ରୁଷରେ ବ୍ୟବସାୟ ବନ୍ଦ କରିବ ଟାଟା ଷ୍ଟିଲ

ନୂଆଦିଲ୍ଲୀ ୨୨।୦୪ : (ସଂକେତ ଟିଭି) ରୁଷ ଓ ୟୁକ୍ରେନ ଯୁଦ୍ଧ ଭିତରେ ରୁଷରେ ଅନେକ ଗ୍ଲୋବାଲ କମ୍ପାନୀଗୁଡ଼ିକ ବ୍ୟବସାୟ ବନ୍ଦ କରିଛି । ଏହି କ୍ରମରେ ସାମିଲ ହୋଇଛି ଆଉ ଏକ ନୂଆ ଗ୍ଲୋବାଲ କମ୍ପାନୀ । ଦେଶର ସବୁଠାରୁ ବଡ଼ ଷ୍ଟିଲ ପକମ୍ପାନୀ ଟାଟା ଷ୍ଟିଲ ଖୁବ୍ ଶୀଘ୍ର ରୁଷରେ ନିଜର ବ୍ୟବସାୟ ବନ୍ଦ କରିବାକୁ ଯାଉଛି ।

ଟାଟା ଷ୍ଟିଲ ସ୍ପଷ୍ଟ କରିଛି ଯେ ରୁଷରେ କମ୍ପାନୀର କୌଣସି ଫ୍ୟାକ୍ଟ୍ରି ନାହିଁ ଏମିତିକି ରୁଷରେ କମ୍ପାନୀର କୌଣସି କର୍ମଚାରୀ ମଧ୍ୟ ନାହାନ୍ତି । ତେଣୁ ରୁଷ ସହ ବ୍ୟବସାୟ ବନ୍ଦ କରିବାର ନିଷ୍ପତ୍ତି ବିଚାର ବିମର୍ଶ କରି ନିଆଯାଇଛି । ରୟଟର୍ସର ରିପୋର୍ଟ ଅନୁସାରେ ଟାଟା ଷ୍ଟିଲ ନିଜର ଫ୍ୟାକ୍ଟ୍ରି ଚଲାଇବା ପାଇଁ ଓ ଷ୍ଟିଲ ବନାଇବା ପାଇଁ ରୁଷ କୋଇଲା ଆମଦାନୀ କରିଥାଏ । ଭାରତ ବ୍ୟତୀତ କମ୍ପାନୀର ଷ୍ଟିସ କାରଖାନା ବ୍ରିଟିଶ ଓ ନେଦରଲ୍ୟାଣ୍ଡରେ ମଧ୍ୟ ରହିଛି ।

କମ୍ପାନୀ କହିଛି ଯେ ଏହି କାରଖାନାଗୁଡ଼ିକରେ ଯୋଗାଣକୁ ଠିକ୍ ରଖିବା ପାଇଁ ବିକଳ୍ପ ବଜାରରୁ କଞ୍ଚାମାଲ ବ୍ୟବସ୍ଥା କରାଯାଉଛି । ଦେଶର ଦ୍ବିତୀୟ ସବୁଠାରୁ ବଡ଼ ସଫ୍ଟୱେୟାର କମ୍ପାନୀ ଇନ୍ଫୋସିସ ଗତ ସପ୍ତାହରେ ରୁଷରେ ବ୍ୟବସାୟ ବନ୍ଦ କରିବା ନେଇ ସୂଚନା ଦେଇଥିଲା ।

ସୂଚନା ଥାଉକି, ୟୁକ୍ରେନ ଉପରେ ରୁଷର ଆକ୍ରମଣ ପରେ ଅନେକ ଦେଶ ମସ୍କୋ ଉପରେ ଆର୍ଥିକ ପ୍ରତିବନ୍ଧକ ଲଗାଇଛି । ଏହାପରେ ବିଶ୍ବ ଅନେକ କମ୍ପାନୀ ନିଜର ବ୍ୟବସାୟ ବନ୍ଦ କରିଛନ୍ତି । ଭାରତର ମଧ୍ୟ କିଛି କମ୍ପାନୀ ଏଭଳି ନିଷ୍ପତ୍ତି ନେଇଛନ୍ତି ।