ୟୁକ୍ରେନ୍ ସୀମାରେ ରୁଷ୍ ପରମାଣୁ ବିମାନ
କିଭ୍ ୨୦।୦୪ : (ସଂକେତ ଟିଭି) ପ୍ରାୟ ପାଖାପାଖି ଦୁଇମାସ ହେବ ୟୁକ୍ରେନ ଓ ରୁଷ୍ ମଧ୍ୟରେ ଲାଗି ରହିଥିବା ଭୟାବହ ଯୁଦ୍ଧ ଥମିବାର ନାଁ ଧରୁନାହିଁ । ବରଂ ଏହା ଦିନକୁ ଦିନ ଉଗ୍ର ରୂ ନେବାରେ ଲାଗିଛି । ଏପରି ଏକ ସ୍ଥିତିରେ କ୍ରେମ୍ଲିନ୍ ପକ୍ଷରୁ ନ୍ୟୁକ୍ଲିୟର ଆକ୍ରମଣର ଆଶଙ୍କା ଘନୀଭୂତ ହୋଇଛି । ୟୁକ୍ରେନ ସୀମା ନିକଟରେ ରୁଷ୍ର ପରମାଣୁ ବିମାନ ପଇଁତରା ମାରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ୟୁକ୍ରେନ ରାଷ୍ଟ୍ରପତି ଭୋଲ୍ଦିମିର ଜେଲେନସ୍କି ଗଭୀର କ୍ଷୋଭପ୍ରକାଶ କରିଛନ୍ତି ।
ଏହି ବିମାନ ଜରିଆରେ ପରମାଣୁ ବୋମା ପରିବହନ କରାଯାଇଥାଏ । ତେବେ ଏହି ବିମାନକୁ ନେଇ କୌଣସି ମିଶନ ସମ୍ପର୍କରେ ମସ୍କୋ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇନାହିଁ ।
ଅନ୍ୟପକ୍ଷରେ ବ୍ଲାକ୍ ସିରେ ରୁଷ୍ର ଯୁଦ୍ଧ ଜାହାଜ ନଷ୍ଟ ହେବାନେଇ ଅଧିକ ଉଗ୍ର ହୋଇଉଠିଥିବା ରୁଷ୍ ୟକ୍ରେନ୍ର ବିଭିନ୍ନ ସହରରେ ତୀବ୍ର ଆକ୍ରମଣ ଜାରି ରଖିଛି । ରାଜଧାନୀ କିଭ୍ ସମେତ ଲଭିଭ୍, ଖାରକିଭ୍ ଇତ୍ୟାଦି ସହରରେ ରୁଷ୍ ସେନା ରକେଟ ମାଡ଼ ଜାରି ରଖିଛନ୍ତି । ଫଳରେ ଲଭିଭ୍ରେ ୭ ଜଣଙ୍କର ମୃତ୍ୟୁ ଘଟିଛି । ମସ୍କୋର ଆକ୍ରମଣ ପରେ ଜେଲେନସ୍କି କହିଛନ୍ତି ଯେ ଆଉ ବିଶ୍ୱକୁ ବିଶ୍ୱାସ କରିହେଉନାହିଁ । ରୁଷ୍ର ଆକ୍ରମଣ ପରେ ପଡ଼ୋଶୀଙ୍କୁ ମଧ୍ୟ ବିଶ୍ୱାସ ନାହିଁ ବୋଲି ସେ କ୍ଷୋଭର ସହ କହିଛନ୍ତି ।
ଅନ୍ୟପକ୍ଷରେ ୟୁକ୍ରେନ୍ର ଡୋନୋବାସ ଦଖଲ ପାଇଁ ରୁଷ୍ ପ୍ରସ୍ତୁତି ଆରମ୍ଭ କରିଦେଇଛି । ସେଠାରେ ଘମାଘୋଟ ଯୁଦ୍ଧ ଲାଗିରହିଛି । ପ୍ରଥମ ପର୍ଯ୍ୟାୟ ଆକ୍ରମଣରେ ବିଫଳ ହୋଇଥିବାରୁ ଏବେ ନୂଆ ରଣନୀତି ଆପଣାଇ ପୁଣି ଥରେ ସେନା ଠୁଳ କରି ଯୁଦ୍ଧ ଆରମ୍ଭ କରିଛି । ଜେଲେନସ୍କି କହିଛନ୍ତି ଯେ ଦୀର୍ଘଦିନ ହେବ ରୁଷ୍ ଏହି ସହରକୁ ଦଖଲ କରିବା ନେଇ ଉଦ୍ୟମ ଚଳାଇଛି । ତେବେ ଏହାର ପ୍ରଭାବ ଆମ ଉପରେ ପଡ଼ିବ ନାହିଁ । ରୁଷ୍ ଯେତେ ସେନା ନେଇଆସୁ ଆମେ କୌଣସି ପରିସ୍ଥିତିରେ ପଛଘୁଞ୍ଚା ଦେବୁନି ଓ ଜୀବନ ଥିବା ଯାଏ ଲଢ଼ିବୁ ବୋଲି ଜେଲେନସ୍କି ରୋକ୍ଠୋକ କହିଛନ୍ତି ।
ସୂଚନାଯୋଗ୍ୟ ଯେ ୟୁକ୍ରେନ ରାଜଧାନୀ କିଭ୍ ଦଖଲ କରିବାରେ ରୁଷ ସେନା ବିଫଳ ହେବା ପରେ ଏବେ ଏହାର ପ୍ରମୁଖ ସହର ଡୋନବାସ ଅଭିମୁଖେ ଅଭିଯାନ ଆରମ୍ଭ କରିଛି । କିଭ୍କୁ ଦଖଲ କରିବା ପାଇଁ ରୁଷ ପକ୍ଷରୁ ଅଧିକ ସଂଖ୍ୟକ ସେନା ଠୁଳ କରାଯାଉଛି । ଯେକୌଣସି ସ୍ଥିତିରେ କିଭ୍ ଦଖଲ ପାଇଁ ରୁଷ ପଣ କରିଛି ବୋଲି ରୁଷର ଏକ ପ୍ରମୁଖ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଅନ୍ୟପକ୍ଷରେ ରୁଷର ପରମାଣୁ ବିମାନକୁ ନେଇ ସାରା ବିଶ୍ୱରେ ଗଭୀର ଚିନ୍ତାପ୍ରକଟ କରାଯାଇଛି ।