ପଡିରହିଛି ୨୦.୬ କୋଟି ଅବ୍ୟବହୃତ କୋଭିଡ୍‌-୧୯ ଟିକା

ନୂଆଦିଲ୍ଲୀ ୧୭।୦୪ : (ସଂକେତ ଟିଭି) ଏବେ ମଧ୍ୟ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ୨୦.୬୦ କୋଟିରୁ ଊର୍ଦ୍ଧ୍ୱ ବଳକା ତଥା ଅବ୍ୟବହୃତ କରୋନାଭାଇରସ୍ ଟିକା ଉପଲବ୍ଧ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି ।

ମନ୍ତ୍ରାଳୟ କହିବା ଅନୁସାରେ, କେନ୍ଦ୍ର ସରକାରଙ୍କ “ଫ୍ରି ଅଫ୍ କଷ୍ଟ୍ ଚାନେଲ୍‌’ ଏବଂ “ଡାଇରେକ୍ଟ୍ ଷ୍ଟେଟ୍ ପ୍ରୋକ୍ୟୋର୍ମେଣ୍ଟ୍ କାଟେଗୋରି’ ଜରିଆରେ ଏଯାବତ ୧୯୨.୨୭ କୋଟି (୧,୯୨,୨୭,୨୩,୬୨୫) ଡୋଜ୍ ଟିକା ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳକୁ ଯୋଗାଇ ଦିଆଯାଇଛି । ସେଥିରୁ ବ୍ୟବହାର ହେବା ପାଇଁ ଆହୁରି ୨୦.୬୦ କୋଟି (୨୦,୬୦,୩୭,୩୩୬) ଡୋଜ୍ କରୋନାଭାଇରସ୍ ଟିକା ବଳକା ଏବଂ ଅବ୍ୟବହୃତ ହୋଇ ରହିଛି ବୋଲି ମନ୍ତ୍ରାଳୟ କହିଛି ।

ମନ୍ତ୍ରାଳୟ ଆହୁରି ମଧ୍ୟ କହିଛି ଯେ, କୋଭିଡ୍‌-୧୯ ଟିକାକରଣ ଅଭିଯାନର ସାର୍ବଜନୀନକରଣର ନୂତନ ପର୍ଯ୍ୟାୟରେ କେନ୍ଦ୍ର ସରକାର ଦେଶର ଟିକା ନିର୍ମାତାଙ୍କ ଠାରୁ ୭୫% ଟିକା କିଣି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ମାଗଣାରେ ଯୋଗାଇ ଦେବେ । ଦେଶବ୍ୟାପୀ କୋଭିଡ୍‌-୧୯ ଟିକାକରଣର ବେଗ ଓ ପରିସର ବୃଦ୍ଧି ପାଇଁ କେନ୍ଦ୍ର ସରକାର ପ୍ରତିବଦ୍ଧ ବୋଲି ମନ୍ତ୍ରାଳୟ କହିଛି । ସୂଚନାଯୋଗ୍ୟ, ୨୦୨୧ ଜାନୁଆରି ୧୬ ତାରିଖରୁ ଦେଶବ୍ୟାପୀ କୋଭିଡ୍‌- ୧୯ ଟିକାକରଣ ଅଭିଯାନ ଆରମ୍ଭ ହୋଇଥିଲା ।