ଶସ୍ତା ହୋଇପାରେ ପେଟ୍ରୋଲ ଓ ଡିଜେଲ

ନୂଆଦିଲ୍ଲୀ ୧୩।୦୪ : (ସଂକେତ ଟିଭି) ଉଚ୍ଚ ମୁଦ୍ରାସ୍ପିତି ଏବେ ମୂଲ୍ୟବୃଦ୍ଧିର କାରଣ ପାଲଟିଛି । ଡିଜେଲ ମହଙ୍ଗା ହେବା ଯୋଗୁ ପରିବହନ ମହଙ୍ଗା ହୋଇଥିବା ବେଳେ ମୂଲ୍ୟ ବୃଦ୍ଧିକୁ ତେଜିଛି । ଏଥିରେ ଖୁବ୍‌ ଶୀଘ୍ର ଖୁସିଖବର ମିଳିପାରେ ବୋଲି ଆଶା କରାଯାଉଛି । କେନ୍ଦ୍ରର ମୋଦି ସରକାର ପେଟ୍ରୋଲ ଓ ଡିଜେଲ ଦର ନିୟନ୍ତ୍ରଣ ପାଇଁ ଏବେ ଆକ୍ସନ ମୋଡକୁ ଆସିଛନ୍ତି । ତୈଳ ଉପରେ ଲାଗୁ ହେଉଥିବା ଏକ୍ସାଇଜ ଡ୍ୟୁଟି ନେଇ କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କ ସହ ଆଲୋଚନା ଆରମ୍ଭ କରିଛନ୍ତି । ଯଦି ଅର୍ଥମନ୍ତ୍ରାଳୟଙ୍କ ସହ ଆଲୋଚନା ସଫଳ ହୁଏ ତେବେ ପେଟ୍ରୋଲ ଓ ଡିଜେଲ ଦରରେ ତତ୍କାଳ ହ୍ରାସ ହେବା ସହ ଗ୍ରାହକ ଆଶ୍ୱସ୍ତ ହେବେ ।

ଉଲ୍ଲେଖଯୋଗ୍ୟ ଯେ ଏହା ପୂର୍ବରୁ ଗତ ନଭେମ୍ବର ମାସରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରେ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଥିଲେ । ଫଳରେ ସାରା ଦେଶରେ ବଢ଼ି ବଢ଼ି ଚାଲିଥିବା ତୈଳ ଦର ନିୟନ୍ତ୍ରିତ ହୋଇଥିବା ବେଳେ ରାଜ୍ୟ ସରକାରମାନେ ଭାଟ ଶୁଳ୍କରେ ରିହାତି ଦେଇ ପରିସ୍ଥିତି ସୁଧାରିବାରେ ସହାୟକ ହୋଇଥିଲେ । ନଭେମ୍ବର ୨୦୨୧ରେ କେନ୍ଦ୍ର ସରକାର ପେଟ୍ରୋଲ ଲିଟର ପିଛା ୫ ଟଙ୍କା ଓ ଡିଜେଲରେ ୧୦ ଟଙ୍କା ପର୍ଯ୍ୟନ୍ତ ଏକ୍ସାଇଜ ଡ୍ୟୁଟି ହ୍ରାସ କରିଥିଲେ । ଏହି ପଦକ୍ଷେପ ପରେ ଦେଶରେ ପେଟ୍ରୋଲ ଓ ଡିଜେଲ ଲିଟରପିଛା ୧୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇପାରିଥିଲା ।

ତେବେ ସରକାର ଗୋଟିଏ ପଟେ ପେଟ୍ରୋଲ ଓ ଡିଜେଲ ମୂଲ୍ ହ୍ରାସ ଲାଗି ଅଣ୍ଟା ଭିଡିଥିବା ବେଳେ କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ଦର ପୁଣି ବଢ଼ିବ ବୋଲି ଆଶଙ୍କା କରାଯାଉଛି । ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ସରକାର ବଜାରରେ ଏଲପିଜି ଦର ଉପରେ ନଜର ରଖି ରହିଛନ୍ତି । ଯଦି ମୂଲ୍ୟବୃଦ୍ଧି ହୁଏ କେତେ ବଢିବ ସେ ନେଇ ସ୍ପଷ୍ଟ ସୂଚନା ମିଳି ନାହିଁ ।