ ସେମାନଙ୍କ ବିରୋଧରେ କହିବାକୁ ଚେଷ୍ଟା କରେ, ପ୍ରଧାନମନ୍ତ୍ରୀ ସେମାନଙ୍କ ପଛରେ ସିବିଆଇ ଏବଂ ଇଡିକୁ ଲଗାଇ ଦିଅନ୍ତି ।