କାଶ୍ମୀର ପ୍ରସଙ୍ଗକୁ ଛାଡ଼ି ପାକିସ୍ତାନରେ ନେତା ତିଷ୍ଠିବା ଅସମ୍ଭବ: ଶାହାବାଜ

ଇସଲାମାବାଦ୍ ୧୩।୦୪ : (ସଂକେତ ଟିଭି) ପାକିସ୍ତାନ ନୂଆ ପ୍ରଧାନମନ୍ତ୍ରୀ ହେଲେ ଶାହବାଜ ସରିଫ । ତେବେ ପ୍ରଧାନମନ୍ତ୍ରୀ ହେବାପରେ ଶାହାବାଜ୍ ଏକ ବଡ଼ ଖୁଲାସା କରିଛିନ୍ତି । ସେ କହିଛନ୍ତି କାଶ୍ମୀର ପ୍ରସଙ୍ଗକୁ ଛାଡି ପାକିସ୍ତାନରେ କୌଣସି ନେତା ତିଷ୍ଠିବା ଯେମିତି ସମ୍ଭବ ନୁହେଁ । ଆଉ ସେଥିପାଇଁ ପାକିସ୍ତାନର ୨୩ତମ ପ୍ରଧାନମନ୍ତ୍ରୀ ଭାବେ ନିର୍ବାଚିତ ହେବା ପରେ ଶାହବାଜ ସରିଫ, ନ୍ୟାସନାଲ ଆସେମ୍ବଲିକୁ ସମ୍ବୋଧନ ବେଳେ କାଶ୍ମୀର କଥା ଉଠାଇଛନ୍ତି ।

ନବନିର୍ବାଚିତ ପ୍ରଧାନମନ୍ତ୍ରୀ ନିଜର ପ୍ରଥମ ଅଭିଭାଷଣରେ କହିଛନ୍ତି ଯେ, କାଶ୍ମୀର ସମସ୍ୟାର ସମାଧାନ ନହେଲେ ଭାରତ ସହିତ ସଂପର୍କରେ ସୁଧାର ଆସିପାରିବ ନାହିଁ । ଏହାକୁ ଟେବୁଲ ବାଡେଇ ସମର୍ଥନ କରିଥିଲେ ପାକିସ୍ତାନ ସଂସଦରେ ଉପସ୍ଥିତ ଥିବା ପିଏମଏଲ-ଏନର ସମସ୍ତ ସାଂସଦ । ୨୦୧୮ରେ ଇମ୍ରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାପରେ ମଧ୍ୟ ସମାନ ଢଙ୍ଗରେ କାଶ୍ମୀର କଥା ଉଠାଇ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । କାରଣ ସେଠାକାର ନେତା ଭଲଭାବେ ଜାଣନ୍ତି ଯେ, କାଶ୍ମୀର ପ୍ରସଙ୍ଗରେ ନକହିଲେ ପାକିସ୍ତାନରେ ଲୋକଙ୍କ ସମର୍ଥନ ମିଳିବା ଅସମ୍ଭବ । ଆଉ ସେଥିପାଇଁ ଅଯଥାରେ ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗରେ ବାରମ୍ବାର ଟିପ୍ପଣୀ କରିଆସୁଛନ୍ତି ପାକିସ୍ତାନର ସର୍ବୋଚ୍ଚ ନେତା ।

ସେହିପରି ଚୀନର ଗୋଡାଣିଆ ହୋଇ ଦେବାଳିଆ ହୋଇପଡିଥିବା ପାକିସ୍ତାନ ତାର ଚାଇନା ପ୍ରିତି ଛାଡିପାରି ନାହିଁ ।ନିଜର ପ୍ରଥମ ଅଭିଭାଷଣରେ ପାକିସ୍ତାନର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ, ଚୀନକୁ ପାକିସ୍ତାନର ବନ୍ଧୁ ରାଷ୍ଟ୍ର କହି ପ୍ରଶଂସାରେ ପୋତି ପକାଇଛନ୍ତି ।