ଖୁବ୍‌ଶୀଘ୍ର ହେବ ଜିଲ୍ଲାପାଳ, ଏସ୍‌ପି ସ୍ତରରେ ବଡଧରଣର ଅଦଳବଦଳ

ଭୁବନେଶ୍ବର ୨୨।୦୪ : (ସଂକେତ ଟିଭି) ରାଜ୍ୟ ପ୍ରଶାସନ ପରିବର୍ତ୍ତନ ହେବ । ଜିଲ୍ଲାପାଳ, ଏସ୍‌ପି ଓ ସଚିବ ସ୍ତରରେ ବ୍ୟାପକ ଅଦଳ ବଦଳ ହେବାର ସୂଚନା ମିଳିଛି । ପୌର ନିର୍ବାଚନ, ପଞ୍ଚାୟତ ନିର୍ବାଚନ ଓ ଭୋଟର ତାଲିକା ସଂଶୋଧନ ନେଇ ଜିଲ୍ଲାସ୍ତରରେ ଜିଲ୍ଲାପାଳ ଓ ଏସ୍‌ପି ବଦଳି ହୋଇପାରିନଥିଲା । ଏବେ ସବୁ ପ୍ରକ୍ରିୟା ଶେଷ ହୋଇଛି । ସେଥିପାଇଁ ରାଜ୍ୟ ପ୍ରଶାସନରେ ପୁଣି ଏକ ନବକଳେବର କରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି ।

ସେହିଭଳି କେତେକ ବିଭାଗରେ ସଚିବ ଦୀର୍ଘଦିନ ହେବ ଅଛନ୍ତି । ଆଉକେତେକ ସଚିବଙ୍କୁ ଏକାଧିକ ବିଭାଗ ଦାୟିତ୍ୱ ଦିଆଯାଇଛି । ତାହା ମଧ୍ୟ ପରିବର୍ତ୍ତନ କରାଯିବ ବୋଲି ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳୁଛି ।

ସୂଚନା ଅନୁଯାୟୀ କେତେକ ଜିଲ୍ଲାରେ ୪ ରୁ ୫ ବର୍ଷ ଉଦ୍ଧ୍ୱର୍ ହେବ ନିର୍ଦ୍ଦିଷ୍ଟ ଜଣେ ଅଧିକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟ କରିଆସୁଛନ୍ତି । ତାଙ୍କର ବଦଳି ହେବାର ସମୟ ହୋଇଯାଇଥିଲେ ବି ପଞ୍ଚାୟତ ପୌର ନିର୍ବାଚନ ପ୍ରକ୍ରିୟା ଏଥିରେ ବାଧକ ସାଜିଥିଲା । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ଏହି ବଦଳି କରିବା ପାଇଁ ଯୋଜନା ହୋଇଥିଲା । ମାତ୍ର ହଠାତ୍‌ ନିର୍ବାଚନ ଲାଗି ନିଷ୍ପତ୍ତି ହେବାରୁ ଏଥିରେ ପୂର୍ଣ୍ଣଛେଦ ପଡିଥିଲା । ଏବେ ଜିଲ୍ଲାପାଳ ସ୍ତରରେ ବ୍ୟାପକ ଅଦଳବଦଳ କରାଯିବ । ତେବେ କେଉଁ ଜିଲ୍ଲାପାଳ କେଉଁ ଜିଲ୍ଲା ଦାୟିତ୍ୱରେ ରହିବେ ତାହା ସ୍ପଷ୍ଟ ହୋଇନାହିଁ ।

ହେଲେ ପ୍ରଶାସନିକ ସ୍ତରରେ ଏନେଇ କସରତ ମଧ୍ୟ ଆରମ୍ଭ ହୋଇଯାଇଛି । ସେହିଭଳି କେତେକ ଜିଲ୍ଲାରେ ଏସ୍‌ପିମାନେ ମଧ୍ୟ ବହୁ ସମୟ ଧରି ରହିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଆଇନ୍‌ ଶୃଙ୍ଖଳା ଓ ବିଭିନ୍ନ ପ୍ରସଙ୍ଗରେ ସରକାର ବିବାଦରେ ପଡିଛନ୍ତି । ସେଭଳି କିଛି ଏସ୍‌ପିଙ୍କୁ ମଧ୍ୟ ପରିବର୍ତ୍ତନ କରାଯାଇପାରେ । ୨୦୨୪ରେ ସାଧାରଣ ନିର୍ବାଚନ ରହିଛି । ଏହା ପୂର୍ବରୁ ରାଜ୍ୟ ( ସରକାରଙ୍କ ବଭିନ୍ନ ଯୋଜନା ଯେଭଳି ଲୋକଙ୍କ ନିକଟରେ ପହଞ୍ଚିବ ଏବଂ ଆଇନ୍‌ ଶୃଙ୍ଖଳାକୁ ନେଇ ସରକାର ଯେଭଳି ବିରୋଧୀଙ୍କ ସମାଲୋଚନାର ସରବ୍ୟ ନହେବେ ସେଥିଲାଗି ଅଙ୍କକଷା ଆରମ୍ଭ ହୋଇଛି । ଏହାକୁ ଦୃଷ୍ଟିରେ ରଖି ପରିବର୍ତ୍ତନ କରାଯିବା ପାଇଁ ଉଚ୍ଚ ପ୍ରଶାସନିକ ସ୍ତରରେ ନିଷ୍ପତ୍ତି ନିଆଯାଇଛି । ଖୁବ୍‌ଶୀଘ୍ର ଏସ୍‌ପି ଓ ଜିଲ୍ଲାପାଳଙ୍କର ନିଯୁକ୍ତି ପ୍ରକ୍ରିୟା ଶେଷ ହେବ ବୋଲି ଜଣାପଡିଛି ।

ସେହିଭଳି ବିଭିନ୍ନ ବିଭାଗରେ କେତେକ ସଚିବ ବହୁ ବର୍ଷ ଧରି ରହିଲେଣି । ନଗର ଉନ୍ନୟନ ବିଭାଗରେ ଜି.ମାଥିଭାତନାମ୍‌ ପ୍ରାୟ ୮ ବର୍ଷରୁ ଉର୍ଧ୍ବ ଦାୟିତ୍ୱରେ ଅଛନ୍ତି । ଜଣେ ଜଣେ ଅଧିକାରୀଙ୍କୁ ମଧ୍ୟ ଏକାଧିକ ବିଭାଗ ଦାୟିତ୍ୱ ଦିଆଯାଇଛି । ଆଇଏଏସ୍‌ ଅଫିସର ବିବି ଯାଦବଙ୍କୁ ଶ୍ରୀମନ୍ଦିର ପ୍ରଶାସନର ମୁଖ୍ୟ ପ୍ରଶାସନ ସମେତ ପୂର୍ତ୍ତ, ଯୋଗାଣ ବିଭାଗ ଆଦି ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦିଆଯାଇଛି । ଦିଲ୍ଲୀରେ ମଧ୍ୟ ତାଙ୍କୁ ଏକ ଦାୟିତ୍ୱ ମିଳିଛି ।

ଏହାଛଡା ଆହୁରି ଅନେକ ଆଇଏଏସ୍‌ ଅଫିସର ଅଛନ୍ତି ଯେଉଁମାନେ ଏକାଧିକ ବିଭାଗ ଦାୟିତ୍ୱରେ ରହିଛନ୍ତି । ବିଭାଗ କାର୍ଯ୍ୟକୁ ସୁରୁଖୁରୁରେ ପରିଚାଳନା କରିବା ଲାଗି ଅଧିକ ସଚିବଙ୍କୁ ଦାୟିତ୍ୱ ଦିଆଯିବ ବୋଲି ଜଣାପଡିଛି ।