୫ ରୁ ୧୨ ବର୍ଷ ପିଲାଙ୍କ ଟିକାକରଣ ପାଇଁ କର୍ବେଭାକ୍ସକୁ ଅନୁମୋଦନ

ନୂଆଦିଲ୍ଲୀ ୨୨।୦୪ : (ସଂକେତ ଟିଭି)୫ରୁ ୧୨ ବର୍ଷର ପିଲାମାନଙ୍କ ନିମନ୍ତେ ବାୟୋଲୋଜିକାଲ-ଇ ପ୍ରସ୍ତୁତ କରୋନା ଟିକା କର୍ବେଭାକ୍ସକୁ ଜରୁରୀକାଳୀନ ବ୍ୟବହାର ଅନୁମତି ପାଇଁ ଡିସିଜିଆଇ ବିଶେଷଜ୍ଞ କମିଟିର (ସବଜେକ୍ଟ ଏକ୍ସପର୍ଟ କମିଟି) ସୁପାରିସ କରିଛି । କମିଟି ବାୟୋଲୋଜିକାଲ-ଇ ଦ୍ୱାରା ଦାଖଲ କରାଯାଇଥିବା ତଥ୍ୟର ସମୀକ୍ଷା କରାଯିବା ପରେ ଏହି ସୁପାରିଶ କରାଯାଇଛି ।

ଅନ୍ୟପକ୍ଷରେ ୨ରୁ ୧୨ ବର୍ଷ ପିଲାଙ୍କ ନିମନ୍ତେ ଭାରତ ବାୟୋଟେକ ପ୍ରସ୍ତୁତ କୋଭାକ୍ସିନ ଟିକାକୁ ଅନୁମତି ଦେବା ପ୍ରସଙ୍ଗ କମିଟିର ବିଚାରାଧିନ ରହିଛି । ଆଜି ବସିଥିବା କମିଟି ବୈଠକରେ ଭାରତ ବାୟୋଟେକ୍ ଦ୍ୱାରା ଦିଆଯାଇଥିବା ତଥ୍ୟର ସମୀକ୍ଷା କରାଯାଇଛି । ୨ବର୍ଷର ଅଧିକ ବୟସର ପିଲାଙ୍କ ପାଇଁ ଏହି ଟିକାର ଜରୁରୀକାଳୀନ ବ୍ୟବହାର ନିମନ୍ତେ କମିଟି ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିଜିଆଇ)ଙ୍କୁ ସୁାରିଶ କରିବାର ସମ୍ଭାବନା ରହିଛି ବୋଲି ଏକ ଜାତୀୟ ସ୍ତରର ଗଣମାଧ୍ୟମ ରିପୋର୍ଟ ପ୍ରକାଶ କରିଛି ।

ଗତ ବର୍ଷ ୨ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ କୋଭାକ୍ସିନ ବ୍ୟବହାର ସମ୍ପର୍କିତ ପରୀକ୍ଷଣ ତଥ୍ୟ ଭାରତ ବାୟୋଟେକ କମିଟି ନିକଟରେ ରଖିଥିଲା । ଗତ ବର୍ଷ ଅକ୍ଟୋବର ମାସରେ ଏସଇସି ୨ରୁ ୧୮ ବର୍ଷ ବୟସର ପିଲାଙ୍କ ନିମନ୍ତେ କୋଭାକ୍ସିନର ଜରୁରୀକାଳୀନ ବ୍ୟବହାର ଅନୁମତି କେତେକ ସର୍ତ୍ତ ସହ ଦିଆଯାଇଥିଲା । ପରେ ଡିସେମ୍ବର ୨୦୨୧ରେ ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କ ପାଇଁ କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ଅନୁମତି ଦିଆଯାଇଥିଲା ।