ଦିଲ୍ଲୀ ହିଂସା ପାଇଁ ବିଜେପି ଦାୟୀ: ଶରଦ ପାୱାର

ମୁମ୍ବାଇ ୧୯।୦୪ : (ସଂକେତ ଟିଭି) ଦିଲ୍ଲୀର ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ପାଇଁ ବିଜେପିକୁ ଦାୟୀ କଲେ ଏନସିପି ମୁଖ୍ୟ ଶରଦ ପାୱାର । ସୋମବାର ଦିନ ଦେଶର ବିଭିନ୍ନ ସ୍ଥାନରେ ରାମ ନବମୀ ସମୟରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ପାଇଁ ସେ ବିଜେପି ଏବଂ ଏହାର କିଛି ସଂଗଠନକୁ ଦାୟୀ କରିଛନ୍ତି ।

ପାୱାର କହିଛନ୍ତି ଯେ ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି କେନ୍ଦ୍ର ସରକାରଙ୍କ ଅଧୀନରେ ଅଛି । ସେଥିପାଇଁ ଦିଲ୍ଲୀରେ ହୋଇଥିବା ହିଂସା ପାଇଁ କେନ୍ଦ୍ର ସରକାର ହିଁ ଦାୟୀ । ତାଙ୍କ କହିବା ମୁତାବକ, ରାମ ନବମୀ ସମୟରେ ସାମ୍ପ୍ରଦାୟିକ ହିଂସା ହେବା ବିଷୟରେ ଆମେ କେବେ ଶୁଣିନାହୁଁ । ହେଲେ ବିଜେପି କ୍ଷମତାରେ ଥିବା ବେଳେ ଏଭଳି ଘଟଣା ଘଟୁଛି । ଏହା ପଛର କାରଣ ହେଉଛି ବିଜେପି ଏବଂ ସେମାନଙ୍କର କିଛି ସଂଗଠନଛ ଦିଲ୍ଲୀର ଆଇନ ଶୃଙ୍ଖଳା ପରିସ୍ଥିତି କେନ୍ଦ୍ର ସରକାରଙ୍କ ଅଧୀନରେ ରହିଛି । ଦିଲ୍ଲୀର ଜାହାଙ୍ଗୀରପୁରୀରେ ଯାହା ଘଟିଛି ସେଥିପାଇଁ କେବଳ ବିଜେପି ହିଁ ଦାୟୀ ।

ସୂଚନା ମୁତାବକ, ଶନିବାର ସନ୍ଧ୍ୟାରେ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଅବସରରେ ଆୟୋଜିତ ଶୋଭାଯାତ୍ରା ବେଳେ ସେଠାରେ ସାମ୍ପ୍ରଦାୟିକ ହିଂସାକାଣ୍ଡ ଘଟିଥିଲା । ଏହି ଘଟଣାରେ ଏ ପର୍ଯ୍ୟନ୍ତ ଉଭୟ ସମ୍ପ୍ରଦାୟରୁ ୨୩ଜଣଙ୍କୁ ଗିରଫ କରାଯାଇଛି । ଗିରଫ ବ୍ୟକ୍ତିମାନଙ୍କଠାରୁ ୩ଟି ଦେଶୀ ବନ୍ଧୁକ ଏବଂ ୫ଟି ଖଣ୍ଡା ଜବତ କରାଯାଇଛି । ଏହାଛଡ଼ା, ଗିରଫ ଅଭିଯୁକ୍ତମାନଙ୍କୁ ଅଦାଲତରେ ହାଜର କରାଯାଇଛି ।

ଅନ୍ୟପକ୍ଷରେ ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ବିଷୟରେ ପଚାରିବୁଝିବା ସହ ଯିଏ ଏଭଳି ହିଂସା ସୃଷ୍ଟି କରିଛି, ତା’ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଦାହରଣ ସୃଷ୍ଟି କର ବୋଲି କହିଛନ୍ତି ଶାହ । ଏହା ସହ ହିଂସା ସମୟରେ ଗୁଳି ଚଳାଇଥିବା ଅଭିଯୁକ୍ତ ସୋନୁ ଶେଖକୁ ଗିରଫ କରିଛି ପୁଲିସ ।