ଚାମ୍ପିଅନ୍ ଚେନ୍ନାଇ, ମୁମ୍ବାଇର ଶୋଚନୀୟ ପ୍ରଦର୍ଶନ ପଛର କାରଣ

ମୁମ୍ବାଇ ୨୩।୦୪ :(ସଂକେତ ଟିଭି) ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୨୦୨୨ର ପାଖାପାଖି ଅଧା ମୁକାବିଲା ସରି ଗଲାଣି । ସମସ୍ତ ଦଳ ଅତି କମରେ ୬ରୁ୭ଟି ଲେଖାଏଁ ମ୍ୟାଚ୍ ଖେଳି ସାରିଲେଣି । ଏମିତିରେ ପଏଣ୍ଟ ଟେବୁଲ୍ ଉପରେ ନଜର ପକାଇଲେ ଚକିତ କରିବା ଭଳି ଦୃଶ୍ୟ ଦେଖିବାକୁ ମିଳୁଛି । ଆଇପିଏଲରେ ପ୍ରଥମ ଥର ଅଂଶଗ୍ରହଣ କରିଥିବା ଗୁଜରାଟ ଏବଂ ଲକ୍ଷ୍ନୌ ଶୀର୍ଷରେ ରହିଛନ୍ତି ।

ଅନ୍ୟପଟେ ଆଇପିଏଲର ସବୁଠୁ ଦୁଇ ସଫଳ ଦଳ ଚେନ୍ନାଇ ଓ ମୁମ୍ବାଇ ସବୁଠୁ ତଳେ ଅଛନ୍ତି । ଆଇପିଏଲ ଇତିହାସରେ ମୋଟ୍ ୯ ଟ୍ରଫି ଜିତିଥିବା ମୁମ୍ବାଇ(୫) ଏବଂ ଚେନ୍ନାଇ(୪)ର ଅବସ୍ଥା ଶୋଚନୀୟ ହୋଇ ପଡିଛି । ଚେନ୍ନାଇ କ୍ରମାଗତ ୪ ମ୍ୟାଚ୍ ହାରିବା ପରେ ବହୁ କଷ୍ଟରେ ପ୍ରଥମ ବିଜୟ ହାସଲ କରିଥିଲା । ହେଲେ ଷଷ୍ଠ ମ୍ୟାଚରେ ଦଳ ପୁଣି ଥରେ ପରାଜିତ ହୋଇଛି । ତେବେ ୭ମ ମ୍ୟାଚ୍‌ରେ ମୁମ୍ବାଇକୁ ହରାଇଛି ।

ଅନ୍ୟପଟେ ମୁମ୍ବାଇ ଇଣ୍ଡିଆନ୍ସ କ୍ରମାଗତ ୭ ମ୍ୟାଚ୍‌ ହାରିବା ସହ ନିଜର ପ୍ରଥମ ବିଜୟ ସନ୍ଧାନରେ ରହିଛି । ମାତ୍ର ଦୁଇ ଚାମ୍ପିଅନ ଦଳ ଯାହାଙ୍କ ପାଖରେ ଭାରତର ହ୍ବାଇଟ୍ ବଲ୍ ଫର୍ମାଟର ସବୁଠୁ ବଡ ତାରକା ଖେଳାଳି ଥିଲେ ମଧ୍ୟ ଦଳର ପ୍ରଦର୍ଶନ ଏମିତି କିରି ରହିଛି । ଦୁଇ ଦଳ ଏମିତି କାହିଁକି ହାରୁଛନ୍ତି, ଚାଲନ୍ତୁ ତାର କିଛି ବିଶ୍ଳେଷଣ ଉପରେ ନଜର
ପକାଇବା ।

ବଦଳିଗଲା ସ୍କ୍ବାଡ୍‌
ଚେନ୍ନାଇ ଓ ମୁମ୍ବାଇ ଏମିତି ଦୁଇଟି ଦଳ ଥିଲେ, ଯିଏ ଆରମ୍ଭରୁ ନେଇ ଏ ପର୍ଯ୍ୟନ୍ତ ନିଜର କୋର ଗୃପ ସମ୍ଭାଳିକି ରଖିଥିଲେ । ଆରମ୍ଭ ପ୍ରଥମ ଦଶନ୍ଧିରେ ଦଳର ଅଧିକାଂଶ ଖେଳାଳି ଏମିତି ଥିଲେ, ଯିଏ ଲଗାତାର ଚୂଡାନ୍ତ ଏକାଦଶରେ ରହୁଥିଲେ । ଦୁଇ ଦଳର ଚୂଡାନ୍ତ ଏକାଦଶରେ ବାରମ୍ବାର ପରିବର୍ତ୍ତନ କରିବାକୁ ପଡୁନଥିଲା । ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱରେ ଚେନ୍ନାଇ ଦୀର୍ଘ ସମୟ ପର୍ଯ୍ୟନ୍ତ ସମାନ ଚୂଡାନ୍ତ ଏକାଦଶ ସହିତ ମଇଦାନକୁ ଓହ୍ଲାଇଥିଲା । ଠିକ୍ ସମାନ ଅବସ୍ଥା ମୁମ୍ବାଇର । ମୁମ୍ବାଇର ପୂରା ଦଳ ପରିବର୍ତ୍ତନ ହୋଇ ଯାଇଛି ।

ଆଇପିଏଲ ୨୦୨୨ ଦୁଇ ଦଳକୁ ସବୁ କିଛି ବଦଳାଇ ଦେଇଛି । ଏଥର ମେଗା ନିଲାମ ହେବାରୁ ଦଳକୁ ପୂରା ସ୍କ୍ବାଡ ବଦଳାଇବାକୁ ପଡିଲା । କେବଳ କିଛି ଖେଳାଳିଙ୍କୁ ଦଳରେ ରଖିବାକୁ ସୁଯୋଗ ମିଳିଥିଲା ।ବାକି ଖେଳାଳି ଅଲଗା ହୋଇଗଲେ । ଚେନ୍ନାଇ ସୁପର କିଙ୍ଗ୍ସ ନିଜର କିଛି ପୁରୁଣା ଖେଳାଳିଙ୍କୁ କିଣିବାକୁ ଉଦ୍ୟମ କରିଥିଲା ।କିନ୍ତୁ ଏମିତି ହୋଇ ପାରିନଥିଲା ।

ବିଗାଡି ଦେଲା ମେଗା ନିଲାମ
କୁହାଯାଉଛି ୨୦୨୨ରେ ହୋଇଥିବା ମେଗା ନିାଲମ ଆଇପିଏଲର ଶେଷ ନିଲାମ । ଏହା ପରେ ଦଳଗୁଡିକୁ ନିଜର କୋର ଗୃପ ସମ୍ଭାଳିକି ରଖିବାକୁ କିଛିଟା କୋହଳ ଦିଆଯିବ । ତେଣୁ ଦଳଗୁଡିକ ଆଗାମୀ ୩-୪ ବର୍ଷକୁ ଦୃଷ୍ଟିରେ ରଖି ନିଜର ଦଳ ଗଠନ କରିବାକୁ ଉଦ୍ୟମ କରିଛନ୍ତି । ଏହି କାରଣରୁ ମୁମ୍ବାଇ ଇଣ୍ଡିଆନ୍ସ ଜୋଫ୍ରା ଆର୍ଚରଙ୍କ ଉପରେ ୮ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଛି । ମାତ୍ର ସେ ଏହି ସିଜିନରେ ଖେଳୁ ନାହାନ୍ତି ।

ଅନ୍ୟପଟେ ଚେନ୍ନାଇ ସୁପର କିଙ୍ଗ୍ସ ଦୀପକ ଚହରଙ୍କ ଉପରେ ୧୪ କୋଟି ଟଙ୍କା ଖର୍ଚ୍ଚ କରିଛି । ତେବେ ଦୀପକ ଆହତ କାରଣରୁ ଚଳିତ ଆଇପିଏଲରୁ ବାଦ୍ ପଡିଛନ୍ତି । କିଛି ଖେଳାଳିଙ୍କ ଉପରେ ଅଧିକ ଟଙ୍କା ଖର୍ଚ୍ଚ କରାଗଲା, ହେଲେ ସେମାନଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳୁନାହିଁ । ୮.୨୫ କୋଟି ଟଙ୍କାରେ କିଣା ଯାଇଥିବା ଟିମ୍ ଡେଭିଡ୍ ଗୋଟିଏ ଦୁଇଟି ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇଛନ୍ତି ।

ନେତୃତ୍ୱକୁ ନେଇ ଉଠିଲା ପ୍ରଶ୍ନ
ରୋହିତ ଶର୍ମା ସଂପ୍ରତି କେବଳ ମୁମ୍ବାଇ ଇଣ୍ଡିଆନ୍ସ ବରଂ ଟିମ୍‌ ଇଣ୍ଡିଆର ତିନୋଟି ଫର୍ମାଟର ଅଧିନାୟକ । ସବୁଠୁ ଆଶ୍ଚର୍ଯ୍ୟକର କଥା ରୋହିତଙ୍କୁ ଆଇପିଏଲର ସଫଳତା ଆଧାରରେ ଭାରତୀୟ ଦଳର ଅଧିନାୟକ କରାଯାଇଛି । ମାତ୍ର ଯେବେଠୁ ସେ ଭାରତୀୟ ଦଳର ଅଧିନାୟକ ହୋଇଛନ୍ତି, ଆଇପିଏଲରେ ପ୍ରଥମ ବିଜୟ ପାଇଁ ବ୍ୟାକୁଳ ଅଛନ୍ତି । କେବଳ ଅଧିନାୟକତ୍ୱକୁ ନେଇ ରୋହିତ ଚିନ୍ତାରେ ନାହାନ୍ତି ବରଂ ତାଙ୍କ ବ୍ୟାଟରୁ ରନ୍ ମଧ୍ୟ ବାହାରୁ ନାହିଁ । ରୋହିତ ଶର୍ମା ଅଦ୍ୟାବଧି ୬ଟି ମ୍ୟାଚ୍ରୁ ମାତ୍ର ୧୧୪ ରନ କରିଛନ୍ତି ।

ଯଦି ଚେନ୍ନାଇ ସୁରର କିଙ୍ଗ୍ସ ଉପରେ ନଜର ପକାଇବା ତେବେ ଦଳର ଅଧିନାୟକ ପରିବର୍ତ୍ତନ ହୋଇଛି । ଆଇପିଏଲ ଆରମ୍ଭ ହେବା ଠିକ୍ ପୂର୍ବରୁ ମହେନ୍ଦ୍ର ସିଂହ ଧୋନୀ ଅଧିନାୟକ ଛାଡିଥିଲେ ଏବଂ ରବୀନ୍ଦ୍ର ଜାଡେଜାଙ୍କୁ ଅଧିନାୟକ ଦାୟିତ୍ୱ ଦିଆଯାଇଥିଲା । ନୂତନ ସ୍କ୍ବାଡ ଏବଂ ନୂତନ ଅଧିନାୟକ ସହିତ ଦଳ ବିଜୟ ଟ୍ରାକକୁ ଫେରିବା ମୁସ୍କିଲ ହୋଇ ପଡିଛି ।