ଅନୁଭବ ମହାନ୍ତି ଆଉଟ୍, ସିଦ୍ଧାନ୍ତ ମହାପାତ୍ର ଇନ୍

ଭୁବନେଶ୍ବର ୧୭।୦୪ : (ସଂକେତ ଟିଭି) ଜୀ ସାର୍ଥକର ରିଆଲିଟି ଶୋ’ଦାଦାଗିରି’ରେ ଏକ ବଡଧରଣର ପରିବର୍ତ୍ତନ ହୋଇଛି। ଏହି ଶୋର ହୋଷ୍ଟ ଥିବା ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଏହି ଶୋ’ରୁ ବିଦାୟ ନେଇଛନ୍ତି। ତାଙ୍କ ସ୍ଥାନରେ ଓଲିଉଡ ଜଗତର ଆଉ ଜଣେ ସୁପରଷ୍ଟାର ତଥା ସିଦ୍ଧାନ୍ତ ମହାପାତ୍ରଙ୍କୁ ‘ଦାଦାଗିରି’ର ହୋଷ୍ଟ କରାଯାଇଛି।

ସେହିପରି ଏହି ଶୋର ନାମ ‘ଦାଦାଗିରି ହୃଦୟରୁ’ ଥିଲା । ତାକୁ ମଧ୍ଯ ପରିବର୍ତ୍ତନ କରି ତାର ନାମ ଏବେ ‘ପ୍ରତିଭାର ଦାଦାଗିରି’ ରଖାଯାଇଛି। ଗତ ଜାନୁଆରୀ ୧୫ରେ ଏହି ରିଆଲିଟି ଶୋ’ ଆରମ୍ଭ ହୋଇଥିଲା। ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଓ ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତି ଏହି ଶୋ’ର ପ୍ରିମିୟର କରିଥିଲେ। ପ୍ରତି ଶନିବାର ଓ ରବିବାର ପ୍ରସାରିତ ହେଉଥିବା ‘ଦାଦାଗିରି ହୃଦୟରୁ’କୁ ଅନୁଭବ ମହାନ୍ତି ହୋଷ୍ଟ କରୁଥିଲେ।

ସୋ’ରୁ ବାହାରିବା ପରେ ଅନୁଭବ ମହାନ୍ତି ଇନଷ୍ଟାରେ ଏକ ଭିଡିଓ ପୋଷ୍ଟ କରି ନିଜ ପ୍ରଶଂସକଙ୍କୁ ସାନ୍ତ୍ୱନା ଦେଇଛନ୍ତି। ସେ କହିଛନ୍ତି ‘ ଆପଣମାନଙ୍କୁ ଗୋଟିଏ କଥା କଷ୍ଟ ଦେଇଛି, ବହୁତ ଦୁଃଖ ଦେଇଛି ଆପଣମାନଙ୍କୁ। କିନ୍ତୁ ଏତିକି କହିବି ତି, ଭଗବାନ ଯାହାବି କରନ୍ତି, ସେ କିଛି ଭଲ ପାଇଁ ହିଁ ଚିନ୍ତା କରିକି କରିଥାନ୍ତି। ଜମା ବ୍ୟସ୍ତ ହେବେନି ଧର୍ଯ୍ୟହରା ହେବେନି। ଆଗକୁ କିଛି ଭଲ ଶୁଣିବାକୁ ପାଇବେ। ସେହି ସମୟକୁ ଖାଲି ଅପେକ୍ଷା କରିବା। ଏ ଭାଇ ଆପମାନଙ୍କର ଥିଲା, ଅଛି, ଆଉ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆପଣମାନଙ୍କ ପାଖରେ ରହିବି।

ଏହା ବ୍ୟତୀତ ଅନୁଭବ ତାଙ୍କ ଫେସବୁକରେ ‘ଦାଦାଗିରି’ ଶୋ’କୁ ପ୍ରମୋଟ କରିବା ପାଇଁ ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଅନେକ ଭିଡିଓ, ଫଟୋ ଓ ପ୍ରମୋ ସେୟାର କରିଥିଲେ। କିନ୍ତୁ ବର୍ତ୍ତମାନ ସେଥିରେ କପିରାଇଟ୍ ଆସିଥିବାରୁ ସମସ୍ତ ପୋଷ୍ଟକୁ ସେ ନିଜ ସୋସିଆଲ ମିଡିଆରୁ ହଟାଉଛନ୍ତି ବୋଲି ମଧ୍ୟ କହିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ, ଅନୁଭବ ଶୋ’ ଛାଡିନାହାନ୍ତି ବରଂ ତାଙ୍କୁ ବାହାର କରାଯାଇଛି। ତେବେ କେଉଁ କାରଣରୁ ଏପରି ଚରମ ନିଷ୍ପତ୍ତି ନିଆଗଲା ତାହା ଜଣାପଡିନାହିଁ।