ରେଖାଙ୍କୁ ବିବାହ କରିବାକୁ ଚାହୁଁଥିଲେ ଇମ୍ରାନ୍‌ ଖାନ୍

ମୁମ୍ବାଇ ୧୫।୦୪ : (ସଂକେତ ଟିଭି) ୮୦ ଦଶକର ବଲିଉଡ କୁଇନ୍ ରେଖାଙ୍କ ଅନେକ ଦିୱାନା ଥିଲେ, ଆଉ ତାଙ୍କୁ ବିବାହ କରିବାକୁ ବହୁତ ଲୋକ ଚାହୁଁଥିଲେ । ରେଖାଙ୍କ ଏହି ପ୍ରେମିକଙ୍କ ତାଲିକାରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ମଧ୍ୟ ଥିଲେ । ରେଖାଙ୍କ ପାଇଁ ପାଗଳ ଥିଲେ ଇମ୍ରାନ୍ । ତାଙ୍କ ପ୍ରେମରେ ସେ ହେଉଥିଲେ ଉବୁଟୁବୁ । ଏପରିକି ସେ ରେଖାଙ୍କୁ ବିବାହ କରିବାକୁ ମଧ୍ୟ ଚାହୁଁଥିଲେ ।

ସେହିପରି ଇମ୍ରାନ୍ ଖାନଙ୍କ ସହ ସମ୍ପର୍କକୁ ନେଇ ରେଖା ମଧ୍ୟ ଅନେକ ଚର୍ଚ୍ଚାକୁ ଆସିଥିଲେ । ରେଖା ମଧ୍ୟ ଇମ୍ରାନଙ୍କୁ କୁଆଡେ ପସନ୍ଦ କରୁଥିଲେ । ସେ ତାଙ୍କୁ ଭଲ ପାଉଥିଲେ । ସେ ମଧ୍ୟ ତାଙ୍କୁ ବିବାହ କରିବାକୁ ଚାହୁଁଥିବା ଚର୍ଚ୍ଚା ହୋଇଥିଲା । ଇମ୍ରାନ୍ ଏବଂ ରେଖା ବିବାହ କରିବା ଏକ ପ୍ରକାର ପକ୍କା ହୋଇ ଯାଇଥିଲା । ଏହି ବିବାହକୁ ନେଇ ରେଖାଙ୍କ ମା’ ବେଶ ଖୁସି ହୋଇ ପଡିଥିଲେ । ରେଖାଙ୍କ ମା’ ଦୁହିଁଙ୍କ ବିବାହକୁ ନେଇ ଜ୍ୟୋତିଷଙ୍କୁ ପଚରାଉଚରା ମଧ୍ୟ ସାରି ଦେଇଥିଲେ । ତିଥି ନକ୍ଷତ୍ରେ ମଧ୍ୟ ଗଣାଇ ଦେଇଥିଲେ । କିନ୍ତୁ ଶେଷ ମୁହୂର୍ତ୍ତରେ ଏହି ବିବାହ ଭାଙ୍ଗି ଯାଇଥିଲା ।

ରେଖାଙ୍କ ସହ ନିଜ ସମ୍ପର୍କକୁ ନେଇ ଇମ୍ରାନ୍ ୧୯୯୫ ଜୁନ୍ ୧୧ ତାରିଖରେ ଏକ ଇଣ୍ଟରଭ୍ୟୁରେ କହିଥିଲେ । ସେ କହିଥିଲେ, କିଛି ସମୟ ପାଇଁ ରେଖାଙ୍କ ସାଥ ତାଙ୍କୁ ଭଲ ଲାଗିଥିଲା । ସେ ତାଙ୍କୁ ପସନ୍ଦ କରୁଥିଲେ । ଉଭୟ ଖୁବ୍ ଏନ୍‌ଜୟ କାରିଥିଲେ । କିନ୍ତୁ ସେ କୌଣସି ଫିଲ୍ମ ଅଭିନେତ୍ରୀଙ୍କୁ ବିବାହ କରିବାକୁ ଇଚ୍ଛା ରଖିନଥିଲେ ବୋଲି କହିଥିଲେ । ଏଥିପାଇଁ ଦୁହିଁଙ୍କ ସମ୍ପର୍କ ଭାଙ୍ଗି ଯାଇଥିଲା ବୋଲି କୁହାଯାଉଛି । କେବଳ ରେଖା ନୁହନ୍ତି ଇମ୍ରାନ ଖାନ୍‌ଙ୍କ ନାଁ ବଲିଉଡ ଅଭିନେତ୍ରୀ ଶବାନା ଆଜମୀ, ଜିନତ ଅମାନ୍ ଓ ମୁନ୍‌ମୁନ୍ ସେନ୍‌ଙ୍କ ସହ ମଧ୍ୟ ଯୋଡି ଯାଇଥିଲା । ସେତେବେଳେ ଜଣେ କ୍ରିକେଟ ରୂପେ ଇମ୍ରାନ୍‌ଙ୍କ ଇମେଜ୍ ଏକ ପ୍ଲେବୟ ଭଳି ଥିଲା । ଇମ୍ରାନ ଖାନ୍‌ଙ୍କ ସହ ସମ୍ପର୍କକୁ ନେଇ କିନ୍ତୁ ଏହି ତିନି ଅଭିନେତ୍ରୀ କେବେବି ମୁହଁ ଖୋଲି ନାହାନ୍ତି ।