ଯୁଦ୍ଧବିରତି ପ୍ରସ୍ତାବକୁ ରୁଷର ପ୍ରତ୍ୟାଖ୍ୟାନ

ମସ୍କୋ ୨୨।୦୪ : (ସଂକେତ ଟିଭି) ୟୁକେନରେ ନାଗରିକଙ୍କୁ ଉଦ୍ଧାର କରିବା ପାଇଁ ଏବଂ ମାନବୀୟ ସହଯୋଗ ପଠାଇବା ପାଇଁ ଜାତିସଂଘ ମୁଖ୍ୟ ଆଣ୍ଟୋନିଓ ଗଟର୍ସ ୪ ଦିନ ଯୁଦ୍ଧବିରତି ପାଇଁ କହିଥିଲେ । କିନ୍ତୁ ରୁଷ୍‌ ଜାତିସଂଘ ମୁଖ୍ୟଙ୍କ ଏହି ଯୁଦ୍ଧବିରତି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିଛି । ରୁଷ୍‌ କହିଛି, ଯୁଦ୍ଧବିରତି ପାଇଁ ଯେଉଁ ଅନୁରୋଧ କରାଯାଇଛି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ ।

ଜାତିସଂଘରେ ରୁଷର ଉପ ରାଷ୍ଟ୍ରଦୂତ ଡିମିଟ୍ରି ପଲିଆନସ୍କି କହିଛନ୍ତି, ୟୁକ୍ରେନ୍‌ କେବଳ ଅଧିକ ଅସ୍ତ୍ର ପାଇବାପାଇଁ ସମୟ ଚାହୁଛି । ରୁଷ୍‌ ଯୁଦ୍ଧବିରତି କରିବନି ବୋଲି ରୋକଠୋକ୍‌ ଶୁଣାଇ ଦେଇଛି ।

ଉଲ୍ଲେଖଯୋଗ୍ୟ ଯେ ଗଟର୍ସ କହିଥିଲେ ୟୁକ୍ରେନରେ ଏବେ ୧୨ ନିୟୁତରୁ ଅଧିକ ଲୋକଙ୍କ ପାଇଁ ମାନବୀୟ ସହାୟତା ଆବଶ୍ୟକ । ଏହି ସଂଖ୍ୟା ଆଗକୁ୧୫.୭ ନିୟୁତକୁ ଲୋକଙ୍କ ନିକଟରେ ଖାଦ୍ୟ ନାହିଁ କି ପାଣି ନାହିଁ । ଅସୁସ୍ଥଙ୍କୁ ଚିକିତ୍ସା କରିବାପାଇଁ ଔଷଧ ବି ନାହିଁ । ତେଣୁ ଗଟର୍ସ ୟୁକ୍ରେନରେ ୪ ଦିନ ଯୁଦ୍ଧବିରତି ପାଇଁ ଅନୁରୋଧ କରିଥିଲେ ।

ଯୁଦ୍ଧ ବନ୍ଦ କରିବାକୁ ସର୍ତ୍ତ ରଖିଲା ରୁଷ-
ନାଟୋ ପଟୁ ଥିବା ବିପଦ ଦୂର କରିବା ଓ ନାଟୋ ନିୟନ୍ତ୍ରଣରୁ ୟୁକ୍ରେନକୁ ମୁକ୍ତ କରିବା ପରେ ହିଁ ସାମରିକ ଅଭିଯାନ ଶେଷ କରାଯିବ । ଏପର୍ଯ୍ୟନ୍ତ ଏହି ସାମରିକ ଅଭିଯାନର ଅଗ୍ରଗତି ସନ୍ତୋଷଜନକ ରହିଛି ବୋଲି ରୁଷ କହିଛି ।

ରୁଷର ସରକାରୀ ନିୟନ୍ତ୍ରଣାଧିନ ସମ୍ବାଦ ସରବରାହ ସଂସ୍ଥା ଟାସରେ ପ୍ରକାଶିତ ରିପୋର୍ଟ ଅନୁସାରେ ନିଜର ଲକ୍ଷ୍ୟ ହାସଲ ପରେ ୟୁକ୍ରେନରେ ଚାଲିଥିବା ମିଲିଟାରୀ ଅପରେସନ ଶେଷ ହେବ । ପ୍ରମୁଖ ଲକ୍ଷ୍ୟ ହେଉଛି ନାଟୋ ପଟୁ ଥିବା ବିପଦ ଦୂର କରିବା ଓ ନାଟୋ ନିୟନ୍ତ୍ରଣରୁ ୟୁକ୍ରେନକୁ ମୁକ୍ତ କରିବା ।

ରୁଷ ବୈଦେଶିକ ମନ୍ତ୍ରାଳୟ ତରଫରୁ ଆଲେକ୍ସି ପୋଲିସଚୁକ୍‌ କହିଛନ୍ତି ଯେ ଏହି ମିଲିଟାରୀ ଅପରେସନର ଆଉ କେତେକ ଲକ୍ଷ୍ୟ ହେଉଛି ଡୋନବାସର ଶାନ୍ତିପୂର୍ଣ୍ଣ ଜନତାଙ୍କ ସୁରକ୍ଷା, ୟୁକ୍ରେନର ବେସାମରିକରଣ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୟୁକ୍ରେନ ଉପରେ ଚାଲିଥିବା ଆକ୍ରମଣକୁ ରୁଷ ଏକ ମିଲିଟାରୀ ଅପରେସନ ବୋଲି କହୁଛି । କିନ୍ତୁ ସମଗ୍ର ବିଶ୍ୱରେ ଏହାକୁ ୟୁକ୍ରେନ ବିରୋଧରେ ରୁଷର ଯୁଦ୍ଧ ବୋଲି କୁହାଯାଉଛି । ଗତ ଫେବ୍ରୁଆରି ୨୪ ତାରିଖରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ ଆରମ୍ଭ କରିଥିଲା ।