ନିଜର ଅନୈତିକ କାର୍ଯ୍ୟକଳାପକୁ ଲୁଚାଇବା ଲାଗି ଶ୍ୱଶୁରକୁ ଶାବଳରେ ଭୁସି ହତ୍ୟା କଲା ବୋହୂ

ରେମୁଣା ୧୪।୦୪ : (ସଂକେତ ଟିଭି) ଶ୍ୱଶୁରଙ୍କୁ ହତ୍ୟା କଲା ବୋହୂ । ୭୫ ବର୍ଷର ବୃଦ୍ଧଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଛି । ମୃତକଙ୍କ ନାମ ରଘୁନାଥ ଜେନା । ବାଲେଶ୍ବର ଜିଲ୍ଲା ରେମୁଣା ଥାନା ବଡପାଳ ପଞ୍ଚାୟତ କାକବାରାଇ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଖବର ଅନୁଯାୟୀ, ରଘୁନାଥ ଜେନାଙ୍କ ବଡ଼ ପୁଅ ଓ ବଡ଼ ବୋହୂ ବାହାରେ ରହନ୍ତି। ସାନପୁଅ ଓ ସାନ ବୋହୂ ଗାଁରେ ରହନ୍ତି। ସାନ ବୋହୂ ଅନୈତିକ କାର୍ଯ୍ୟକଳାପରେ ଲିପ୍ତ ଥିଲା, ଯାହା ସଂପର୍କରେ ଜାଣିବା ପରେ ଶ୍ବଶୁର ରଘୁନାଥ ଜେନା ଉତକ୍ଷିପ୍ତ ହୋଇଥିଲେ। ବଡ଼ପୁଅକୁ ସବୁ କଥା କହିବେ ବୋଲି ବି ଧମକ ଦେଇଥିଲେ। ଆଜି ବଡ଼ପୁଅ ଘରକୁ ଆସିଥାନ୍ତେ। କିନ୍ତୁ ତା’ପୂର୍ବରୁ ରଘୁନାଥ ଘରେ ଶୋଇଥିବା ବେଳେ ସାନ ବୋହୂ ପଦ୍ମାବତୀ ଜେନା ରାତିରେ ଶାବଳରେ ଭୁଷି ହତ୍ୟା କରିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିପାରିଛି ।

ମୃତକଙ୍କ ପରିବାର ପକ୍ଷରୁ ରେମୁଣା ଥାନାରେ ଏତଲା ଦେବା ପରେ ପୋଲିସ ପଦ୍ମାବତୀଙ୍କୁ ଥାନାକୁ ଆଣି ପଚରା ଉଚରା କରିଥିଲା । ସେ ରଘୁନାଥଙ୍କୁ ହତ୍ଯା କରିଥିଲା ସ୍ବୀକାର କରିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।