ସ୍କର୍ପିଓ ଧକ୍କାରେ ସ୍କୁଟି ଚାଳକ ମୃତ, ଉତ୍ତ୍ୟକ୍ତ ଜନତାଙ୍କ ମାଡ଼ରେ ଅଧିକାରୀଙ୍କ ମୃତ୍ୟୁ

ବାରିପଦା ୧୯।୦୪ : (ସଂକେତ ଟିଭି) ଦ୍ରୁତଗାମୀ ସ୍କର୍ପିଓ ମାଡ଼ିଯିବାରୁ ପ୍ରଥମେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ହୋଇ ଥିବାବେଳେ ଉତ୍ତ୍ୟକ୍ତ ଜନତାଙ୍କ ମାଡ଼ରେ ସ୍କର୍ପିଓରେ ବସିଥିବା ଜଣେ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ମୟୁରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ କତରା ନିକଟରେ ଆଜି ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ହରିହର ସେଠୀ ଓ ଭାରତ ସରକାରଙ୍କ ଅଧିନରେ କାର୍ଯ୍ୟରତ ଅଧିକାରୀ ସତ୍ୟନାରାୟଣ ନନ୍ଦ (୪୫)।

ସୂଚନା ଅନୁସାରେ ଆଜି ଦିନ ୧୨ଟା ସମୟରେ ସ୍କର୍ପିଓ ଧକ୍କା ଦେବାରୁ ଗୋଷାଣୀପାଳ ଗ୍ରାମର ହରିହର ସେଠୀଙ୍କ ମୃତ୍ୟୁ ହୋଇଥିଲା। ହରିହରଙ୍କ ମୃତ୍ୟୁ ପରେ ଉତ୍ଯକ୍ତ ଜନତା ସ୍କର୍ପିଓରେ ବସିଥିବା ଭାରତ ସରକାରଙ୍କ ନଳଜଳ ଯୋଜନାର ସର୍ଭେ କାର୍ଯ୍ୟରେ ନିୟୋଜିତ ଥିବା କେନ୍ଦୁଝର ଜିଲ୍ଲା ଆନ୍ଦପୁରର ସତ୍ୟନାରାୟଣ ନନ୍ଦ ଓ ଉତ୍ତରପ୍ରଦେଶରୁ ଆସିଥିବା ଅନ୍ୟ ଜଣେ ଅଧିକାରୀ ଫୁଲ ଚନ୍ଦ୍ର ଶର୍ମାଙ୍କୁ ନିସ୍ତୁକ ମାଡ଼ମାରିଥିଲେ। ଏଥି ସହିତ କ୍ଷତିପୂରଣ ଦାବିରେ ୪୯ ନମ୍ବର ରାଜ୍ୟ ରାଜପଥ (ବାଙ୍ଗିରିପୋଷି-ଝାରପୋଖରିଆ) ଅବରୋଧ କରିଥିଲେ।

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସତ୍ୟନାରାୟଣ ଓ ଫୁଲ ଚନ୍ଦ୍ରଙ୍କୁ ଉଦ୍ଧାର କରି ବାରିପଦା ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇ ଥିଲା। ଚିକିତ୍ସାଧୀନ ଅବସ୍ଥାରେ ସତ୍ୟନାରାୟଣଙ୍କ ମୃତ୍ୟୁ ଘଟିଛି। ସେପଟେ ଅଭିଯୁକ୍ତମାନଙ୍କୁ ଗିରଫ ପାଇଁ ପୋଲିସ ତନାଘନା ଜାରି ରଖିଛି । ତେବେ ଏବେ ସୁଦ୍ଧା ଜନସାଧାରଣ ଦ୍ବାରା ଅଟକ ସ୍କର୍ପିଓ ଡ୍ରାଇଭରଙ୍କ ମଧ୍ୟ ‌କୌଣସି ପତ୍ତା ମିଳି ନାହିଁ।