୨୪ରୁ ରାଜ୍ୟରେ ଆହୁରି ବଢିବ ତାତି

ଭୁବନେଶ୍ବର ୨୨।୦୪ : (ସଂକେତ ଟିଭି) କାଳବୈଶାଖୀ ପ୍ରଭାବରେ ରାଜ୍ୟରେ ତାତି ସାମାନ୍ୟ କମିଥିଲେ ହେଁ ୨୪ ତାରିଖ ପରେ ରାଜ୍ୟରେ ବଢ଼ିବ ରୌଦ୍ର ତାପ । ଆଭ୍ୟତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ ଗ୍ରୀଷ୍ମ ତାତି ୪୩ ଡିଗ୍ରୀରୁ ୪୬ ଡିଗ୍ରୀ ସେଲସିୟସ୍ ମଧ୍ୟରେ ରହିବାର ସମ୍ଭାବନା ଥିବା ବେଳେ ଉପକୂଳ ଓଡ଼ିଶାରେ ତାପମାତ୍ରା ୪୦ ଡିଗ୍ରୀ ସେଲସିୟସ୍‌ ଉପରେ ରହିବାର ଆଶଙ୍କା କରାଯାଉଛି । ମୁଖ୍ୟତଃ ଉତ୍ତର- ପଶ୍ଚିମ ଭାରତ ଏବଂ ତେଲେଙ୍ଗାନା ଭଳି ରାଜ୍ୟ ଆଡୁ ଉତ୍ତପ୍ତ ପବନ ପ୍ରବାହିତ ହେବା ତଥା ସମୁଦ୍ର ଆଡୁ ବାୟୁ ପ୍ରବାହ ବନ୍ଦ ରହିବା କାରଣରୁ ଏଭଳି ତାପମାତ୍ରା ବୃଦ୍ଧି ପାଇବ । ଏଭଳି ପରିସ୍ଥିତି ଏକ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ବୋଲି ଶିକ୍ଷା ଓ ଅନୁସନ୍ଧାନ(ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ।

ଏହାଛଡା ଆନ୍ଧ୍ର ପ୍ରଦେଶ-ତାମିଲନାଡୁ ଉପକୂଳରେ ରହିଥିବା ଆଂଟି-ସାଇକ୍ଲୋନ୍ ହେତୁ ଆନ୍ଧ୍ର୍ରଦେଶ ଆଡୁ ଓଡ଼ିଶାକୁ ଆର୍ଦ ବାୟୁ ପ୍ରବାହିତ ହେଉଥିବାରୁ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ସେଲସିୟସ୍ କମ୍ ରିହବାର ସମ୍ଭାବନା ଅଛି । ଏହି ଆଣ୍ଟି-ସାଇକ୍ଲୋନ୍ ଓ ଉତ୍ତର ଓଡ଼ିଶାରେ ଏକ ସାକ୍ଲୋନିକ୍‌ ସର୍କୁଲେସନ୍ ରହିଥିବାରୁ ଗୁରୁବାର ରାତି ଓ ଶୁକ୍ରବାର ଉପକୂଳ ଓ ପଶ୍ଚିମ ଓଡ଼ିଶାରେ କାଳବୈଶାଖୀ ହୋଇପାରେ । ଏହି ସମୟରେ ତାପମାତ୍ର ୪୦ ଡିଗ୍ରୀ ସେଲସିୟସରୁ କମ୍ ରହିଲେ ମଧ୍ୟ ଏପ୍ରିଲ୍ ୨୫ ରୁ ଏହା ବୃଦ୍ଧି ପାଇବ ।