୧୭ ଜିଲ୍ଲାରେ ମେ ପହିଲାରୁ ରବି ଧାନ ସଂଗ୍ରହ

ଭୁବନେଶ୍ବର ୧୩।୦୪ : (ସଂକେତ ଟିଭି) ଚଳିତ ରବି ଧାନ ସଂଗ୍ରହ କାର୍ଯ୍ୟ ୧୭ ଜିଲ୍ଲାରେ ମେ’ ପହିଲାରୁ ଆରମ୍ଭ ହେବ । ପଡ଼ୋଶୀ ରାଜ୍ୟର ଅନଧିକୃତ ଧାନ ଯେପରି ମଣ୍ଡିରେ ପ୍ରବେଶ କରିନପାରିବ ସେଥିନିମନ୍ତେ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ସବୁ ଜିଲ୍ଲାରେ ସ୍ଥୀରିକୃତ ମଣ୍ଡିରେ ପଞ୍ଜୀକୃତ ଓ ଯାଞ୍ଚ ହୋଇଥିବା ପ୍ରକୃତ ଚାଷୀ ଯେପରି ରବିଧାନ ବିକି୍ର କରି ସର୍ବନିମ୍ନ ସହାୟକ ମୂଲ୍ୟ ପାଇପାରିବେ, ସେଥିଲାଗି କ୍ଷେତ୍ର ଅଧିକାରୀମାନେ ସତର୍କ ଦୃଷ୍ଟି ରଖିବା ସହ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ନିୟମିତ ଯାଞ୍ଚ କରିବା ପାଇଁ ଜିଲ୍ଲା ଓ ସବ୍‌ଡିଭିଜନ ସ୍ତରରେ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରାଯିବ । ଏହି ମର୍ମରେ ଧାନ ସଂଗ୍ରହ ହେଉଥିବା ୧୭ ଜିଲ୍ଲାର ଜିଲ୍ଲାପାଳ ଓ ପୋଲିସ ମହାନିର୍ଦ୍ଦେଶକଙ୍କୁ ପତ୍ର ଲେଖାଯାଇ ଅନଧିକୃତ ଧାନ ଚାଲାଣ ରୋକିବା ପାଇଁ କଡ଼ାକଡ଼ି ପଦକ୍ଷେପ ନେବାଲାଗି କୁହାଯାଇଛି । ଚଳିତ ରବିଧାନ କେବଳ ୧୭ ଜିଲ୍ଲାର ପଞ୍ଜୀକୃତ ଓ ଯାଞ୍ଚ ହୋଇଥିବା ଚାଷୀଙ୍କ ଠାରୁ ପି.-ପାସ୍‌, ଆଗୁଆ ଟୋକନ ପ୍ରଦାନ ମାଧ୍ୟମରେ ସଂଗ୍ରହ ହେବ । ବାଲେଶ୍ୱର, ବରଗଡ଼, ବଲାଙ୍ଗିର, ବୌଦ୍ଧ, କଟକ, ଯାଜପୁର, ଝାରସୁଗୁଡ଼ା, କଳହାଣ୍ଡି, ଖୋର୍ଦ୍ଧା, କୋରାପୁଟ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଓ ସୁବର୍ଣ୍ଣପୁର ଜିଲ୍ଲାରେ ସର୍ବନିମ୍ନ ସହାୟକ ମୂଲ୍ୟରେ ରବି ଧାନ ସ୍ଥିରୀକୃତ ମଣ୍ଡିରେ ସଂଗ୍ରହ ହେବ ।

ପଡ଼ୋଶୀ ଛତିଶଗଡ଼ ଓ ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ଅସାଧୁ ବ୍ୟବସାୟୀ କିମ୍ବା ଲୋକଙ୍କ ଦ୍ୱାରା ଅନଧିକୃତ ଧାନ ମଣ୍ଡିରେ ବିକ୍ରି ହେବାର ଆଶଙ୍କା ରହିଛି । ଏହାଦ୍ୱାରା ଉକ୍ତ ଜିଲ୍ଲାର ଚାଷୀମାନଙ୍କ ସର୍ବନିମ୍ନ ସହାୟକ ମୂଲ୍ୟରେ ଧାନ ବିକି୍ର କରିବାରୁ ବଞ୍ଚିତ ହୋଇପାରନ୍ତି । ପ୍ରଶାସନ ଦ୍ୱାରା ନିୟମିତ କଡ଼ାକଡ଼ି ଯାଞ୍ଚ କରି ଅନଧିକୃତ ଧାନ ପ୍ରବେଶକୁ ରୋକିବା ପାଇଁ କୁହାଯାଇଛି । ବେଆଇନ ଧାନ କାରବାରରେ ଲିପ୍ତ ଅସାଧୁ ବ୍ୟବସାୟୀ, ମିଲର ଓ ବ୍ୟକ୍ତିବିଶେଷଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । କୌଣସି ଗାଡ଼ି ଅନଧିକୃତ ଧାନ ପରିବହନରେ ବ୍ୟବହୃତ ହେଉଥିବା ଧରାପଡ଼ିଲେ ସେହି ଗାଡ଼ିକୁ ଆବଶ୍ୟକ ସ୍ଥଳେ ରବିଧାନ ସଂଗ୍ରହ କାର୍ଯ୍ୟ ନରସିବା ପର୍ଯ୍ୟନ୍ତ ନଛାଡ଼ିବା ଲାଗି ପରାମର୍ଶ ଦିଆଯାଇଛି ।