ଯୁଦ୍ଧ ଆଡ଼କୁ ଅଗ୍ରସର ହେଉଛନ୍ତି ପାକିସ୍ତାନ ଓ ଅଫଗାନିସ୍ତାନ

ନୂଆଦିଲ୍ଲୀ ୨୦।୦୪ : (ସଂକେତ ଟିଭି)ପାକିସ୍ତାନ ପାଇଁ ଭସ୍ମାସୁର ପାଲଟିଲା କି ତାଲିବାନ ? ଆଫଗାନିସ୍ତାନରେ ପୁଣି ଥରେ ତାଲିବାନୀ ଶାସନ ଫେରାଇ ଆଣିବାକୁ ସମ୍ପୂର୍ଣ୍ଣ ଶକ୍ତି ଯୋଗାଇ ଏବେ ଅକଳରେ ପଡ଼ିଛି ପାକିସ୍ତାନ । ତାଲିବାନ ଦ୍ୱାରା ସଂରକ୍ଷଣ ପାଇଥିବା ଆତଙ୍କବାଦୀ ପାକିସ୍ତାନୀ ସେନା ଓ ଯବାନଙ୍କୁ ହତ୍ୟା କରୁଛନ୍ତି । ଯାହାଫଳରେ ପାକିସ୍ତାନ ବାୟୁସେନା ପ୍ରଥମ ଥର ପାଇଁ ଆଫଗାନିସ୍ତାନର ସୀମା ଭିତରେ ପଶି ଏୟାରଷ୍ଟ୍ରାଇକ୍ କରିଛି ।

ଏହି ଆକ୍ରମଣରେ ପ୍ରାୟ ୫୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅପର ପକ୍ଷରେ ପାକିସ୍ତାନର ଏହି ଏୟାରଷ୍ଟ୍ରାଇକ୍‌ ପରେ ତାଲିବାନ ଚିହିଁକି ଉଠିଛି । ଦୁଇ ଦେଶର ସମ୍ପର୍କରେ ଏବେ ନାଟକୀୟ ରୂପରେ ଫାଟ ସୃଷ୍ଟି ହୋଇଛି ।

ଏକ ଆନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ , ଗତ ଏପ୍ରିଲ୍ ୧୪ ତାରିଖରେ ଫାକିସ୍ତାନର ସୀମା ପୋଷ୍ଟରେ ତାଲିବାନୀ ସେନା ଗୁଳିବର୍ଷା କରିଥିଲା । ଏଥିରେ ୬ ଜଣ ପାକିସ୍ତାନୀ ସୈନ୍ୟଙ୍କର ମୃତ୍ୟୁ ହୋଇଥିଲା । ପ୍ରାୟ ୬ ଘଣ୍ଟା ପର୍ଯ୍ୟନ୍ତ ଦୁଇ ପକ୍ଷ ମଧ୍ୟରେ ଏନକାଉଣ୍ଟର ଜାରି ରହିଥିଲା । ଫଳରେ ଏହାର ଜବାବ ଦେବାକୁ ଯାଇ ପାକିସ୍ତାନ ରାତି ୩ଟାରେ ଆଫଗାନିସ୍ତାନ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା । ଏହି ଆକ୍ରମଣରେ ମହିଳା ଓ ଶିଶୁଙ୍କ ସମେତ ୫୦ ଜଣଙ୍କର ମୃତ୍ୟୁ ହୋଇଥିଲା । ପାକିସ୍ତାନର ଏହି ଏୟାରଷ୍ଟ୍ରାଇକ୍ ପରେ ଆଫଗାନିସ୍ତାନ ଚେତାବନୀ ଦେଇଛି ।

ଆଫଗାନିସ୍ତାନ କହିଛି ଯେ, ଧର୍ଯ୍ୟର ପରୀକ୍ଷା ନିଅନ୍ତୁ ନାହିଁ, ଯଦି ଆଗକୁ ଏଭଳି ଘଟଣା ଘଟେ ତେବେ ଆଫଗାନିସ୍ତାନ ଏହାର କଡ଼ା ଜବାବ ଦେବ । କେବଳ ସେତିକି ନୁହେଁ ଏହା ପୂର୍ବରୁ ପାକିସ୍ତାନର ଡୁରଣ୍ଡ ଲାଇନ୍‌କୁ ଆଫଗାନିସ୍ତାନ ସରକାର ବିରୋଧ କରିଥିଲା । ତେବେ ଦୁଇ ଦେଶ ମଧ୍ୟରେ ଏହି ଛୋଟବଡ଼ ଆକ୍ରମଣ ଏବେ ସୀମାଯୁଦ୍ଧ ଆଡ଼କୁ ଅଗ୍ରସର ହେଉଥିବା ଇଷାରା କରୁଛି ।