ଚରମ୍ପା ରେଲ୍‌ୱେ ଫ୍ଲାଏ ଓଭର ପାଇଁ ଯୁଗ୍ମ ସର୍ଭେ ଆରମ୍ଭ

ଭଦ୍ରକ ୨୨।୦୪ : (ସଂକେତ ଟିଭି) ଚରମ୍ପାସ୍ଥିତ ଡଗରାସାହି ଲେବୁଲ କ୍ରସିଂ ୧୧୮ ଠାରେ ଖୁବଶୀଘ୍ର ଆରମ୍ଭ ହେବ ଫ୍ଲାଏ ଓଭର ବ୍ରିଜ୍ । ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଏଥିନେଇ ଦୀର୍ଘମାସ ଧରି ପ୍ରତ୍ୟେକ ମାସ ୭ ତାରିଖରେ ଉକ୍ତ ସ୍ଥାନରେ ଧାରଣା ଦିଆଯାଉଥିଲା । ଗତ ମାସ ୭ ତାରିଖ ବିଭାଗୀୟ ଅଧିକାରୀମାନେ ଧାରଣାସ୍ଥଳରେ ପହଞ୍ଚି ରେଳବାଇ କର୍ତ୍ତୃକ୍ଷ ଉକ୍ତ ଦାବିକୁ ମାନି ନେଇଥିବା କହିଥିଲେ । ଆସନ୍ତା ଅକ୍ଟୋବର ୧ ତାରିଖରୁ ଏହି ସ୍ଥାନରେ ରେଳ ଓଭରବ୍ରିଜ୍‌ କାର୍ଯ୍ୟ ଆରମ୍ଭ ହେବ ବୋଲି ପ୍ରତିଶୃତି ମିଳିଥିଲା ।

ରେଳ ବିଭାଗର ଚିଠି ନଂ ୧୭୮/ ୪.୩.୨୦୨୨ ରେ ଏହି ପ୍ରତିଶୃତି ଦିଆଯାଇଥିଲା । ଏହି କ୍ରମରେ ଉଭୟ ରେଳବିଭାଗ ଓ ପିଡବ୍ଲ୍ୟୁଡି ବିଭାଗ ପକ୍ଷରୁ ମିଳିତ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି । ଉକ୍ତ ସର୍ଭେ କାର୍ଯ୍ୟରେ ରେଳବାଇ ଖୋର୍ଦ୍ଧା ଡିଭିଜନ ସମେତ ପିଡବ୍ଲ୍ୟୁଡି ଓ ସ୍ଥାନୀୟ ବିଭାଗୀୟ ଅଧିକାରୀ ଓ ବୈଷୟିକ ବିଶେଷଜ୍ଞ ଉପସ୍ଥିତ ଥିଲେ । ରେଳ ବିଭାଗ ନିଜ ଅଧୀନ ଅଂଚଳର ଉକ୍ତ ବ୍ରିଜର ଉଭୟ ପାଶ୍ୱର୍ରେ ହେବାକୁ ଥିବା ଆପ୍ରୋଚ ରୋଡ୍ ରାଜ୍ୟ ସରକାରଙ୍କ ପୂର୍ତ୍ତ ବିଭାଗ କରିବ ବୋଲି ନିଷ୍ପତ୍ତି ପରେ ସର୍ଭେ କାର୍ଯ୍ୟ ଆରମ୍ଭ ହୋଇଛି ।

ସୂଚନାଯୋଗ୍ୟ ଏହି ବ୍ରିଜ୍ ଦାବିରେ ଗତ ୮ ମାସ ହେଲା ପ୍ରତ୍ୟେକ ଏକ ନିର୍ଦ୍ଦିଷ୍ଟ ତାରିଖରେ ୧୧୮ ଲେବୁଲ କ୍ରସିଂ ନିକଟରେ ଶ୍ରୀ ପଲେଇଙ୍କ ନେତୃତ୍ୱରେ ଧାରଣା ଦିଆଯାଇ ଆସୁଥିଲା । ଏହି ଦାବିକୁ ନେଇ ପୂର୍ବରୁ ଡିସେମ୍ବର ମାସ ପର୍ଯ୍ୟନ୍ତ ୧୩ ଥର ଡିଆରଏମ୍‌ଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ଏ ସମସ୍ତ ସ୍ମାରକପତ୍ର ଉତ୍ତରରେ ରେଳ ବିଭାଗ ଗତ ଅକ୍ଟୋବର ମାସ ୨୮ ତାରିଖ ଶ୍ରୀ ପଲେଇଙ୍କୁ ପ୍ରେରିତ ପତ୍ରରେ, ରାଜ୍ୟ ସରକାରଙ୍କ ଅସହଯୋଗ କାରଣରୁ ଏ ଦିଗରେ ବିଳମ୍ବ ଘଟୁଥିବା ଅବଗତ କରିଥିଲେ ।

ଏହାବ୍ୟତୀତ ଉକ୍ତ ଦାବିର ଯଥାର୍ଥତାକୁ ବିଭାଗ ଗୁରୁତର ସହ ନେଇଛି ଓ ଏଥି ନିମନ୍ତେ ବିଭାଗ ପକ୍ଷରୁ ୭୪.୨୫ କୋଟି ଟଙ୍କାର ଆକଳନ କରାଯାଇଛି । ତେବେ ବିଳମ୍ବର କାରଣ ହେଉଛି ଲେବୁଲ କ୍ରସିଂ ଓଭରବ୍ରିଜ୍‌ରେ ଉଭୟ ରେଳ ବିଭାଗ ଓ ରାଜ୍ୟ ସରକାରଙ୍କ ମିଳିତ ସହଭାଗିତା ରହିଥାଏ । ଫଳରେ କାର୍ଯ୍ୟରେ ବିଳମ୍ବ ହୋଇଥାଏ । ତେଣୁ ରେଳ ବିଭାଗ ଫ୍ଲାଏ ଓଭର ବ୍ରିଜ୍ ଗୁଡିକର କାର୍ଯ୍ୟ ତୁରନ୍ତ ସାରିବା ପାଇଁ ଗୋଟିଏ କଣ୍ଟ୍ରାକ୍ଟ (ସିଙ୍ଗଲ ଏନଟିଟି) ରେ ଟିସିଆଇଏ୍ ଭଳି କନଷ୍ଟ୍ରକସନ କଂପାନୀ ସହ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ । ଯାହାକି ଅନୁମୋଦନ ପାଇଁ ଯାଇଥିଲା । କିନ୍ତୁ ରାଜ୍ୟ ସରକାର ଏହାକୁ ଗ୍ରହଣ କରିନଥିଲେ । ତେଣୁ ପାରମ୍ପରିକ ଭାବେ ରେଳ ବିଭାଗ ଓଭରବ୍ରିଜ୍‌ କାର୍ଯ୍ୟ ଓ ଆପ୍ରୋଚ ରୋଡ୍ କାର୍ଯ୍ୟ ସରକାର କରିବେ ବୋଲି ସୂଚନା ମିଳିଛି ।