ଚେନ୍ନାଇ ସୁପର କିଙ୍ଗସକୁ ଝଟ୍‌କା, ଦାମୀ ଦୀପକ ଆଇପିଏଲରୁ ଆଉଟ

ମୁମ୍ବାଇ ୧୩।୦୪ : (ସଂକେତ ଟିଭି) ଚଳିତ ଆଇପିଏଲରେ ଏଯାଏ ନୈରାଶ୍ୟଜନକ ପ୍ରଦର୍ଶନ କରିଥିବା ଡିଫେଣ୍ଡିଂ ଚାମ୍ପିୟନ ଚେନ୍ନାଇ ସୁପର କିଙ୍ଗସକୁ ବହୁତ ବଡ଼ ଝଟକା ଲାଗିଛି । କାରଣ ମେଗା ନିଲାମ ବେଳେ ଦଳ ୧୪ କୋଟି ଟଙ୍କାରେ କିଣିଥିବା ଦ୍ରୁତ ବୋଲର ଦୀପକ ଚହର ପୂରା ଆଇପିଏଲରୁ ବାଦ ପଡ଼ିଛନ୍ତି । ଆହତ ସମସ୍ୟା ଯୋଗୁ ସେ ଆଇପିଏଲ ଆରମ୍ଭରୁ ମଧ୍ୟ ଚେନ୍ନାଇ ପାଇଁ ଖେଳି ନଥିଲେ । ଏବେ ସେ ପିଠିରେ ଯନ୍ତ୍ରଣା ଅନୁଭବ କରିବାରୁ ପୂରା ଆଇପିଏଲ ଖେଳିବାକୁ ବଞ୍ଚିତ ହୋଇଛନ୍ତି ।

ଦଳରେ ଷ୍ଟ୍ରାଇକ ବୋଲର ଦୀପକ ଚହର ନଥିବାରୁ ଚେନ୍ନାଇ ଅନଭିଜ୍ଞ ଦ୍ରୁତ ବୋଲିଂ କମ୍ବିନେସନ ସହ ବାଧ୍ୟ ହୋଇ ପଡ଼ିଆକୁ ଓହ୍ଲାଉଛୁ । ତେବେ ଏପ୍ରିଲ ୨ ସପ୍ତାହ ବେଳକୁ ଚହର ଦଳକୁ ଫେରିବେ ଓ ଏହାପରେ ଚେନ୍ନାଇ ୱିନିଂ ଟ୍ରାକକୁ କମବ୍ୟାକ୍ କରିବ ବୋଲି ସମସ୍ତେ ଆଶା ରଖିଥିଲେ । ହେଲେ ଏବେ ବ୍ୟାକ ଇଞ୍ଜୁରୀ ସବୁ ଆଶାରେ ପାଣି ପକାଇ ଦେଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଆହତ ସମସ୍ୟା ଦେଇ ଗତି କରୁଥିବା ଚହର ଏବେ ବେଙ୍ଗାଲୁରୁରେ ଥିବା ନ୍ୟାଶନାଲ କ୍ରିକେଟ ଏକାଡେମୀ(ଏନସିଏ)ର ରିହାବରେ ଅଛନ୍ତି । ଏଠାରେ ଅଭ୍ୟାସ କରୁଥିବା ବେଳେ ସେ ବ୍ୟାକ ଇଞ୍ଜୁରୀର ସମ୍ମୁଖୀନ ହୋଇଛନ୍ତି । ଫେବୃଆରୀ ମାସରେ ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ବେଳେ ଚହର କ୍ୱାଡ୍ରିସେପ୍ ଟିଅରର ସମସ୍ୟାରେ ପଡ଼ିଥିଲେ । ସେବେଠାରୁ ସେ ଏନସିଏରେ ରହିଥିଲେ ।

କୁହାଯାଉଥିଲା ଯେ ଏପ୍ରିଲ ୨ ସପ୍ତାହ ବେଳକୁ ସେ ସୁସ୍ଥ ହୋଇ ଆଇପିଏଲକୁ ଫେରିବେ । କିନ୍ତୁ ରିହାବ ବେଳେ ସେ ବ୍ୟାକ ଇଞ୍ଜୁରୀରେ ପଡ଼ିଛନ୍ତି । ତେଣୁ ତାଙ୍କୁ ଠିକ୍ ହେବାକୁ ଆହୁରି ୨ ମାସରୁ ଅଧିକ ସମୟ ଲାଗିବ । ତେଣୁ ଆଇପିଏଲ ଖେଳିବାକୁ ସେ ଆଉ ଉପଲବ୍ଧ ହେବେନାହିଁ ।