ଫୋକସରେ ୨୦୨୪ ନିର୍ବାଚନ , ରଣନୀତି ପ୍ରସ୍ତୁତିରେ ଆଗରେ ରହିଛି ବିଜେଡି

ଭୁବନେଶ୍ବର ୨୧।୦୪ : (ସଂକେତ ଟିଭି) ସାଧାରଣ ନିର୍ବାଚନ ପାଖାପାଖି ୨ବର୍ଷ ବାକି ରହିଛି । ରାଜ୍ୟର ମୁଖ୍ୟତଃ ୩ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ ଏବେ ୨୦୨୪ ଲାଗି ଫୋକସ କରି ସାଂଗଠନିକ ପୁନର୍ବିନ୍ୟାସ ଉପରେ ଗୁରୁତ୍ୱ ଦେବା ଆରମ୍ଭ କରିଛନ୍ତି । ସବୁ ଦଳରେ ମାନସ ମନ୍ଥନ ଆରମ୍ଭ ହୋଇଯାଇଛି । ତେବେ ଏକ୍ଷେତ୍ରରେ ବିଜେଡି ସବୁଠୁ ଆଗରେ ଥିଲାବେଳେ କଂଗ୍ରେସ ଓ ବିଜେପି ରାଜ୍ୟରେ ଦଳର କିଏ ମୁଖିଆ ହେବ, ସେହି ଚିନ୍ତାରେ ଘାରି ହେଉଛନ୍ତି ।

ଏହାଛଡ଼ା ଆଉ ଏକ ନୂଆ ରାଜନୈତିକ ବିକଳ୍ପର ମଧ୍ୟ ଆଲୋଚନା ଜୋର୍‌ ଧରିଛି । ଯଦିଓ ଏହି ବିକଳ୍ପ ଏବେ ପ୍ରାରମ୍ଭିକ ସ୍ତରରେ ରହିଛି, ତେବେ ଆଗାମୀ ଦିନରେ ବା ନିର୍ବାଚନ ପୂର୍ବରୁ ଏହା ଏକ ନିର୍ଦ୍ଦିଷ୍ଟ ରୂପରେଖ ନେଇପାରେ ବୋଲି ମଧ୍ୟ ରାଜନୈତିକ ମହଲରେ ଆଲୋଚନା ଆରମ୍ଭ ହୋଇଛି ।

୨୦୨୪କୁ ଫୋକସ କରି ବିଜେଡି ତା’ର ପ୍ରସ୍ତୁତି ପ୍ରାୟ ଶେଷ କରିସାରିଲାଣି ବୋଲି ଦଳୀୟ ସୂତ୍ରରୁ ଆଭାସ ମିଳିଛି । ଏଥର ବିଜେଡି ଅଧିକ ଲୋକସଭା ଆସନ ଜିତିବା ଉପରେ ଗୁରୁତ୍ୱ ଦେବ । ଏଥିଲାଗି ଆପାତତଃ ଦଳ କେଉଁଠୁ କିଏ ପ୍ରାର୍ଥୀ ହେବେ, ତା’ଉପରେ ଅଙ୍କକଷା ଆରମ୍ଭ କରିଛି । ୨୦୨୪ ନିର୍ବାଚନ ପୂର୍ବରୁ ଏକ ବ୍ୟାପକ ଦଳବଦଳ ମଧ୍ୟ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ । ମନ୍ତ୍ରିମଣ୍ଡଳର ପୁନର୍ଗଠନ ସହ ବିଜେଡି ସାଂଗଠନିକ ପୁନର୍ବିନ୍ୟାସ ଉପରେ ଏବେ ଫୋକସ ଦେବା ଆରମ୍ଭ କରିଛି । ଖୁବ୍‌ଶୀଘ୍ର ଏହାର ରୂପରେଖ ପରିପ୍ରକାଶ ପାଇବ । ସବୁ ନିର୍ବାଚନରେ ଆଶାତୀତ ସଫଳତା ହାସଲ କରୁଥିବା ବିଜେଡି ୨୦୨୪ ନିର୍ବାଚନରେ ରେକର୍ଡ଼ ବିଜୟ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ସେଥିଲାଗି ଏବେଠୁ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ପ୍ରଶାସନକୁ ସଂଗଠନ ସହ ଯୋଡ଼ିବା ଲାଗି ମଧ୍ୟ ଏକ ପ୍ରୟାସ କରାଯାଉଛି ।

ଜାତୀୟ ସ୍ତରରେ କଂଗ୍ରେସ ତା’ର ସାଂଗଠନିକ ପୁନର୍ବିନ୍ୟାସ କାର୍ଯ୍ୟ ଆରମ୍ଭ କରିସାରିଛି । ରଣନୀତିକାର ପ୍ରଶାନ୍ତ କିଶୋର ଏବେ କଂଗ୍ରେସ ପାଇଁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛନ୍ତି । ୩୭୦ ଲୋକସଭା ଆସନରେ କଂଗ୍ରେସ ଫୋକସ କରିବା ପାଇଁ ସେ ପ୍ରସ୍ତାବ ଦେଇଛନ୍ତି । ସୂଚନା ମୁତାବକ ପ୍ରଶାନ୍ତ କିଶୋର କେବଳ ଉପଦେଷ୍ଟା ନୁହେଁ, ଏକ ଗୁରୁତ୍ୱପୂର୍ଣ୍ଣ ସାଂଗଠନିକ ପଦପଦବୀ ଗ୍ରହଣ କରିବାର ମଧ୍ୟ ନିଷ୍ପତ୍ତି ହୋଇଛି ।

ଯଦି କଂଗ୍ରେସରେ ପ୍ରଶାନ୍ତଙ୍କ ଫର୍ମୁଲା ଗ୍ରହଣ କରାଯାଏ, ତାହାଲେ ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ । ପ୍ରଶାନ୍ତଙ୍କ ରଣନୀତି ଅନୁଯାୟୀ ଓଡ଼ିଶାରେ କଂଗ୍ରେସ ଏକାକୀ ଲଢ଼ୁ । ତେବେ ପୂର୍ବରୁ ଜେଏମ୍‌ଏମ୍‌ ଓ ବାମପନ୍ଥୀ ସହ ମେଣ୍ଟରେ ଥିବା କଂଗ୍ରେସ ୨୦୨୪ରେ କେଉଁ ରୂପରେ ଉଭା ହେବ, ତାହା ଉପରେ ସଭିଁଙ୍କ ନଜର ରହିଛି । ଦଳୀୟ ସଂଗଠନକୁ ମଜଭୁତ କରିବା ପାଇଁ କଂଗ୍ରେସ ଜାତୀୟ ସ୍ତରରେ ୨.୬ କୋଟି ଡିଜିଟାଲ କର୍ମୀ ସଂଗ୍ରହ କରିସାରିଲାଣି । ସବୁ କର୍ମୀଙ୍କୁ ମଧ୍ୟ ପରିଚୟପତ୍ର ଦିଆଯାଇଛି ।

ଓଡ଼ିଶାରେ ପିସିସି ପରିବର୍ତ୍ତନ ଚର୍ଚ୍ଚା ଜୋର୍‌ ଧରିଛି । ପ୍ରଶାନ୍ତଙ୍କ ଫର୍ମୁଲା ଅନୁଯାୟୀ ନୂଆ ପିସିସି ସଭାପତି ଚୟନ ହେବେ । ପିସିସି ସଭାପତି କିଏ ହେବ ଯଦିଓ ଦ୍ୱନ୍ଦ ରହିଛି, ତେବେ ନୂଆ ସଭାପତି ଚୟନ ପରେ ଏହି ଦ୍ୱନ୍ଦ କେତେଦୂର ପ୍ରସମିତ ହେବ ଓ ଦଳ ଏକାଠି ହୋଇ କାର୍ଯ୍ୟ କରିବ, ତାହା ଉପରେ ମଧ୍ୟ ଦୃଷ୍ଟିଭଙ୍ଗି କେନ୍ଦ୍ରିତ ହୋଇଛି । ସାଧାରଣ ଲୋକଙ୍କର କଂଗ୍ରେସ ପ୍ରତି ସମର୍ଥନ ବଢ଼ିଛି । ମାତ୍ର ଦଳୀୟ କନ୍ଦଳ, ଦୁର୍ବଳ ନେତୃତ୍ୱ ଯୋଗୁ ଜନସାଧାରଣଙ୍କ ଆସ୍ଥା ଭାଜନ ହେବାରେ ଦଳ ବିଫଳ ହେଉଛି ବୋଲି କୁହାଯାଉଛି ।

ସେହିଭଳି ରାଜ୍ୟ ବିଜେପିରେ ମଧ୍ୟ ଏକ ପରିବର୍ତ୍ତନର ଆଭାସ ମିଳୁଛି । ଦଳର ନୂଆ ରାଜ୍ୟ ଶାଖାରେ ନୂଆ ସଭାପତି ଚୟନ ହେବାର ମଧ୍ୟ ସମ୍ଭାବନା ରହିଛି । ନିକଟରେ ବିଜେପିର କିଛି ବିଧାୟକ ଓ ରାଜ୍ୟ ଶାଖାର କର୍ମକର୍ତ୍ତାମାନେ ନୂଆଦିଲ୍ଲୀ ଯାଇ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡାଙ୍କୁ ସାକ୍ଷାତ କରିଛନ୍ତି । ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି । ବିଜେପିର ପ୍ରମୁଖ ନେତାମାନେ ଦଳୀୟ ସଂଗଠନ ପ୍ରତି ଅବହେଳା କରିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ମତ ପ୍ରକାଶ ପାଇଛି । ତେବେ ୨୦୨୪ରେ ବିଜେପି ପୁରା ଦମ୍‌ରେ ଲଢ଼ିବା ଲାଗି ପ୍ରସ୍ତୁତି ଆରମ୍ଭ କରିଛି ।

ଏହି ତିନି ପ୍ରମୁଖ ଦଳର ରଣନୀତିକୁ ଛାଡ଼ିଦେଲେ ଆଉ ଏକ ତୃତୀୟ ବିକଳ୍ପର କଥା ମଧ୍ୟ ରାଜନୈତିକ ମହଲରେ ଆଲୋଚନା ହେଉଛି । ପଞ୍ଜାବ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଅପ୍ରାଶ୍ୟତ ବିଜୟ ହୋଇଛି । ଯଦିଓ ଓଡ଼ିଶାରେ ଆପ୍‌ ରହିଛି, ହେଲେ ସେଭଳି କୌଣସି ଆଖିଦୃଶିଆ ନେତା ନଥିବାରୁ ଏହାର ସାଂଗଠନିକ କାୟା ବିସ୍ତାର ହୋଇପାରୁ ନାହିଁ । କିଛି ପୁରୁଖା ନେତା ଏଥିରେ ସାମିଲ ହେବା ନେଇ ମଧ୍ୟ ଚର୍ଚ୍ଚା ହେଉଛି । ବିଭିନ୍ନ ଦଳରେ କୋଣଠେସା ହୋଇଥିବା କିଛି ବରିଷ୍ଠ ଓ ପୁରୁଖା ନେତା ଏକାଠି ହୋଇ ଏକ ନୂଆ ବିକଳ୍ପ ତିଆରି କରିବାର ଯୋଜନାରେ ଅଛନ୍ତି । ତେବେ ଏହା ଏଭଳି ପ୍ରାଥମିକ ସ୍ତରରେ ରହିଛି ଯେ, ଯାହା ଉପରେ କୌଣସି ଟିପ୍ପଣୀ ଦେବା ସମ୍ଭବ ନୁହେଁ । କିନ୍ତୁ ୨୦୨୪ ସେମାନଙ୍କର ଫୋକସ ବୋଲି ଏକ ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି ।