ଲେମ୍ବୁ ପରେ ଆଳୁ ବଢ଼ାଇଲା ଚିନ୍ତା

ଭୁବନେଶ୍ବର ୨୧।୦୪ : (ସଂକେତ ଟିଭି) ଲେମ୍ବୁ ପରେ ହୁ ହୁ ହୋଇ ବଢିଚାଲିଛି ଆଳୁ ଦର । ଗତ ଦଶ, ପନ୍ଦର ଦିନ ହେବ ଲଗାତର ଭାବେ ଆଳୁ ଦର ବଢି ଚାଲିଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁ ପରିବହନ ଖର୍ଚ୍ଚ ବଢୁଥିବାରୁ ଆଳୁ ଦର ବଢୁଛି । ୧୮ଟଙ୍କାରେ ବିକ୍ରି ହେଉଥିବା ଆଳୁ ଏବେ କିଲୋ ପିଛା ୨୫ଟଙ୍କାରେ ବିକ୍ରି ହେଉଛି । ଆଗକୁ ଏହା ୭୦ଟଙ୍କା ଛୁଇଁପାରେ । ତେଲ ଦରରେ ନିଆଁ ପରେ ଆଳୁ ଦର ବୃଦ୍ଧି ଗ୍ରାହକଙ୍କ ଚିନ୍ତା ବଢାଉଛି ।

ଆମିଷ, ହେଉ କି ନିରାମିଷ, ସବୁ ମେନୁରେ ଆଳୁ ଜରୁରୀ । ଧନୀ ହୁଅନ୍ତୁ କି ଗରିବ, ହୋଟେଲ୍ ହେଉ କି ଘର ଖାଇବା ପ୍ଲେଟରେ ଆଳୁରେ ତିଆରି ବ୍ୟଞ୍ଜନ ରହିବା ଏକପ୍ରକାର ନିଶ୍ଚିତ । ଖୁବ୍ ଶୀଘ୍ର ଆଳୁ କିଣିବା ବେଳେ ଆପଣ ଦି ଥର ଭାବିବେ, କାରଣ ୧୮ରୁ ୨୫ ଛୁଇଁଲାଣି ଆଳୁ କିଲୋ । ବଜାରରେ ପିଆଜ ଦର ୧୫ ଟଙ୍କାରେ ସ୍ଥିର ରହିଛି । ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଆଳୁ ଦର ୨୫ ଛୁଇଁଲାଣି । ଦୁଇ ସପ୍ତାହ ତଳେ ଆଳୁ କିଲୋ ପିଛା ୧୮ଟଙ୍କା ଥିଲା । ହେଲେ ଏବେ ବଜାର ଦର ୨୫ ହୋଇଛି, କିଛି ଅସାଧୁ ବ୍ୟବସାୟୀ ୩୦ ଟଙ୍କାରେ ବି ବିକୁଛନ୍ତି । ସ୍ଥିତି ଏପରି ରହିଲେ ଦୁଇ ବର୍ଷ ତଳକୁ ଫେରିଯିବ ରାଜ୍ୟୟ ଖୁଚରା ବଜାରରେ ଆଳୁ କିଲୋ ଟଙ୍କାରେ ବିକ୍ରି ହେବା ନେଇ ଆଶଙ୍କା ବି ଦେଖାଦେଲାଣି ।

ପଶ୍ଚିମବଙ୍ଗ ଓ ଉତ୍ତରପ୍ରଦେଶରୁ ଆମଦାନୀ ହେଉଥିବା ଆଳୁର ପରିବହନ ଖର୍ଚ୍ଚ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଁ ବଢୁଛି । ଏପରିକି ବସ୍ତାରୁ ପଚା ଓ ଗୁଣ୍ଡ ଆଳୁ ବାହାରୁ ଥିବାରୁ ଭଲ ଆଳୁକୁ ଚଢା ଦରରେ ବିକୁଛନ୍ତି ଦୋକାନୀ । ପେଟ୍ରୋଲ ଓ ଡିଜେଲ ଦର ବଢିବାରୁ ଅତିରିକ୍ତ ୫୦ରୁ ୬୦ ଟଙ୍କା ବଢିଛି ପରିବହନ ଖର୍ଚ୍ଚ । ପଶ୍ଚିମବଙ୍ଗରୁ ୧୫୦୦ରୁ ୧୬୫୦ ଟଙ୍କାରେ ଆସୁଥିବା ଆଳୁ, ଓଡ଼ିଶା ହୋଲସେଲ ବଜାରରେ କ୍ୱିଂଟାଲ ପିଛା ୧୬୫୦ରୁ ୧୭୫୦ ଟଙ୍କାରେ ବିକ୍ରି ହେଉଛି । ଉତ୍ତରପ୍ରଦେଶରୁ ଆଳୁ ଆସିବାକୁ ୪ଦିନ ଲାଗୁଛି । ଟାଣ ଖରାରେ ଆଳୁ ପଚିଯାଉଛି । ଫଳରେ ୧୬୦୦ରୁ ୧୬୫୦ ଟଙ୍କାରେ ବିକ୍ରି ହେଉଛି । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଯୋଗୁଁ ଆଗକୁ ଏହା ଆହୁରି ୧୦୦ ଟଙ୍କା ବଢିବ ।

ସେହିପରି ଶୀତଳ ଭଣ୍ଡାରରୁ ଆଳୁ ଆସିଲେ, ଅଧିକ ୫୦ ଟଙ୍କା ବଢିବା ସମ୍ଭାବନା ରହିଛି । ବ୍ୟବସାୟୀଙ୍କ ବର୍ଦ୍ଧିତ ଦର ଖାଉଟିଙ୍କୁ ହିଁ ବହନ କରିବାକୁ ପଡ଼ିବ । ସେପଟେ ଦର ବୃଦ୍ଧି ଯୋଗୁ ଖାଉଟି ବି କମ୍ ଆଳୁ କିଣୁଛନ୍ତି । ପେଟ୍ରୋଲ ଓ ଡିଜେଲ ଦରବୃଦ୍ଧି ଯୋଗୁ ଅଧିକ ପରିବହନ ଖର୍ଚ୍ଚ ଦେଉଛନ୍ତି ବ୍ୟବସାୟୀ । ଖୋଲା ବଜାରରେ ଦର ବଢାଇ ଖାଉଟିଙ୍କଠାରୁ ଏହା ଆଦାୟ କରାଯାଉଛି । ପରିବହନ ଖର୍ଚ୍ଚକୁ ଆଳୁର ମୂଳ ଦର ସହ ମିଶାଯାଏ । ଏତେ ସବୁ ଗଣିତ ଭିତରେ, ଆଳୁ ଦର ୧୦୦ ଟଙ୍କା ଛୁଇଁବା ଆଶଙ୍କାରେ ଚିନ୍ତାରେ ଖାଉଟି ।