କଂଗ୍ରେସ ଛାଡିପାରନ୍ତି ଅସନ୍ତୁଷ୍ଟ ହାର୍ଦ୍ଦିକ ପଟେଲ

ନୂଆଦିଲ୍ଲୀ ୧୪।୦୪ : (ସଂକେତ ଟିଭି) ଆଗାମୀ ଦିନରେ ଗୁଜୁରାଟ ବିଧାନସଭା ନିର୍ବାଚନ ରହିଥିବାବେଳେ ସମସ୍ତ ଦଳ ନିଜ ନିଜର ରଣନୀତି ପ୍ରସ୍ତୁତିରେ ଲାଗିଛନ୍ତି । କିନ୍ତୁ ଗୁଜୁରାଟ କଂଗ୍ରେସ ରେ ଗୋଷ୍ଠୀ କନ୍ଦଳ ଆରମ୍ଭ ହୋଇସାରିଛି । ଗୁଜୁରାଟ କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ହାର୍ଦ୍ଦିକ ପଟେଲ ଦଳର କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାସହ ନରେଶ ପଟେଲଙ୍କୁ ଦଳରେ ସାମିଲ କରାଇବାରେ ବିଲମ୍ୱ ହେବାକୁ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ।

ଗୁଜୁରାଟର ପାଟିଦାର ସମ୍ପ୍ରଦାୟର ଏକ ବଡ଼ ନାମ ନରେଶ ପଟେଲଙ୍କୁ ନେଇ କଂଗ୍ରେସ ଏପର୍ଯ୍ୟନ୍ତ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରିନାହିଁ । ହାର୍ଦ୍ଦିକ ପଟେଲ କହିଛନ୍ତି ଯେ, “ନରେଶ ପଟେଲଙ୍କ ବିଷୟରେ ନିଷ୍ପତ୍ତି ନ ନେଇ କଂଗ୍ରେସ ପାଟିଦାର ସମ୍ପ୍ରଦାୟକୁ ଅପମାନ କରୁଛି । ଗୁଜରାଟ କଂଗ୍ରେସରେ କାର୍ଯ୍ୟକାରୀ ଅଧ୍ୟକ୍ଷର ଅର୍ଥ ହେଉଛି ବିବାହ ପରେ ବରକୁ ବନ୍ଧ୍ୟାକରଣ କରିବା ସହିତ ସମାନ ହୋଇଥାଏ ।” ହାର୍ଦ୍ଦିକ କହିଛନ୍ତି ଯେ ବଡ ନେତାଙ୍କ ଗୋଷ୍ଠୀ କନ୍ଦଳ ଯୋଗୁଁ ଆମେ ମଧ୍ୟ ସମାନ ଭାବରେ ଅପମାନିତ ହେଉଛୁ ।