ଯୁଦ୍ଧ ଭିତରେ ବିଶ୍ବର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷା କଲା ରୁଷ

ମସ୍କୋ ୨୨।୦୪ : (ସଂକେତ ଟିଭି) ୟୁକ୍ରେନ୍ ସହ ଯୁଦ୍ଧ ଚାଲିଥିବା ବେଳେ ପୁଣି ନିଜର ଶକ୍ତି ଦେଖାଇଛି ରୁଷ । ସଫଳତା ସହ ସରମାଟ୍ ଅନ୍ତଃମହାଦେଶୀୟ ବାଲିଷ୍ଟିକ୍‌ କ୍ଷେପଣାସ୍ତ୍ରର ପରୀକ୍ଷା କରିଛି ରୁଷ । ଏହି ମିସାଇଲ ଆଣବିକ କ୍ଷେପଣାସ୍ତ୍ର ବହନ କରିବାର କ୍ଷମତା ରଖିଛି । ରାଷ୍ଟ୍ରପତି ଭ୍ଲାଦିର୍ମି ପୁଟିନ୍ ଏନେଇ ଘୋଷଣା କରିବା ସହ ଏଣିକି ଶତ୍ରୁ ଦୁଇ ଥର ଚିନ୍ତା କରିବେ ବୋଲି କହିଛନ୍ତି । ରୁଷ ଏହାର ପରବର୍ତ୍ତୀ ପିଢୀର ମିସାଇଲ ଉପରେ କାର୍ଯ୍ୟ କରୁଥିଲା ଏହାର ପରୀକ୍ଷଣ ଶେଷ ହୋଇଛି । ଏଥିରେ ଆଭାନଗାର୍ଡ ହାଇପରସୋନିକ୍ ମିସାଇଲ ବି ସାମିଲ ରହିଛି । ଏହା ବାହ୍ୟ ଆକ୍ରମଣରୁ ରୁଷକୁ ସୁରକ୍ଷା ଦେବାରେ ନିଶ୍ଚିତ ସହାୟତା କରିବ ।

ସରମଟ୍ ହେଉଛି ଶକ୍ତିଶାଳୀ ମିସାଇଲ, ଯାହ ଦୀର୍ଘ ରେଞ୍ଜର ବିଧ୍ବଂସକାରୀ ଟାର୍ଗେଟ୍‌ କରିପାରିବ । ପୃଥିବୀ ପୃଷ୍ଠରେ ଯେକୌଣସି ସ୍ଥାନକୁ ଟାର୍ଗେଟ କରିପାରିବ । ଅନ୍ୟପଟେ ଡୋନ୍‌ବାସରେ ରୁଷ୍ ୧୦ ହଜାରରୁ ୨୦ ହଜାର ବିଦେଶୀ ସୈନିକଙ୍କୁ ମୁତୟନ କରିଛି । ଖାରକିଭ ଏବଂ କ୍ରାମାଟର୍ସ୍କରେ ରୁଷ୍ ଭୟଙ୍କର ଆକ୍ରମଣ କରିଛି । ଜାପୋରିଝିଆ ଏବଂ ଡୋନବାସ୍‌ର ନିପ୍ରୋ ପଶ୍ଚିମରେ ମଧ୍ୟ କ୍ଷେପଣାସ୍ତ୍ର ମାଡ଼ କରିଛି । ମାଇକୋଲେବରେ ରୁଷ୍ ଅନେକ ଥର ବିସ୍ଫୋରଣ କରିଛି । ବଶଟାଙ୍କା ନିକଟସ୍ଥ ଏକ ସହରରେ ଥିବା ହସ୍ପିଟାଲ୍ ଉପରେ ଗତକାଲି ରୁଷ୍ ଗୋଳାବର୍ଷା କରିଛି । ମାରିୟୁପୋଲ୍‌ରେ ଅନବରତ ଗୋଳାବର୍ଷା ହେଉଛି ।

ରୁଷ୍‌ ପ୍ରତିରକ୍ଷା ମନ୍ତ୍ରାଳୟ ମୁଖପାତ୍ର ମେଜର ଜେନେରାଲ୍ ଇଗୋର କୋନାଶେନକଭ କହିଛନ୍ତି, ରୁଷ୍‌ ସେନା ୟୁକ୍ରେନ୍‌ର ଏକାଧିକ ସାମରିକ ପ୍ରତିଷ୍ଠାନ ଧ୍ବଂସ କରିଦେଇଛନ୍ତି । ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନ୍‌ସ୍କି ଦେଶକୁ ଉଦ୍‌ବୋଧନ ଦେଇ କହିଛନ୍ତି, ରୁଷ୍‌ ଆମ ବିରୋଧରେ ଲଢ଼ିବାପାଇଁ ସବୁ ଶକ୍ତି ଖଟାଇ ଦେଇଛି । ସାମରିକ ପ୍ରତିଷ୍ଠାନକୁ ଟାର୍ଗେଟ୍‌ କରୁଥିବା କହୁଥିଲେ ବି ଜନବସତି ଅଞ୍ଚଳକୁ ଟାର୍ଗେଟ୍ କରି ଶତାଧିକ ଲୋକଙ୍କୁ ହତ୍ୟା କରୁଛି ।