ୟୁପି ଓ ଏମପି ପରେ ଗୁଜରାଟରେ ଚାଲିଲା ବୁଲଡୋଜର, ଦଙ୍ଗାକାରୀଙ୍କ ସମ୍ପତ୍ତି ନଷ୍ଟ କଲା ସରକାର

ଅହମଦାବାଦ୍ ୧୭।୦୪ : (ସଂକେତ ଟିଭି) ଉତ୍ତର ପ୍ରଦେଶ ଓ ମଧ୍ୟପ୍ରଦେଶ(ଏମପି) ପରେ ଏବେ ଗୁଜରାଟରେ କ୍ଷମତାସୀନ ବିଜେପି ସରକାର ଦଙ୍ଗା ଅଭିଯୁକ୍ତଙ୍କ ଘର ଓ ପ୍ରତିଷ୍ଠାନ ଉପରେ ବୁଲଡୋଜନ ଚଢ଼ାଇବା ଆରମ୍ଭ କରିଛି । ଶୁକ୍ରବାର ପ୍ରଶାସନ ପକ୍ଷରୁ ଖାମଭଟ ସାଂପ୍ରଦାୟିକ ଦଙ୍ଗାରେ ସାମିଲ ଥିବା ଅଭିଯୁକ୍ତଙ୍କ ଘର ଓ ଦୋକାନ ଭଙ୍ଗା ଯାଇଛି । ରାମ ନବମୀରେ ଏଠାରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ସଂଘର୍ଷରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ମଧ୍ୟ ଘଟିଥିଲା ।

ଆନନ୍ଦ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପ୍ରଶାସନ ସକାରପୁରା ଅଞ୍ଚଳରେ ଥିବା ଥିବା ଅନେକ ଅଭିଯୁକ୍ତଙ୍କ ଘର ଓ ଦୋକାନ ଭାଙ୍ଗିଛି । ସେହିପରି କିଛି ଅଭିଯୁକ୍‌ତଙ୍କ କ୍ୟାବିନ ମଧ୍ୟ ଉଠାଇ ନେଇଛି । ଏହି ସକାରପୁର ଅଞ୍ଚଳରେ ହିଁ ରାମ ନବମୀ ଦିନ ଟେକାପଥର ମାଡ଼ ଘଟଣା ଘଟିଥିଲା । ଏଥିରେ ୬ ଜଣ ପୁଲିସ୍ କର୍ମଚାରୀ ଆହତ ହୋଇଥିଲେ । ପରବର୍ତ୍ତୀ ଅବସ୍ଥାରେ ଏହି ଘଟଣାକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଗୋଟିଏ ଗୋଷ୍ଠୀର ଜଣେ ବ୍ୟକ୍ତି ପ୍ରାଣ ହରାଇଥିଲା । ଏହାକୁ ନେଇ ଉତ୍ତେଜନା ଲାଗି ରହିଥିବା ବେଳେ ପ୍ରଶାସନ ଅଭିଯୁକ୍ତଙ୍କ ବିରୋଧରେ ବୁଲଡୋଜର ବ୍ୟବହାର ଆରମ୍ଭ କରିଛି । ତେବେ ପ୍ରଶାସନ ବିନା ନୋଟିସରେ ଲୋକଙ୍କ ଘର ଓ ଦୋକାନ ଭାଙ୍ଗୁଥିବାରୁ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ।

ଏହାପୂର୍ବରୁ ରାମ ନବମୀରେ ଦେଖାଯାଇଥିବା ହିଂସାକାଣ୍ଡ ଘଟଣାରେ ମଧ୍ୟପ୍ରଦେଶ ସରକାର ମଧ୍ୟ ଅଭିଯୁକ୍ତ ଘର ଓ ଦୋକାନକୁ ବୁଲଡୋଜର ଲଗାଇ ଭାଙ୍ଗି ଦେଇଥିଲେ । ସୋମବାର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନ ବୁଲଡୋଜର ଓ ଜେସିବି ଲଗାଇ ୫୦ରୁ ଅଧିକ ଘର ଏବଂ ଦୋକାନ ଭାଙ୍ଗିଥିଲା ।

ସୂଚନାଯୋଗ୍ୟ, ଦଙ୍ଗା ଅଭିଯୁକ୍ତଙ୍କ ସମ୍ପତ୍ତି ବିରୋଧରେ ବୁଲଡୋଜର ଚଳାଇବା କାମ ପ୍ରଥମେ ଉତ୍ତର ପ୍ରଦେଶରେ ଆରମ୍ଭ ହୋଇଥିଲା । ସିଏଏ/ ଏନଆରସିକୁ ବିରୋଧରେ ଉତ୍ତର ପ୍ରଦେଶରେ ପ୍ରବଳ ହିଂସାକାଣ୍ଡ ଦେଖାଯାଇଥିଲା । ଏହି ଘଟଣାର ଅଭିଯୁକ୍ତଙ୍କ ସମ୍ପତ୍ତିଗୁଡ଼ିକ ଉପରେ ବୁଲଡୋଜର ଚଳାଇବାକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବିଭିତ୍ତ ସମ୍ବେଦନଶୀଳ ଘଟଣାର ଅଭିଯୁକ୍ତ ବିରୋଧରେ ପ୍ରଶାସନ ପର୍ଯ୍ୟାୟକ୍ରମେ ବୁଲଡୋଜର ଚଳାଇ ଆସୁଛି । ଏପରି କି ଯୋଗୀ ଆଦିତ୍ୟନାଥ ବୁଲଡୋଜର ବାବା ମଧ୍ୟ ପରିଚୟ ହାସଲ କରିଛନ୍ତି । ଏବେ ୟୁପିର ବୁଲଡୋଜର ନୀତି ମଧ୍ୟପ୍ରଦେଶ ଓ ଗୁଜରାଟ ସରକାର ମଧ୍ୟ ଆପଣାଇବା ଆରମ୍ଭ କରିଛନ୍ତି ।