ସବୁ ଜେଲ୍ ପାଇଖାନା ୧୦ ଦିନରେ ସୁବ୍ୟବସ୍ଥିତ କର: ହାଇକୋର୍ଟ

କଟକ ୨୧।୦୪ : (ସଂକେତ ଟିଭି) ରାଜ୍ୟରେ ଜେଲ୍ ସଂସ୍କାର ମାମଲାରେ ସବୁ ଜେଲ ପାଇଖାନା ୧୦ ଦିନରେ ସୁବ୍ୟବସ୍ଥିତ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିର୍ଦ୍ଦେଶର ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ କୋର୍ଟ ଆଦେଶ ଦେଇଛନ୍ତି । ଆସନ୍ତା ୩୦ ତାରିଖରେ ଜିଲ୍ଲା ଆଇନସେବା ଅଧିକାରୀ ଜେଲ୍ ପରିଦର୍ଶନ କରି ପାଇଖାନା ଗୁଡିକର ସ୍ୱଛତା ସମ୍ପର୍କରେ ସବିଶେଷ ରିପୋର୍ଟ ଦାଖଲ କରିବାକୁ କହିଛନ୍ତି ।

ଜେଲ୍ ଅନ୍ତେବାସୀଙ୍କୁ ଦିଆଯାଉଥିବା ଖାଦ୍ୟର ମାନ ଓ ପରିମାଣ ପ୍ରସଙ୍ଗରେ ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ ପ୍ରକାଶ କରିଛନ୍ତି । ଜେଲ ଅନ୍ତେବାସୀଙ୍କ ଖାଦ୍ୟର ଉତ୍କୃଷ୍ଟ ମାନ ଓ ପରିମାଣ ନିଶ୍ଚିତ କରିବା ପାଇଁ ଏକ ଉଚ୍ଚ ସ୍ତରୀୟ କମିଟି ଗଠନ କରିବାକୁ ଜେଲ ବିଭାଗକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଅନ୍ତେବାସୀଙ୍କ ବଦଳରେ ଆଉଟ୍‌ସୋର୍ସିଂ ଜରିଆରେ ଜେଲ୍ ଗୁଡିକର ପରିମଳ ବ୍ୟବସ୍ଥା ହାତକୁ ନେବା ପ୍ରସଙ୍ଗରେ ବିଚାର କରିବାକୁ ପରାମର୍ଶ ଦେଇଛନ୍ତି ।

ଆବେଦନକାରୀ କୃଷ୍ଣ ପ୍ରସାଦ ସାହୁଙ୍କ ପକ୍ଷରୁ ରୁଜୁ ଏକ ଆବେଦନର ଶୁଣାଣି କରି ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠ ରାଜ୍ୟର ବିଭିନ୍ନ ଜେଲ୍ ଓ ସବ୍‌ ଜେଲ୍‌ରେ ବ୍ୟାପକ ଅବ୍ୟବସ୍ଥା ସମ୍ପର୍କିତ ମାମଲାରେ ଅଦାଲତ ନିଜ ଅଞ୍ଚଳରେ ଥିବା ଜେଲ୍ ପରିଦର୍ଶନ କରି ରିପୋର୍ଟ ଦେବାକୁ ସମସ୍ତ ଆଇନସେବା ପ୍ରାଧିକରଣ ସଚିବମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବିଶେଷ କରି ପରିଦର୍ଶନ ସମୟରେ ଜେଲ୍ ଓ ସବ୍ ଜେଲ୍‌ରେ ଟଏଲେଟ୍ ବ୍ୟବସ୍ଥା କିପରି ଅଛି, ମେଡିକାଲ୍ ବ୍ୟବସ୍ଥା, ୱାର୍ଡ ଗୁଡିକ ସଫା ରହିଛି କି ନାହିଁ ତଥା ବିଚାରଧୀନ କଏଦୀଙ୍କୁ ଦିଆଯାଉଥିବା ଖାଦ୍ୟର ପରିମାଣ ଓ ଗୁଣାବତା ଠିକ୍ ଅଛି କି ନାହିଁ ସେ ସମ୍ପର୍କରେ ଅନୁଧ୍ୟାନ କରିବାକୁ ଅଦାଲତ ତାଙ୍କ ଆଦେଶରେ କହିଥିଲେ ।