ଆମେରିକାର ଧମକକୁ ଖାତିର ନକରି ଋଷଠାରୁ କିଣି ନିଜ ତୈଳର ଭଣ୍ଡାର ଭରୁଛି ଭାରତ

ନୂଆଦିଲ୍ଲୀ ୨୨।୦୪ : (ସଂକେତ ଟିଭି) ଆମେରିକାର ଧମକକୁ ଖାତିର ନ କରି ରୁଷ ତେଲ ଶୋଷିବାରେ ଲାଗିଛି ଭାରତ । ରୁଷର ଶସ୍ତା ଅଫରର ପୁରା ଫାଇଦା ଉଠାଉଛି । ଏପରିକି ସବୁ ଗ୍ରେଡର ତେଲକୁ ଏହା ଟାଣିବାରେ ଲାଗିଛି ।

ଏକ ସୂତ୍ରରୁ ଜଣାପଡ଼ିଛି ଯେ, ଭାରତ ରୁଷଠାରୁ ଅଶୋଧିତ ତୈଳ କ୍ରୟକୁ ଦୁଇ ଗୁଣା କରିଛି । ୟୁକ୍ରେନ ସହ ରୁଷର ଯୁଦ୍ଧକୁ ୩ ମାସ ହେଲାଣି । ରୁଷ ତେଲ କିଣିବା ଉପରେ ଆମେରିକା ସମେତ ଅନେକ ପାଶ୍ଚାତ୍ୟ ରାଷ୍ଟ୍ର କଟକଣା ଲଗାଇଛନ୍ତି । ଏହି କଟକଣାକୁ ଏଡାଇ ଭାରତ ଏହାର ତୈଳ ଭଣ୍ଡାର ଭରିଚାଲିଛି । ତେଲ ଯଦି ଶସ୍ତାରେ ମିଳୁଛି ତା’ହେଲେ କିଣିବାରେ କ’ଣ ଅସୁବିଧା ବୋଲି ଗତମାସ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ।

ରାଷ୍ଟ୍ରାୟତ୍ତ ତୈଳ ବିଶୋଧନକାରୀମାନେ ଭଲ ଦର ପାଇବା ପାଇଁ ପବ୍ଲିକ ଟେଣ୍ଡର ବଦଳରେ ବ୍ୟକ୍ତିଗତ ବୁଝାମଣା ଚୁକ୍ତି ମାଧ୍ୟମରେ ତେଲ କିଣୁଛନ୍ତି । ବ୍ୟବସାୟିକ ସୂତ୍ରରୁ ଏହା ଜଣାପଡ଼ିଛି । ଭାରତ ସବୁ ପ୍ରକାର ଅଶୋଧିତ ତୈଳକୁ ରୁଷରୁ କିଣିଚାଲିଛି । ବିଭି୍‌ନ୍ନ ବାଟ ଦେଇ ଏହା ଦେଶକୁ ଆସୁଛି । ରୁଷ ସହ ଭାରତର ଦୀର୍ଘ ଦିନର ସମ୍ପର୍କ ରହିଛି । ଏହା ଅସ୍ତ୍ରଶସ୍ତ୍ର କ୍ରୟ ହେଉ କିମ୍ବା ତୈଳ ସବୁ କ୍ଷେତ୍ରରେ ଏହା ଭଲ ସମ୍ପର୍କ ରଖିଛି । ଏଭଳି କ୍ଷେତ୍ରରେ ରୁଷ ଉପରେ ଲଗାଯାଇଥିବା ପାଶ୍ଚାତ୍ୟ କଟକଣାକୁ ଖାତିର ନ କରି ଭାରତ ଏହା ସହିତ ବ୍ୟବସାୟିକ ସମ୍ପର୍କ ବଜାୟ ରଖିଛି ।

ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କହିଥିଲେ ଯେ, ଭାରତ ଏହାର ଶକ୍ତି ଆମଦାନି ଉତ୍ସର ବିବିଧକରଣ କରିପାରିବ । ଏଥିପାଇଁ ଆମେରିକା ସବୁ ପ୍ରକାର ସହଯୋଗ କରିବ । ଚଳିତ ମାସ ପ୍ରାରମ୍ଭରେ ବାଇଡେନ୍‌ଙ୍କ ପ୍ରମୁଖ ଅର୍ଥନୈତିକ ଉପଦେଷ୍ଟା କହିଥିଲେ ଯେ, ରୁଷ ସହ ସମ୍ପର୍କକୁ କମାଇବା ପାଇଁ ଆମେରିକା ଭାରତକୁ ଚେତାବନି ଦେଇଛି । ଏପଟେ ଭାରତ କିନ୍ତୁ ଏହାକୁ ଆଡ଼ ଆଖିରେ ଅନାଉନାହିଁ ।

ସୂଚନାଯୋଗ୍ୟ, ଯୁଦ୍ଧ ଯୋଗୁ ସମଗ୍ର ବିଶ୍ୱରେ ମୁଦ୍ରାସ୍ଫୀତି ଉଚ୍ଚରେ ରହିଛି । ଅନ୍ୟପକ୍ଷରେ, ବ୍ୟାରେଲ ପିଛା ଅଶୋଧିତ ତୈଳ ଦର ୧୦୦ ଡଲାର ପାର କରିଯାଇଛି । ଫେବ୍ରୁଆରୀ ଶେଷ ଭାଗରୁ ଭାରତ ନିୟୁତ ନିୟୁତ ବ୍ୟାରେଲ ୟୁରାଲ୍ସ ଗ୍ରେଡ୍ ତେଲ କିଣିଛି । ଏହାସହିତ କମ୍ପାନିଗୁଡ଼ିକ ରୁଷର ଅନ୍ୟ ଏକ ଗ୍ରେଡ୍ ତେଲ “ସୋକୋଲ୍‌’କୁ ବି କିଣୁଛନ୍ତି ।