ମୟୁରଭଞ୍ଜ ଜିଲ୍ଲାପାଳଙ୍କ ଗାଡି ଉପରକୁ ଢେଲା ମାଡ, ଅଳ୍ପକେ ବର୍ତ୍ତିଲେ ଜିଲ୍ଲାପାଳ

ବାରିପଦା ୨୩।୦୪ : (ସଂକେତ ଟିଭି) ମୟୂରଭଂଜ ଜିଲ୍ଲାପାଳଙ୍କ ଗାଡି ଉପରକୁ ଢେଲା ମାଡ । ଭାଙ୍ଗିଲା ସ୍କୋର୍ପିଓ ଗାଡିର ପଛ କାଚ । ଅଳ୍ପକେ ବର୍ତ୍ତିଲେ ଜିଲ୍ଲାପାଳ । ଏଭଳି ଘଟଣା ଘଟିଛି ମୟୁରଭଂଜ ଜିଲ୍ଲା ୧୮ ନମ୍ବର ଜାତୀୟ ରାଜପଥର ବାଲିମଣ୍ଡଳୀ ଛକ ନିକଟରେ ।

ସୂଚନା ଅନୁସାରେ, କୁଳିଅଣା ବ୍ଲକ ଅନ୍ତର୍ଗତ ଭଗବାନପୁର ଠାରେ ପଞ୍ଚାୟତ କାର୍ଯ୍ୟାଳୟ ହେବା ବଦଳରେ ନୂଆଗାଁ ଠାରେ ଆରମ୍ଭ ହୋଇଥିବା କାର୍ଯ୍ୟକୁ ସ୍ଥାନୀୟ ଗ୍ରାମବାସୀ ବିରୋଧ କରୁଥିଲେ। ଅର୍ଦ୍ଧ ନିର୍ମିତ ପଞ୍ଚାୟତ ଗୃହକୁ ଭାଙ୍ଗିବା ପରେ ଉତ୍ତେଜନା ତୀବ୍ର ହୋଇଥିଲା । ଏହାକୁ ନେଇ ଗ୍ରାମବାସୀ ୧୮ ନମ୍ବର ଜାତୀୟ ରାଜପଥର ବାଲିମଣ୍ଡଳୀ ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ। ସେପଟେ କୌଣସି କାର୍ଯ୍ୟରେ ସେହି ରାସ୍ତା ଦେଇ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଯାଉଥିବା ସମୟରେ ବିକ୍ଷୋଭକାରୀଙ୍କ ଶିକାର ହୋଇଥିଲେ। ଉତ୍ଯକ୍ତ ଲୋକେ ଗାଡି ଉପରକୁ ଢେଲା ମାଡ କରିଥିଲେ।

ଯାହା ସୂଚନା ମିଳିଛି ଲୋକେ ଜିଲ୍ଲାପାଳଙ୍କ ସହିତ ସେମାନଙ୍କ ଦାବି ସଂପର୍କରେ ଆଲୋଚନା କରିବାକୁ ଚାହୁଁଥିଲେ। ଆଉ ସେହି ସମୟରେ କିଛି ଲୋକ ଜିଲ୍ଲାପାଳଙ୍କ ଗାଡ଼ି ଉପରକୁ ପଥର ମାଡ଼ କରିଥିଲେ। ପଥର ମାଡ଼ରେ ଗାଡ଼ିର ପଛ କାଚ ସଂପୂର୍ଣ୍ଣ ଭାଙ୍ଗି ଯାଇଛି। ତେବେ ଜିଲ୍ଲାପାଳ ସୁରକ୍ଷିତ ଥିବା ଜଣାପଡିଛି । ଏହି ଘଟଣା ପରେ ପୋଲିସ୍ ସେଠାରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲା। ଏହା ସହିତ ସେଠାରୁ ଲୋକଙ୍କୁ ହଟାଇ ଥିଲା।