୨୧ରୁ ବ୍ରିଟେନ ପ୍ରଧାନମନ୍ତ୍ରୀଙ୍କ ଦୁଇଦିନିଆ ଭାରତ ଗସ୍ତ

ନୂଆଦିଲ୍ଲୀ ୧୮।୦୪ : (ସଂକେତ ଟିଭି)ରୁଷ୍ ଓ ୟୁକ୍ରେନ ମଧ୍ୟରେ ଭୟାବହ ଯୁଦ୍ଧ ଲାଗିରହିଥିବା ସମୟରେ ଆସନ୍ତା ୨୧ ତାରିଖରୁ ଦୁଇଦିନିଆ ଭାରତ ଗସ୍ତରେ ଆସୁଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନ୍‌ସନ । ଯୁଦ୍ଧ ବିଭୀଷିକା ମଧ୍ୟରେ ଜନ୍‌ସନଙ୍କ ଏହି ଭାରତ ଗସ୍ତ ବେଶ୍‌ ଗୁରୁତ୍ୱ ବହନ କରୁଛି ବୋଲି କୁହାଯାଉଛି । ୨୧ ତାରିଖରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନ୍‌ସନ ଗୁଜରାଟର ରାଜଧାନୀ ଅହମ୍ମଦାବାଦ ଯାଇ ସେଠାରେ ବଡ଼ ବଡ଼ ବ୍ୟବସାୟୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ଇଂଲଣ୍ଡ ଓ ଭାରତ ମଧ୍ୟରେ ଚାଲିଥିବା ବାଣିଜ୍ୟ ବ୍ୟବସାୟ ଓ ଜନସମ୍ପର୍କ ପ୍ରସଙ୍ଗରେ ସେ ଆଲୋଚନା କରିବେ ବୋଲି ସୂଚନା ମିଳିଛି ।

ସେହିପରି ୨୨ ତାରିଖରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ଦ୍ୱିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଏହି ଆଲୋଚନା ସମୟରେ ଦୁଇ ଦେଶର ସମ୍ପର୍କକୁ ଅଧିକ ମଜଭୁତ କରିବା ପାଇଁ ବୋରିସ୍‌ ପ୍ରୟାସ କରିବେ ବୋଲି କୁହାଯାଉଛି । ଗସ୍ତ ପୂର୍ବରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ କହିଛନ୍ତି ଯେ ଶାନ୍ତି ଓ ସମୃଦ୍ଧି ପ୍ରତି ଅଗଣତାନ୍ତ୍ରିକ ରାଷ୍ଟ୍ରମାନଙ୍କଠାରୁ ବିପଦ ରହିଥିବାରୁ ଗଣତାନ୍ତ୍ରିକ ବନ୍ଧୁମାନେ ଏକଜୁଟ ହୋଇ ରହିବା ବେଶ୍ ଗୁରୁତ୍ୱପୂର୍ଣ୍ଣ । ମୋର ଭାରତ ଗସ୍ତ କର୍ମସଂସ୍ଥାନ ସୃଷ୍ଟିଠାରୁ ଆରମ୍ଭ କରି ଅର୍ଥନୈତିକ ଅଭିବୃଦ୍ଧି ଓ ଶକ୍ତି, ନିରାତ୍ତା ଠାରୁ ଆରମ୍ଭ କରି ପ୍ରତିରକ୍ଷା ପର୍ଯ୍ୟନ୍ତ ଉଭୟ ଦେଶବାସୀଙ୍କ ସ୍ୱାର୍ଥ ସହ ଜଡ଼ିତ ସମସ୍ତ ପ୍ରସଙ୍ଗରେ ଗୁରୁତ୍ୱାରୋ କରିବି ।

ସୂଚନାଯୋଗ୍ୟ ଯେ ବୋରିସ ଗତବର୍ଷ ଭାରତ ଗସ୍ତରେ ଆସିବାର କାର୍ଯ୍ୟକ୍ରମ ସ୍ଥିର ହୋଇଥିଲା । ତେବେ କରୋନା ସଂକ୍ରମଣ ବୃଦ୍ଧି ହେତୁ ଏହାକୁ ବାତିଲ କରିଦିଆଯାଇଥିଲା । ଗତବର୍ଷ ଜାନୁଆରୀ ୨୬ ଗଣତନ୍ତ୍ର ଦିବସରେ ମୁଖ୍ୟଅତିଥି ରୂପେ ବୋରିସ ଭାରତ ଆସିବାର କାର୍ଯ୍ୟକ୍ରମ ଥିଲା । ତେବେ କରୋନା ସଂକ୍ରମଣ ପାଇଁ ଏହାକୁ ରଦ୍ଦ କରାଯାଇଥିଲା । ଏହାପରେ ଏପ୍ରିଲରେ ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ସେହି କରୋନା ପାଇଁ ତାକୁ ମଧ୍ୟ ବାତିଲ କରାଯାଇଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରିଟେନର ନିଜ ସମକକ୍ଷଙ୍କ ମଧ୍ୟରେ ଶେଷଥର ପାଇଁ ଗତବର୍ଷ ନଭେମ୍ବର ମାସରେ ଗ୍ଲାସ୍‌ଗୋ ସମିଟିରେ ସାକ୍ଷାତ ହୋଇଥିଲା ।