ଆତ୍ମସମର୍ପଣ କରିବନି ୟୁକ୍ରେନ୍ ସେନା ଶେଷ ପର୍ଯ୍ୟନ୍ତ ଲଢେଇ କରିବ

କିଭ୍ ୧୯।୦୪ : (ସଂକେତ ଟିଭି) ରୁଷ୍ ଓ ୟୁକ୍ରେନ୍‌ ମଧ୍ୟରେ ଲାଗି ରହିଥିବା ଭୟାବହ ଯୁଦ୍ଧ ସୋମବାର ୫୫ ଦିନରେ ପହଞ୍ଚିଛି । ଉଭୟପକ୍ଷ ନିଜ ନିଜ ଜିଦ୍‌ରେ ଅଟଳ ରହିଛନ୍ତି । କୌଣସି ପରିସ୍ଥିତିରେ ୟୁକ୍ରେନ ସେନା ଆତ୍ମସମର୍ପଣ କରିବନାହିଁ ବୋଲି ମନା କରିଦେବାପରେ ରୁଷ୍ ପକ୍ଷରୁ ଆକ୍ରମଣକୁ ଜୋରଦାର କରାଯାଇଛି । ଏଥିରେ ଉଭୟ ପକ୍ଷର ବ୍ୟାପକ କ୍ଷୟକ୍ଷତି ଘଟୁଥିଲେ ମଧ୍ୟ କେହି ଆତ୍ମସମର୍ପଣ କରିବାକୁ ରାଜି ନୁହନ୍ତି ।

ମିଳିଥିବା ସମ୍ବାଦ ଅନୁଯାୟୀ ୟୁକ୍ରେନର ମାରିୟୁପୋଲ ଏବେ ରୁଷ ସେନା ଅଧୀନରେ ରହିଛି । ସେଠାରେ ୟୁକ୍ରେନ ସେନାଙ୍କୁ ଆତ୍ମସମର୍ପଣ ପାଇଁ ରୁଷ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା । କିନ୍ତୁ ସେଠାରେ ଯୁଦ୍ଧ ଲାଗି ରହିଥିଲେ ମଧ୍ୟ ଦେଶର ସୈନ୍ୟମାନେ କୌଣସି ପରିସ୍ଥିତିରେ ଆତ୍ମସମର୍ପଣ କରିବେ ନାହିଁ ବୋଲି ୟୁକ୍ରେନର ଜଣେ ସାଂସଦ ଦୃଢ଼ୋକ୍ତି ବାଢ଼ିଛନ୍ତି । ୟୁକ୍ରେନ ସେନା ଶେଷ ଯାଏ ଲଢ଼େଇ କରିବେ ବୋଲି ସେ କହିଛନ୍ତି ।

ମାରିୟୁପୋଲରେ ରୁଷୀୟ ସେନା ଗଣହତ୍ୟାରେ ସଂପୃକ୍ତ ଥିବା ସାଂସଦ ଅଭିଯୋଗ କରିଛନ୍ତି । ସହରରେ ପ୍ରାୟ ୨୦ ହଜାର ଲୋକଙ୍କୁ ହତ୍ୟା କରାଯାଇଛି । ଏବେବି ସେହି ସହରରେ ୧ ଲକ୍ଷରୁ ଅଧିକ ଲୋକ ଫସି ରହିଛନ୍ତି । ୟୁକ୍ରେନ୍ ସୈନ୍ୟଙ୍କୁ ଯଦି ରୁଷ୍ ସେନା ହତ୍ୟା କରନ୍ତି ତେବେ ଉଭୟ ପକ୍ଷ ମଧ୍ୟରେ ଶାନ୍ତି କଥାବାର୍ତ୍ତା ଆଉ ହୋଇପାରିବ ନାହିଁ ବୋଲି ୟୁକ୍ରେନ ରାଷ୍ଟ୍ର ତି ଜେଲେନସ୍କି କହିଛନ୍ତି ।

ଏଣେ ରାଜଧାନୀ କିଭ୍‌ରେ ରୁଷ୍‌ ଆକ୍ରମଣ ଅଧିକ ଜୋରଦାର ହେବ ବୋଲି ୟୁକ୍ରେନ ସରକାରଙ୍କ ପକ୍ଷରୁ ସୂଚନା ଦିଆଯିବା ସହ ସତର୍କ ରହିବାପାଇଁ ପରାମର୍ଶ ଦିଆଯାଇଛି । ସହର ଛାଡ଼ି ପଳାଇଥିବା ଲୋକ ଏବେ ନଫେରିବାକୁ କୁହାଯାଇଛି । ରୁଷ୍‌ ୟୁକ୍ରେନ୍‌କୁ ଖୁବ୍‌ଶୀଘ୍ର ଦଖଲକୁ ନେବାପାଇଁ ଯେଉଁ ଆଶା କରିଥିଲା ତାହା ସଫଳ ହୋଇପାରିନାହିଁ । ତେଣୁ ସେ ରକ୍ତମୁଖା ହୋଇପଡ଼ିଛି ।

ବିଶେଷକରି ବ୍ଲାକ୍ ସିରେ ରୁଷ୍‌ର ପରମାଣୁ ଅସ୍ତ୍ର ଭର୍ତ୍ତି ଜାହାଜ ବୁଡ଼ିଯିବା ଫଳରେ ରୁଷ୍‌ ପରମାଣୁ ଅସ୍ତ୍ର ବ୍ୟବହାର କରିବାର ଆଶଙ୍କା ଉଜ୍ଜୀବିତ ହୋଇଛି । ଯେକୌଣସି ମୁହୂର୍ତ୍ତରେ ରୁଷ୍ ପରମାଣୁ ଅସ୍ତ୍ର ବ୍ୟବହାର କରିପାରେ ବୋଲି ଆଶଙ୍କା ପ୍ରକାଶ ପାଇଛି । ଅନ୍ୟପକ୍ଷରେ ଆମେରିକା, ବ୍ରିଟେନ୍ ଓ ଅନ୍ୟାନ୍ୟ ପାଶ୍ଚାତ୍ୟ ରାଷ୍ଟ୍ର ୟୁକ୍ରେନ୍‌କୁ ଅସ୍ତ୍ରଶସ୍ତ୍ର ସହ ଆର୍ଥିକ ସହାୟତା ଯୋଗାଇ ଦେଉଥିବାରୁ ରୁଷ୍ ପ୍ରଚଣ୍ଡ କ୍ଷୁବ୍‌ଧ ହୋଇଛି ।