ଶ୍ରୀଲଙ୍କା ଖେଳାଳିଙ୍କୁ ଅର୍ଜୁନ ରଣତୁଙ୍ଗାଙ୍କ ପରାମର୍ଶ, ଆଇପିଏଲ ଛାଡ ଓ ନିଜ ଦେଶକୁ ସମର୍ଥନ କର

କଲୋମ୍ବୋ ୧୩।୦୪ : (ସଂକେତ ଟିଭି) ବଡ ଆର୍ଥିକ ସଙ୍କଟ ଦେଇ ଗତି କରୁଛି ଶ୍ରୀଲଙ୍କା ।ଆଇପିଏଲରେ ବ୍ୟସ୍ତ କୁମାର ସାଙ୍ଗାକାରା, ମୋହେଲ ଜୟବର୍ଦ୍ଧନେ ଏବଂ ଭାନୁକା ରାଜପକ୍ଷେ ଶ୍ରୀଲଙ୍କା ସମର୍ଥନରେ ଆଗେଇ ଆସିଛନ୍ତି । ଏହା ମଧ୍ୟରେ ଶ୍ରୀଲଙ୍କାର ପୂର୍ବତନ କ୍ରିକେଟ୍‌ ଖେଳାଳି ତଥା ମନ୍ତ୍ରୀ ଅର୍ଜୁନ ରଣତୁଙ୍ଗା ଆଇପିଏଲ ଖେଳୁଥିବା ସମସ୍ତ ଶ୍ରୀଲଙ୍କା ଖେଳାଳିଙ୍କୁ ଆଗକୁ ଆସି ଏହି ମୁସ୍କିଲ ସମୟରେ ନିଜ ଦେଶକୁ ସମର୍ଥନ କରିବାକୁ କହିଛନ୍ତି ।

ସେ କହିଛନ୍ତି କିଛି କ୍ରିକେଟର ଆଇପିଏଲରେ ଦମଦାର ପ୍ରଦର୍ଶନ କରୁଛନ୍ତି, ମାତ୍ର ନିଜ ଦେଶ ବିଷୟରେ ମୁହଁ ଖୋଲୁ ନାହାନ୍ତି । ଦୁର୍ଭାଗ୍ୟରୁ ଲୋକେ ସରକାରଙ୍କ ବିରୋଧରେ ମୁହଁ ଖୋଲିବାକୁ ଭୟ କରୁଛନ୍ତି । କ୍ରିକେଟ୍ ମନ୍ତ୍ରଣାଳୟ ଆଧାରରେ କ୍ରିକେଟ୍ ବୋର୍ଡ ପାଇଁ କାମ କରୁଛନ୍ତି ଏବଂ ନିଜ ଚାକିରି ବଞ୍ଚାଇବାକୁ ଉଦ୍ୟମ କରୁଛନ୍ତି କ୍ରିକେଟର । ମାତ୍ର ଏବେ ସେମାନଙ୍କୁ ଗୋଟିଏ ପାଦ ଆଗକୁ ବଢିବାକୁ ପଡିବ, କାରଣ କିଛି ଯୁବ କ୍ରିକେଟର ଆଗକୁ ଆସିଛନ୍ତି ଏବଂ ବିରୋଧ ସମର୍ଥନରେ ବୟାନ ମଧ୍ୟ ଦେଇଛନ୍ତି ।

ସେ କହିଛନ୍ତି, ଯେଉଁ ସମୟରେ ସବୁ କିଛି ଭୁଲ୍ ହେଉଛି, ସେହି ସମୟରେ ଆପଣଙ୍କୁ ନିଜର ବିଜନେସ୍ କଥା ଚିନ୍ତା ନକରି ଆଗକୁ ଆସି ମୁହଁ ଖୋଲିବାକୁ ସାହାସ ଦେଖାଇବାକୁ ପଡିବ । ରଣତୁଙ୍ଗା କହିଛନ୍ତି, ଲୋକେ ତାଙ୍କୁ ପ୍ରଶ୍ନ କରୁଛନ୍ତି ଯେ, ମୁଁ କାହିଁକି ବିରୋଧ ପ୍ରଦର୍ଶନରେ ସାମିଲ୍ ହେଉ ନାହିଁ । କଥା ଏହା ଯେ, ମୁଁ ଗତ ୧୯ ବର୍ଷ ଧରି ରାଜନୀତିରେ ଅଛି ଏବଂ ଏହା କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ । ଏର୍ଯ୍ୟନ୍ତ କୌଣସି ଦଳ କିମ୍ବା ରାଜନେତା ବିରୋଧ ପ୍ରଦର୍ଶନରେ ସାମିଲ୍ ହୋଇ ନାହାନ୍ତି । ଏହା ହିଁ ଏହି ଦେଶବାସୀଙ୍କ ସବୁଠୁ ବଡ ଶକ୍ତି । ଶ୍ରୀଲଙ୍କା ସଂପ୍ରତି ସବୁଠୁ ବଡ ଆର୍ଥିକ ସଙ୍କଟ ଦେଇ ଗତି କରୁଛି । ଅତ୍ୟାବଶ୍ୟକ ସାମଗ୍ରୀର ଘୋର ଅଭାବ ଦେଖା ଦେଇଛି । ଲୋକେ ସରକାରଙ୍କ ବିରୋଧରେ ସଡକକୁ ଓହ୍ଲାଇ ବିରୋଧ ପ୍ରଦର୍ଶନ କରୁଛନ୍ତି ।