ଆଇପିଏଲ୍‌ ଏଥର ନୂଆ ବିଜେତା ଦେଖିବ: ରବି ଶାସ୍ତ୍ରୀ

ମୁମ୍ବାଇ ୧୯।୦୪ : (ସଂକେତ ଟିଭି) ଆଇପିଏଲ୍‌ ଏଥର ନୂଆ ବିଜେତା ଦେଖିବ ବୋଲି ପୂର୍ବତନ ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି । ଏକାଧିକ ଥର ବିଜେତା ହେବାର ଗୌରବ ଅର୍ଜନ କରିଥିବା ଦୁଇ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ୧୦ ଦଳୀୟ ଚଳିତ ସଂସ୍କରଣରେ ସଂପ୍ରତି ପଏଣ୍ଟ୍‌ ଟେବୁଲର ଶେଷ ଦୁଇ ସ୍ଥାନରେ ରହିଛନ୍ତି । ୫ ଥରର ବିଜେତା ମୁମ୍ବାଇ ୬ ମ୍ୟାଚ୍‌ ଖେଳି ସାରିଥିଲେ ମଧ୍ୟ ପଏଣ୍ଟ୍‌ ଖାତା ଖୋଲିବାକୁ ସକ୍ଷମ ହୋଇପାରିନି ।

ସେହିଭଳି ଚେନ୍ନାଇ ୫ରୁ ୧ ବିଜୟ ପାଇଁ ମୁମ୍ବାଇ ଉପରେ ରହିଛି । ଏହାକୁ ଦେଖି ପୂର୍ବତନ ଭାରତୀୟ କ୍ରିକେଟର୍‌ ଶାସ୍ତ୍ରୀ ଏଭଳି ଆଶା ବ୍ୟକ୍ତ କରିଛନ୍ତି । “ମୋର ବିଶ୍ୱାସ ଚଳିତ ଋତୁରେ ଆମେ ନୂଆ ଆଇପିଏଲ୍‌ ବିଜେତା ଦେଖିବା । ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିଶ୍ଚିତ ପ୍ଲେ ଅଫ୍‌ ଖେଳିବ । ଏମାନେ ଏବେ ପ୍ରତି ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ ଦେଉଛନ୍ତି ଏବଂ ଲୟରେ ଅଛନ୍ତି । ୬ ମ୍ୟାଚରୁ ଏହି ଦଳ ୪ ମ୍ୟାଚ୍‌ ଜିତି ସାରିଲାଣି । ଦୁଇ ନୂଆ ଦଳ ଗୁଜରାଟ ଟାଇଟାନ୍ସ (୫ ମ୍ୟାଚ୍‌) ଓ ଲକ୍ଷ୍ମୌ ସୁପର ଜିଆଣ୍ଟ୍ସ (୬ ମ୍ୟାଚ୍‌) ୮ ପଏଣ୍ଟ୍‌ ଲେଖାଏଁ ପାଇ ଶୀର୍ଷ ୨ରେ ରହିଛନ୍ତି । ଫଳରେ ଏମାନେ ବି ବିଜେତା ହୋଇପାରିବେ ବୋଲି ଷ୍ଟାର ସ୍ପୋର୍ଟ୍ସ ସହ କଥା ହେବା ବେଳେ ଶାସ୍ତ୍ରୀ କହିଛନ୍ତି ।